ପ୍ରଶିକ୍ଷଣରେ ବିଭେଦ ନୀତିକୁ ବିରୋଧ କରି ଆନ୍ଦୋଳନ

ରାଜସୁନାଖଳା: ରଣପୁର ବ୍ଲକ୍‌ ରାଜସୁନାଖଳା ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ଅଧ୍ୟୟନରତ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କ ତରଫରୁ ରାଜ୍ୟ ସରକାରଙ୍କ ଶିକ୍ଷକ ପ୍ରଶିକ୍ଷଣ ନୀତିକୁ ତୀବ୍ର ବିରୋଧ କରାଯାଇଛି। ଗୁରୁବାର ଛାତ୍ରଛାତ୍ରୀମାନେ ମୁଖ୍ୟ ଫାଟକ ପ୍ରବେଶ ଦ୍ବାର ସମ୍ମୁଖରେ ଧାରଣାରେ ବସିରହି ଆନ୍ଦୋଳନ କରିଥିଲେ। ଏନ୍‌ଆଇଓଏସ୍ ଛାତ୍ରାଛାତ୍ରୀମାନଙ୍କୁ ଓଟିଇଟିରେ ସୁଯୋଗ ଦେବା ନେଇ ଛାତ୍ରଛାତ୍ରୀ ବିରୋଧ କରିଥିଲେ। ଛାତ୍ରଛାତ୍ରୀମାନେ ପ୍ରଥମେ ପ୍ରବେଶ ପରୀକ୍ଷା ଦେଇ ୨ ବର୍ଷ ଧରି ନିୟମିତ ଭାବେ ପ୍ରଶିକ୍ଷଣ ନେଇ, ପୁନଶ୍ଚ ଶିକ୍ଷକ ଯୋଗ୍ୟତାଭିତ୍ତିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଶିକ୍ଷକ ରୂପେ ନିଯୁକ୍ତ ପାଇବା ନିମନ୍ତେ ନୀତି ନିର୍ଦ୍ଧାରଣ ହୋଇଛି। ମାତ୍ର ଅନେକ ଘରୋଇ ଅନୁଷ୍ଠାନରେ ନିଯୁକ୍ତି ପାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନେ କୌଣସି ପ୍ରକାର ପ୍ରବେଶ ପରୀକ୍ଷା ଦେଉ ନାହାନ୍ତି। ଏମାନେ ଏନ୍‌ଆଇଓଏସ୍ (ନାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସ୍କୁଲିଂ) ରେ ଦୂରନିରନ୍ତର ଶିକ୍ଷା ମାଧ୍ୟମରେ ପ୍ରଶିକ୍ଷଣ ପାଇ ନିଜକୁ ଯୋଗ୍ୟ ବିବେଚିତ କରାଯିବ ବୋଲି ସରକାର ନୀତି ନିର୍ଦ୍ଧାରଣ କରିଛନ୍ତି। ପୁଣି ବହୁ ଘରୋଇ ବିଦ୍ୟାଳୟରେ କାର୍ଯ୍ୟ କରୁନଥିବା ଯୁବକ-ଯୁବତୀଙ୍କ ନାମ ମଧ୍ୟ ଘରୋଇ ଶିକ୍ଷାନୁଷ୍ଠାନରୁ ତାଲିମ ପାଇଁ ସୁପାରିଶ୍‌ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ବ୍ୟବସ୍ଥା ଯୋଗୁ ସରକାରୀ ଶିକ୍ଷାର ମାନ କମିବ ବୋଲି ଅଭିଯୋଗ ହୋଇଛି। ଫଳରେ ବହୁ କଷ୍ଟରେ ଦୀର୍ଘ ୨ ବର୍ଷ ତାଲିମ୍ ନେଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଆଡ଼କୁ ଗତି କରୁଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଶିକ୍ଷକ ପ୍ରଶିକ୍ଷଣରେ ଏତାଦୃଶ୍ ବିଭେଦ ନୀତିକୁ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଅହୋରାତ୍ର ଆନ୍ଦୋଳନ ଜାରି ରହିବ ବୋଲି ଧାରଣାର ନେତୃତ୍ବ ନେଇଥିବା ସଭାପତି ରଞ୍ଜନ କୁମାର ପରିଡ଼ା, ସଂପାଦକ ସଚ୍ଚିକାନ୍ତ ପାତ୍ର, ସତ୍ୟଜିତ ସାହୁ, ସୁଚିସ୍ମିତା ପୁଷ୍ଟି, ଜୋତିର୍ମୟ ସାହୁ ପ୍ରମୁଖ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର