ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌ : କମ୍ପ୍ୟୁଟର ଶିକ୍ଷକଙ୍କ ନାମରେ ଏତଲା

ନିରାକାରପୁର/ଖୋର୍ଧା : ଜଙ୍କିଆ ଥାନା ଅଧୀନ ନରଣଗଡ଼ ଅଞ୍ଚଳର ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସ୍ଥାନୀୟ ଏକ କମ୍ପ୍ୟୁଟର ତାଲିମ କେନ୍ଦ୍ରର ଜଣେ ଶିକ୍ଷକ ଏପରି କରିଥିବା ନେଇ ଜଙ୍ଗିଆ ଥାନାରେ ସମ୍ପୃକ୍ତ ଛାତ୍ରୀଙ୍କ ପରିବାର ପକ୍ଷରୁ ଏଭଳି ସାଂଘାତିକ ଅଭିଯୋଗ କରାଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରାଯାଇଛି। ଅପରପକ୍ଷେ, ଘଟଣା ପ୍ରଘଟ ପରେ ସଂପୃକ୍ତ ଶିକ୍ଷକ ଜଣକ ଫେରାର୍‌ ଥିବା ବେଳେ ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ଉକ୍ତ ଶିକ୍ଷକଙ୍କ ନାମକୁ ଗୋପନ ରଖାଯାଇଥିବା ପୁଲିସ କହିଛି।

ସୂଚନାନୁଯାୟୀ, ନରଣଗଡ଼ ଅଞ୍ଚଳରେ ରହିଥିବା ଆଇସିସିଟି ନାମକ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରକୁ ଜଙ୍ଗିଆ ଥାନା ଅନ୍ତର୍ଗତ ତେନ୍ତୁଳିମୂଳ ଗ୍ରାମର ଜଣେ ଛାତ୍ରୀ କମ୍ପ୍ୟୁଟର ଶିକ୍ଷା ନେବା ପାଇଁ ଯାଉଥିଲେ। ତେବେ ତାଙ୍କର ସରଳତାର ସୁଯୋଗରେ ସଂପୃକ୍ତ କେନ୍ଦ୍ରର ଜନୈକ ଶିକ୍ଷକ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହ ସମ୍ପର୍କ ରଖିଥିଲେ। ଏପରିକି ଅଭିଯୁକ୍ତ ଶିକ୍ଷକ ଜଣକ କୌଶଳ କ୍ରମେ ଛାତ୍ରୀଙ୍କର ଅଶ୍ଳୀଳ ଫଟୋ ଉଠାଇବା ସହ ତାହାକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଦେଇଥିଲେ। ତେବେ ଏହା ଜଣାପଡ଼ିବା ପରେ ଛାତ୍ରୀଙ୍କ ପରିବାର ପକ୍ଷରୁ ସଂପୃକ୍ତ ଶିକ୍ଷକଙ୍କୁ ଏ ବିଷୟରେ ତାଗିଦ କରାଯାଇଥିଲା। ମାତ୍ର ସେ ଓଲଟି ଛାତ୍ରୀଙ୍କ ପରିବାରକୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଅପରପକ୍ଷେ, ଲୋକଲଜ୍ଜା ଏବଂ ମାନସିକ ଯନ୍ତ୍ରଣାରେ ଛଟପଟ ହୋଇ ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଅଭିଯୋଗର ତଦନ୍ତ ଜାରି ରଖିଥିବା ଥାନା ନିରୀକ୍ଷକ ମୃଣ୍ମୟ ସେନାପତି କହିଛନ୍ତି।

ସମ୍ବନ୍ଧିତ ଖବର