ଘରେ ପଶି ବନ୍ଧୁକ ଦେଖାଇ ଲୁଟ୍‌:ଦୁୁଇ ଘଣ୍ଟା ପରେ ୨ଲୁଟେରା ଗିରଫ

ଭୁବନେଶ୍ବର: ସହିଦନଗର ଥାନା ଅଧୀନ ଭିଏସ୍‌ଏସ୍‌ ନଗରରେ ରହୁଥିବା ମାଳବିକା ଚାନ୍ଦଙ୍କ ଘରେ ପଶି ୨ ଲୁଟେରା ବନ୍ଧୁକ ଦେଖାଇ ଲୁଟ୍‌ କରିଛନ୍ତି। ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟାରେ ଘଟିଛି ଏହି ଘଟଣା। ଲୁଟେରା ଦ୍ବୟ ୧୦ଭରି ସୁନା ଓ ୬୦ହଜାର ଟଙ୍କା ଲୁଟି ନେଇଛନ୍ତି। ତେବେ ଲୁଟ୍‌ ହେବାର ପ୍ରାୟ ୨ ଘଣ୍ଟା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ୨ଲୁଟେରାଙ୍କୁ ଇନ୍‌ଫୋସିଟି ଥାନା ଅଞ୍ଚଳରୁ ଗିରଫ କରିଛି।
ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୮ଟାରେ ମାଳବିକା ଦୁଇ ମହଲା ଉପରେ ଟିଭି ଦେଖୁଥିଲେ। ଏହି ସମୟରେ ହଠାତ୍‌ ଜଣେ ଯୁବକ ତାଙ୍କ ନିକଟକୁ ଯାଇ ପିଇବା ପାଇଁ ପାଣି ମାଗିଥିଲା। ତେବେ ମାଳବିକା ପାଣି ଆଣିବାକୁ ଯିବା ବେଳେ ଅନ୍ୟ ଜଣେ ଯୁବକ ଘର ଭିତରକୁ ପଶିଯାଇଥିଲା। ପାଣି ମାଗିଥିବା ଯୁବକ ଜଣଙ୍କ ଚତୁରତାର ସହ ମାଳବିକାଙ୍କୁ କାବୁ କରି ନେଇଥିଲେ।

ମାଳବିକା ଯେପରି ଚିତ୍କାର କରି ନପାରିବେ ସେଥିପାଇଁ ତାଙ୍କ ମୁହଁ‌ରେ କପଡ଼ା ବାନ୍ଧି ଅଣ୍ଟାରୁ ବନ୍ଧୁକ କାଢ଼ି ଦେଖାଇଥିଲେ। ଆଉ ଘରର ସମସ୍ତ ଚାବି ଦେବାକୁ କହିଥିଲେ। ଚାବି ନଦେଲେ ମାରିଦେବେ ବୋଲି ଲୁଟେରା ଦ୍ବୟ ମାଳବିକାଙ୍କୁ ଧମକାଇ ଥିଲେ। ଭୟରେ ମାଳବିକା ସମସ୍ତ ଚାବି ଦେଇ ଦେଇଥିଲେ। ଲୁଟେରା ଦ୍ବୟ ଆଲ୍‌ମିରା ଖୋଲି ପାଖାପାଖି ୨୦ ଭରି ସୁନାଗହଣା, ୨୦ ହଜାର ଟଙ୍କା ଓ ଏଟିଏମ୍‌ ନେଇଯାଇଥିଲେ। ଆଉ ଏଟିଏମ୍‌ର ପାସ୍‌ୱାର୍ଡ ବି ପଚାରି ‌ବୁଝି ନେଇଥିଲେ। ପରେ ଲୁଟରା ଦ୍ବୟ ମାଳବିକାଙ୍କୁ ଘରେ ବାନ୍ଧି ଦେଇ ପଳାଇଥିଲେ। ମାଳବିକା ଚିତ୍କାର କରିବାରୁ ତଳେ ଭଡ଼ାରେ ଥିବା ଲୋକମାନେ ଧାଇଁ ଆସି ଘଟଣା ବିଷୟରେ ବୁଝିଥିଲେ। ଏହାପରେ ତୁରନ୍ତ ପୁଲିସ୍‌କୁ ଫୋନ୍‌ କରି ଜଣାଇଥିଲେ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଞ୍ଚଳର କେତେକ ସିସିଟିଭି ଯାଞ୍ଚ କରିଥିଲା। କିଛି ସମୟ ପରେ ପୁଲିସ ଜାଣିବାକୁ ପାଇଥିଲା ଯେ ଲୁଟେରାମାନେ ଇନ୍‌ଫୋସିଟି ସ୍ଥିତ ଏକ ଏଟିଏମ୍‌ରୁ ୪୦ ହଜାର ଟଙ୍କା ଉଠାଉଛନ୍ତି। ତୁରନ୍ତ ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ଖୋଳତାଡ଼ କରିଥିଲା। ପାଖାପାଖି ୧୦ଟା ବେଳେ ପୁଲିସ ଏକ ହୋଟେଲ୍‌ରୁ ଉଭୟଙ୍କୁ କାବୁ କରିଥିଲା। ପୁଲିସ ଉଭୟଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର