ଦିନ ଦ୍ୱି’ପ୍ରହରେ ଲୁଟେରାଙ୍କ ଆତଙ୍କ : ବାଇକ୍‌ରୁ ପଡ଼ି ମହିଳା ମୃତ

ଦମ୍ପତିଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଝାମ୍ପିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ବାଲୁଗାଁ : ପୁଅ ବାହାଘର ପାଇଁ ଲକ୍ଷାଧିକ ଟଙ୍କାର ଅଳଙ୍କାର କିଣି ଘରକୁ ଫେରୁଥିବା ଏକ ଦମ୍ପତି ଲୁଟେରାଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଲୁଟେରାମାନେ ସବୁ ଅଳଙ୍କାର ଲୁଟି ନେଇଛନ୍ତି। ମୃତ ମହିଳାଜଣଙ୍କ ହେଲେ, ଟୁନୀ ପାଢ଼ୀ (୫୦)। ଘର ନାଚୁଣୀ କଲେଜ ରୋଡ୍‌ ଅଞ୍ଚଳରେ। ଆଜି ଦିନ ପ୍ରାୟ ଗୋଟାଏ ବେଳେ ସ୍ୱାମୀ ଭୀମସେନ୍‌ଙ୍କ ସହ ସେ ବାଲୁଗାଁ ବଜାରରେ ଥିବା ଶୁଭମ୍‌ ଜୁଏଲାରିରୁ ପ୍ରାୟ ୧ଲକ୍ଷରୁ ଊର୍ଧ୍ୱ ଟଙ୍କାର ଅଳଙ୍କାର କିଣି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା।

ଏହି ପାଢ଼ୀ ଦମ୍ପତି ଜାତୀୟ ରାଜପଥର ସରଳସିଂହ ନିକଟ ରେଳବାଇ ଗେଟ୍‌ ଅତିକ୍ରମ କରିବା ପରେ ଏକ ନମ୍ବରବିହୀନ ପଲସର୍‌ରେ ୨ଜଣ ଲୁଟେରା ତାଙ୍କୁ ପିଛା କରିଥିଲେ। ନିଛାଟିଆ ଜାଗା ଦେଖି ସେମାନେ ଫାଙ୍କା ଗୁଳି ଚାଳନା କରି ଭୀମସେନ୍‌ଙ୍କୁ ଭୟଭୀତ କରାଇବା ସହ ତାଙ୍କ ଚଳନ୍ତା ବାଇକ୍‌କୁ ଧକ୍କା ଦେଇଥିଲେ। ଏଥିରେ ବାଇକ୍‌ରୁ ଖସି ପଡ଼ି ଟୁନୀଙ୍କ ମୁଣ୍ଡ ରାସ୍ତା ଉପରେ ମାଡ଼ ହେବାରୁ ସେ ଚେତାଶୂନ୍ୟ ହୋଇଯାଇଥିଲେ। ପରେ ଲୁଟେରାଦ୍ୱୟ ଭୀମସେନ୍‌ଙ୍କଠାରୁ ଅଳଙ୍କାର ଭର୍ତି ବ୍ୟାଗ୍‌ଟିକୁ ଛଡ଼ାଇ ଟାଙ୍ଗୀ ଅଭିମୁଖେ ଫେରାର୍‌ ହୋଇଯାଇଥିଲେ। ଗୁରୁତର ଆହତ ଟୁନୀଙ୍କୁ ବାଲୁଗାଁ ସରକାରୀ ହସ୍ପିଟାଲରେ ଭର୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ବାଲୁଗଁଁ-ବାଣପୁର ଥାନା ପୁଲିସ ସହର ବାହାରକୁ ଯାଉଥିବା ସମସ୍ତ ରାସ୍ତାକୁ ସିଲ୍‌ କରି ଛାନ୍‌ଭିନ୍‌ ଜାରି ରଖିଛି। ନାଚୁଣୀ ଫାଣ୍ଡି ପୁଲିସ ଶବକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶେଷ ଖବର ଲେଖା ହେବା ସୁଦ୍ଧା ଲୁଟେରା କିମ୍ବା ଲୁଟ୍‌ ଜିନିଷର ପତ୍ତା ମିଳିପାରିନଥିଲା।

ପାଢ଼ୀ ଦମ୍ପତି ସୁନା କିଣୁଥିବା ବେଳେ ଲୁଟେରାଦ୍ୱୟ ଅଳଙ୍କାର ଦୋକାନ ଆଗରେ ତାଙ୍କର ଗତିବିଧି ଲକ୍ଷ୍ୟ କରୁଥିବା ପୁଲିସ ଜାଣିବାକୁ ପାଇଛି। ସୁନା ଦୋକାନ ସିସିଟିଭି ଫୁଟେଜ୍‌କୁ ଆଧାର କରି ଲୁଟେରାଦ୍ୱୟଙ୍କୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ସେମାନେ ଧରାପଡ଼ିବେ ବୋଲି ପୁଲିସ କହିଛି।

ଅପରପକ୍ଷେ ବ୍ୟବଚ୍ଛେଦ ପରେ ଟୁନୀଙ୍କ ଶବ ଗାଁରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର