ଟ୍ରେନ୍‌ରେ କଟି ଯୁବକ ମୃତ

ରାଜସୁନାଖଳା/ରଣପୁର: ଖୋର୍ଦ୍ଧା-ବଲାଙ୍ଗୀର ପୂର୍ବତଟ ରେଳପଥର ରାଜସୁନାଖଳା ଷ୍ଟେସନଠାରୁ ମାତ୍ର ୨ ଶହ ମିଟର ଦୂରରେ ମଙ୍ଗଳବାର ଭୋର ସମୟରେ ଜନୈକ ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବରରୁ ଜଣାପଡ଼ିଛି, ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ଅଧୀନ ହରିକେଶ୍ୱର ଗ୍ରାମର ଧନେଶ୍ୱର ଜେନାଙ୍କ ପୁତ୍ର ପ୍ରଶାନ୍ତ କୁମାର ଜେନା (୨୨) ଆଜି ମଙ୍ଗଳବାର ଭୋର ସମୟରେ ରାଜସୁନାଖଳା ଷ୍ଟେସନ୍‌ଠାରୁ ମାତ୍ର କିଛି ଦୂରରେ ଟ୍ରେନ୍‌ ଲାଇନ୍‌ରେ ପ୍ରଶାନ୍ତଙ୍କ ମୁଣ୍ଡ କଟି ଅଲଗା ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣା ପ୍ରଘଟ ହେବା ପରେ ଆଖପାଖ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟିଥିଲା। ପରେ ମୃତ ପ୍ରଶାନ୍ତଙ୍କ ଭାଇ ସନ୍ତୋଷ ଜେନା ଘଟଣାସ୍ଥଳରେ ପହଞ୍ଚ ତାଙ୍କ ଭାଇଙ୍କୁ ଚିହ୍ନଟ କରିଥିଲେ।

ଇତି ମଧ୍ୟରେ ବହୁ ସମୟ ଧରି ଟ୍ରେନ୍‌ ଲାଇନ୍‌ରେ ଶବ ପଡିରହିଥିବା ବେଳେ କୌଣସି କର୍ତ୍ତୃପକ୍ଷ ଆସି ନଥିଲେ। ବିଳମ୍ବରେ ରଣପୁର ଥାନା ଓ ରାଜସୁନାଖଳା ଫାଣ୍ଡି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚ ଶବ ଉଧାର କରି ବ୍ୟବଚ୍ଛେଦ ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ରଣପୁର ପୁଲିସ୍‌ ମୃତକଙ୍କ ଭାଇ ସନ୍ତୋଷଙ୍କୁ ହସ୍ତାନ୍ତର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପ୍ରକାଶ ଯେ, ନୟାଗଡ଼ରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଯାତ୍ରିବାହୀ ଟ୍ରେନ୍‌ ଆଜି ଭୋର୍‌ ସମୟରେ ରାଜସୁନାଖଳା ଅତିକ୍ରମ କରୁଥିବାବେଳେ ଏହି ସମୟରେ ରେଳ ଧାରଣା କଡ଼ରେ ଛିଡ଼ା ହୋଇଥିବା ପ୍ରଶାନ୍ତ ଟ୍ରେନ୍‌ ସମ୍ମୁଖକୁ ହଠାତ ଡେଇଁପଡ଼ିଥିଲେ। ସୂଚନା ଥାଉକି, ଶବ ଉଠାଇବାରେ ବିଳମ୍ବର କାରଣ ପଚାରିବାରୁ ଥାନାଧିକାରୀ ଗିରିଜାଶଙ୍କର ରଥ କହିଥିଲେ ଯେ ଖୋର୍ଦ୍ଧ-ବଲଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟଟି ପୂର୍ଣ୍ଣାଙ୍ଗ ହୋଇ ନଥିବାରୁ ଜିଆର୍‌ପି ପୋଲିସ୍‌କୁ ହସ୍ତାନ୍ତର କରାଯାଇ ନାହିଁ। ଫଳରେ ଆମେ ବାଧ୍ୟ ହୋଇ ଉକ୍ତ କାର୍ଯ୍ୟ ସଂପାଦନ କରିଥିଲୁ।

ସମ୍ବନ୍ଧିତ ଖବର