ଢେଙ୍କାନାଳ: କାର୍‌ରେ ଜୋର ଜବରଦସ୍ତ ଯୁବତୀଙ୍କୁ ଅପହରଣ କରି ଫାର୍ମ ହାଉସରେ ଗଣଦୁଷ୍କର୍ମ, ୩ ଅଟକ, କାର ଜବତ

ଢେଙ୍କାନାଳ:ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍‌ ଅଞ୍ଚଳରେ ଘଟିଛି ଏକ ଲଜ୍ଜାଜନକ ଘଟଣା। ଏକ ସରକାରୀ କାର୍ଯ୍ୟକ୍ରମରେ ନିଜ ଭାଇ ସହିତ ମୋଟର ସାଇକେଲରେ ଘରକୁ ଫେରୁଥିବା ଜଣେ ୨୮ ବର୍ଷୀୟା ଅଙ୍ଗନବାଡ଼ି କର୍ମୀଙ୍କୁ ୩ ଜଣ ଯୁବକ ଏକ କାର ଯୋଗେ ଅପହରଣ କରି ନେଇ ନିକଟସ୍ଥ ଏକ ଫାର୍ମ ହାଉସରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ପୁଲିସ ସୂଚନା ପାଇ ଆଜି ସକାଳେ ଫାର୍ମ ହାଉସରୁ ଯୁବତୀଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖିଥିବା ବେଳେ ଅପହରଣରେ ବ୍ୟବହୃତ କାରକୁ ଜବତ କରିଛି।


ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗଁଦିଆ ବ୍ଲକ୍‌ ଅଞ୍ଚଳରେ ଜଣେ ଅଙ୍ଗନବାଡ଼ି କର୍ମଚାରୀ ଗତକାଲି ସନ୍ଧ୍ୟାବେଳେ ଏକ ମମତା ଯୋଜନା କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଭାଇ ସହିତ ମୋଟର ସାଇକେଲରେ ଘରକୁ ଫେରୁଥିଲେ। ଭାଇଭଉଣୀ ଘରକୁ ଯିବା ବାଟରେ ଥିବା କାଜୁବଗିଚା ପାଖରେ ହୋଇଥିବା ବେଳେ ଓଆର-୦୨-ଏକ୍ୟୁ ୭୯୧୫ ନମ୍ବର ବିଶିଷ୍ଟ ଏକ ଇଣ୍ଡିିଗୋ କାରରେ ୩ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ଯୁବକମାନେ ସମ୍ପୃକ୍ତ ଯୁବତୀଙ୍କ ଭାଇକୁ ଧକା ମାରି ପକାଇ ଦେବା ପରେ ସମ୍ପୃକ୍ତ ଯୁବତୀଙ୍କୁ କାରରେ ନେଇ ପଳାଇ ଯାଇଥିଲେ। ସେମାନେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁକୁଡ଼ାଝରଠାରେ ଥିବା ଏକ ଫାର୍ମ ହାଉସରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ପରେ ସେମାନେ ଯୁବତୀଙ୍କୁ ସେହି ଫାର୍ମ ହାଉସରେ ଏକୁଟିଆ ଛାଡ଼ି ଫେରାର ହୋଇ ଯାଇଥିଲେ। ଏ ସମ୍ପର୍କରେ ଯୁବତୀଙ୍କ ଠାରୁ ଫୋନ ପାଇ ତାଙ୍କ ଭାଇ ଥାନାରେ ଜଣାଇଥିଲେ। ପୁଲିସ ଓ ତାଙ୍କ ଭାଇ ଫାର୍ମହାଉସରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଆଜି ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ଗଁଦିଆ ଥାନାରେ ୧୩୩/୧୮ ନମ୍ବର ମାମଲା ରୁଜୁ କରି ଜୋରନ୍ଦା ଗ୍ରାମର ଲକ୍ଷ୍ମୀଧର ବିଶ୍ୱାଳ(୩୮ ବର୍ଷ) ଆତିଣ୍ଡା ଗ୍ରାମର ଅନ୍ତର୍ଯ୍ୟାମୀ ଦାସ(୩୦ ବର୍ଷ) ଓ ଗୋବିନ୍ଦ ପ୍ରଧାନ(୩୨ ବର୍ଷ)ଙ୍କୁ ଅଟକ ରଖିବା ସହିତ ଏହି ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ବ୍ୟବହୃତ କାରକୁ ଜବତ କରିଛି।

ଏ ସମ୍ପର୍କରେ ଢେଙ୍କାନାଳ ଏସପି ସନ୍ତୋଷ କୁମାର ନାୟକ କହିଛନ୍ତି ଯେ, ସମ୍ପୃକ୍ତ ଯୁବତୀଙ୍କୁ ଜଣେ ଦୁଷ୍କର୍ମ କରିଥିବା ଓ ଅନ୍ୟ ଦୁଇଜଣ ସହଯୋଗ କରିଥିବା ନେଇ ଜଣେ ଅଭିଯୁକ୍ତ ସ୍ୱୀକାର କରିଛି। ଅଙ୍ଗନବାଡ଼ି ଚାକିରି ପାଇଁ ଯୁବତୀଙ୍କୁ ଲକ୍ଷ୍ମୀଧର ବିଶ୍ୱାଳ ସାହାଯ୍ୟ କରିଥିଲେ। ଏଥିପାଇଁ ଲକ୍ଷ୍ମୀଧର ସମ୍ପୃକ୍ତ ଯୁବତୀଙ୍କଠାରୁ କିଛି ଟଙ୍କା ପାଇବାର ଥିଲା। ମାତ୍ର ଯୁବତୀ ଜଣକ ସେହି ଟଙ୍କା ଦେଇ ନ ଥିବାରୁ ଳକ୍ଷ୍ମୀଧର ତାଙ୍କୁ ଦୁଷ୍କର୍ମ କରିଛି ବୋଲି ପୁଲିସ ନିକଟରେ ଲକ୍ଷ୍ମୀଧର ସ୍ୱୀକାର କରିଥିବା ଏସପି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର