କୋରାପୁଟ: ସଡ଼କ ଦୁର୍ଘଟଣାରେ ୪ ଛାତ୍ରଛାତ୍ରୀ ମୃତ

କୋରାପୁଟ: ସଡକ ଦୁର୍ଘଟଣାରେ ୪ଜଣ ଛାତ୍ରଛାତ୍ରୀଙ୍କ ଜୀବନ ଚାଲି ଯାଇଛି। କୋରାପୁଟ ସହର ଉପକଣ୍ଠ କଫି ବୋର୍ଡ ନିକଟ ଜାତୀୟ ରାଜପଥ ଉପରେ ଘଟିଛି ଏମିତି ଦୁଃଖଦ ଦୁର୍ଘଟଣା। ଆଜି ଅପରାହ୍ନ ପ୍ରାୟ ୪ ବେଳକୁ ଛାତ୍ରଛାତ୍ରୀମାନେ ଯାଉଥିବା କାର୍‌ ସହ ଏକ ଟିପର ମୁହାଁମୁହିଁ ଧକକା ହେବାରୁ ନିହାରିକା ଭଂଜ, ଏସ.ଜୟଶ୍ରୀ ଓ ରାଜୀବ ପାତ୍ର ଓ ରୁବେନ ପାତ୍ରଙ୍କ ମୃତ୍ୟୁ ହୋଇଛି। ରୁବେନ, ନିହାରିକା ଓ ଜୟଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ହୋଇଥିଲାବେଳେ ରାଜୀବ ହେଉଛନ୍ତି ବିଜ୍ଞାନ କଲେଜର ଛାତ୍ର।

ସୂଚନା ଅନୁସାରେ ଏକ ହୁଣ୍ଡାଇ କାର(ଓଡ଼ି-୧୦-ଡି-୬୫୭୮) ସହ ଏକ ଟିପର ମୁହାଁମୁହିଁ ଧକା ହୋଇଥିଲା। ଦୁର୍ଘଟଣାର ମାତ୍ରା ଏତେ ତୀବ୍ର ଥିଲା ଯେ, କାରଟି ଟିପର ମଝିରେ ପଶି ଯାଇଥିଲା। କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। କାର ଚଳାଉଥିବା ରାଜୀବ ପାତ୍ର(୧୭ବର୍ଷ) କାର ଭିତରେ ଚାପି ହୋଇ ରହି ଯାଇଥିଲେ। କାର୍‌ରେ ବସିଥିବା ଅନ୍ୟ ୩ଜଣଙ୍କୁ ଗୁରୁତର ଆଘାତ ଲାଗିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ଏଠାରେ ନିହାରିକା ଓ ଜୟଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ରୁବେନଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରିବା ସମୟରେ ସୁନାବେଡା ନିକଟରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଖବର ଜଣାପଡିବା ପରେ କୋରାପୁଟରେ ଶୋକର ଛାୟ ଖେଳି ଯାଇଛି।

ଓଏମପି କଲୋନୀର ଗୋକୁଳ ଭଂଜଙ୍କ ଝିଅ ନିହାରିକା(୧୫ବର୍ଷ), ସୁନାପୁରର ଜଗନ୍ନାଥ ରାଓଙ୍କ ଝିଅ ଏସ. ଜୟଶ୍ରୀ(୧୫ବର୍ଷ) ଓ ରେଳବାଇ କଲୋନୀର ରବୀନ୍ଦ୍ର କୁମାର ପାତ୍ରଙ୍କ ପୁଅ ରୁବେନ ପାତ୍ର(୧୫ବର୍ଷ) କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଛନ୍ତି।

ସମ୍ବନ୍ଧିତ ଖବର