କାଲିମେଳା: କାଲିମେଳା ବ୍ଳକ ତେଲରାଇ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଗ୍ରାମ ଜବାନପାଲୀରେ ପ୍ରାୟ ୫ଶହରୁ ଉଦ୍ଧ୍ଵର୍ ଲୋକ ବସବାସ କରୁଥିବା ବେଳେ ବିଶୁଦ୍ଧ ପାନୀୟ ଜଳ ସେମାନଙ୍କ ପାଇଁ ସମସ୍ୟା ପାଲଟିଛି। ପାଣି ପାଇଁ ଗ୍ରାମଠାରୁ ଏକ କିମି ଦୂରରେ ଥିବା ପୋଟେରୁ ନଦୀ ଉପରେ ନିର୍ଭର କରିବାକୁ ପଡୁଛି। ନଦୀରୁ ଗ୍ରାମବାସୀମାନେ ପିଇବା ପାଣି ସଂଗ୍ରହ ସହିତ ଗାଧୁଆ, ବାସନକୁସନ ସଫେଇ, ଲୁଗା ସଫା କରୁଥିବା ଦେଖିବାକୁ ମିଳିଛି। ଗ୍ରାମରେ ରହିଥିବା ୫ଟି ନଳକୂଅ ମଧ୍ୟରୁ ଅଧିକାଂଶ ଶୁଖିଲା ପଡ଼ିଛି। କେତେକ ନଳକୂଅରୁ ଲୌହମିଶ୍ରିତ ପାଣି ବାହାରୁଛି। ତେଣୁ ଖରାଦିନ ହେଲେ ଏଠାରେ ପାଣି ସମସ୍ୟା ଉତ୍କଟ ରୂପ ନେଇଥାଏ। ତେବେ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଉକ୍ତ ଗ୍ରାମରେ ୩ଲକ୍ଷ ଟଙ୍କା ବ୍ୟୟରେ ଏକ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ମାତ୍ର ୧ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ଦ୍ୱାରା ୫ଶହ ପରିବାରକୁ ଜଳ ଯୋଗାଣ ହୋଇପାରୁନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଷ୍ଟାଣ୍ଡ ପୋଷ୍ଟ ଗୁଡ଼ିକ ଫାଙ୍କା ପଡ଼ିଥିବା ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ସ୍ଥାନରେ ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି ସେଥିପାଇଁ ନଳକୂଅ ଖନନ କରାଯାଇନାହିଁ। ପୁରୁଣା ନଳକୂଅରେ ମୋଟର ଲଗାଯାଇ ପମ୍ପ ହାଉସକୁ ସଂଯୋଗ କରାଯାଇଛି। ଫଳରେ ମୋଟର ମାତ୍ର ୩୦ମିନିଟି ଚାଲିଲେ ପାଣି ଶୁଖି ଯାଉଥିବା ପମ୍ପ ହାଉସ ଦାୟିତ୍ୱରେ ଥିବା ଇର୍ମା ମାଡ଼କାମୀ କହିଛନ୍ତି। ଏଥିସହିତ ପାଣି ଟାଙ୍କି ନିୟମିତ ସଫା କରାଯାଉନଥିବାରୁ ପାଣିରେ ପୋକ ବାହାରୁଥିବା ଅଭିଯୋଗ ହୋଇଛି। ଗ୍ରାମର ରାମେ କବାସୀ, ରୀନା ମାଡ଼କାମୀ, ଭୀମେ ମାଡ଼କାମୀଙ୍କ ଅଭିଯୋଗ ଅନୁସାରେ ଗ୍ରାମରେ ଏତେ ସଂଖ୍ୟକ ପରିବାର ବସବାସ କରୁଥିଲେ ମଧ୍ୟ ସରକାର ପାଣି ଯୋଗାଇ ପାରୁନାହାଁନ୍ତି। ତେଣୁ ବାଧ୍ୟ ହୋଇ ଗ୍ରାମ ନିକଟ ନଦୀ ଓ ନାଳରୁ ପାଣି ସଂଗ୍ରହ କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀ ପିଥ ସୋରେନଙ୍କୁ ପଚାରିବାରୁ ଏହାର ଅନୁଧ୍ୟାନ କରାଯିବ ବୋଲି କହିଥିଲେ।