ଜଣ୍ଡିସକୁ ଆମନ୍ତ୍ରଣ : ପିଏଚଡି ପାଇପ ଉପରେ ଡ୍ରେନ୍‌

ଜୟପୁର: ଜୟପୁର ପୌରପାଳିକାର ବିଚିତ୍ର ନୀତି। ଯେଉଁଠି ସାହି ବାସିନ୍ଦାକୁ ଯୋଗାଯାଉଛି ପାନୀୟ ଜଳ ତାହା ଉପରେ ଖୋଳାଯାଇ ନିର୍ମାଣ କରାଯାଉଛି ଡ୍ରେନ। ପୌରପାଳିକାର ଇଞ୍ଜିନିୟର ଏହାକୁ କିପରି ଅନୁମତି ଦେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗକୁ ପୌର ନିର୍ବାଚନ ଥିବା ବେଳେ ଜୟପୁର ପୌରପାଳିକାକୁ ଏବେ ତର ନାହିଁ। ସବୁ ଉନ୍ନତି ମୂଳକ କାର୍ଯ୍ୟକୁ ଶେଷ କରିବାକୁ ଲାଗି ପଡିଛନ୍ତି। ଏହାକୁ ଠିକ ଢଙ୍ଗରେ ତିଆରି କରିବାକୁ ପୌର ପରିଷଦରେ ଅନୁମତି ମିଳିଥିବା ବେଳେ କୁମ୍ଭାର ସାହି ଅନ୍ତର୍ଗତ ଲକ୍ଷ୍ମୀ ନଗରରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କଲା ଭଳି କାର୍ଯ୍ୟ। ସାହିରେ ଗତ ଏକ ମାସ ହେବ ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲିଛି।

ପ୍ରାୟ ୮୦୦ ମିଟରର ଡ୍ରେନ ନିର୍ମାଣ ଚାଲିଛି। ହେଲେ ଯେଉଁଠି ପାନୀୟ ଜଳ ସେହି ଠାରେ ସାହି ବାସିନ୍ଦାଙ୍କ ନର୍ଦ୍ଦମା ଜଳ ନିଷ୍କାସନ ପାଇଁ ନିର୍ମାଣ କରାଯାଉଛି ଡ୍ରେନ। ବିଗତ ଦିନରେ ପାନୀୟ ଜଳରେ ଏହି ନର୍ଦ୍ଦମା ଜଳ ମିଶିବାରୁ କାମଳ ରୋଗ ପରି ବ୍ୟାପିଥିଲା। ଏବେ ସବୁ ନିୟମକୁ ଦଳି ଦେଇ ପୌରପାଳିକା ଠିକାଦାରନ ଏଠାରେ ଡ୍ରେନ ନିର୍ମାଣ କରୁଥିବା ଦେଖିବାକୁ ମିଳିଛି। ଗ୍ରୀଷ୍ମ ଋତୁ ଚାଲୁଥିବାରୁ ସହରରେ ପାଣିର ସମସ୍ୟା ଥିବା ବେଳେ ଏଭଳି ଭାବେ ଡ୍ରେନ ନିର୍ମାଣ କରିବାକୁ ସାହି ବାସିନ୍ଦା ନାପସନ୍ଦ କରିଛନ୍ତି।

ସାହିର ନିରୋଜ କହିଛନ୍ତି ଯେ ଯେଉଁଠି ଡ୍ରେନ ନିର୍ମାଣ କରାଯାଉଛି ସେହିଠାରେ କିପରି ପିଏଚଡି ପକ୍ଷରୁ ପାଣି ଦିଆଯାଉଛି। ପୂର୍ବରୁ ଏହିଠାରେ ପିଏଚଡି ପକ୍ଷରୁ ପାଣି ପାଇପ ବିଛାଯାଇଥିବା ବେଳେ ଏବେ ଏହା ଉପରେ ଡ୍ରେନ କରାଯାଉଛି। ପାଣି ପାଇପ ଫାଟି ଘରକୁ ଦୂଷିତ ପାଣି ଆସୁଛି ବୋଲି ସେ କହିଛନ୍ତି। ଏନେଇ ପୌର ଉପାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରଥ କହିଛନ୍ତି ଯେ ଘଟଣା ସମ୍ପର୍କରେ ଆମେ ଅବଗତ ରହିଛୁ। କିପରି ପାନୀୟ ଜଳ ସହ ନର୍ଦ୍ଦମା ଜଳ ନ ମିଶିବ ସେନେଇ ପୌରପାଳିକା ଚେଷ୍ଟା କରୁଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜନସ୍ୱାସ୍ଥ୍ୟ ବିଭାଗ କହିଛି ଯେ ନିକଟରେ ଏହି ଅଞ୍ଚଳରେ ନୂତନ ପାଇପ ବିଛା ଯାଇଥିଲା। ଏବେ ଏହା ଉପରେ କଙ୍କ୍ରିଟ ବିଛାଗଲେ ପାଇପ ନଷ୍ଟ ହେବା ସହ ଲିକ୍‌ ହୋଇ ଦୂଷିତ ଜଳ ମିଶିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର