ବ୍ୟାଙ୍କ ଲୁଟ୍‌ ଉଦ୍ୟମ, ୫ଗିରଫ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସଦର ମହକୁମା ନିକଟସ୍ଥ ବଣ୍ଡାଗୁଡା ସ୍ଥିତ ଏଚଡିଏଫସି ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ଘଟଣାରେ ବୋରିଗୁମ୍ମା ପୁଲିସ ୫ଜଣ ଲୁଟେରାଙ୍କୁ ଗିରଫ କରିଛି। ୨ଜଣ ଲୁଟେରା ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ପୁଲିସ ଲୁଟେରାଙ୍କ ଠାରୁ ଗ୍ୟାସ୍‌ କଟର, ଲୁହା ରଡ, ହାତୁଡି ଓ ୩ଟି ବାଇକ୍‌ ଆଦି ଜବତ କରିଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରାତିରେ ବୋରିଗୁମ୍ମା ଥାନା ଅଧିକାରୀ ସାଗରିକା ନାଥଙ୍କ ନେତୃତ୍ୱରେ ଏକ ଟିମ୍‌ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ବୋରିଗୁମ୍ମା ନିକଟସ୍ଥ ବଣ୍ଡାଗୁଡା ଏଚଡିଏଫସି ବ୍ୟାଙ୍କ ନିକଟରେ କିଛି ବ୍ୟକ୍ତି ପୁଲିସକୁ ଦେଖିବା ପରେ ସମସ୍ତେ ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ପୁଲିସ ଟିମ୍‌ ପିଚ୍ଛା କରି ୫ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ଜଣ ଫେରାର ହୋଇଯାଇଥିଲେ। ଅନ୍ୟପଟେ ପୁଲିସ ଆସିବା ଦେଖି ଲୁଟେରାଙ୍କୁ ନେଇ ଆସିଥିବା ଏକ ବଲେରୋ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ୫ଜଣ ଗିରଫ ବ୍ୟକ୍ତିଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚୁରା କରିବା ପରେ ବ୍ୟାଙ୍କ ଲୁଟ୍‌ ପାଇଁ ଉଦ୍ୟମ କରାଯାଉଥିବା ସ୍ୱୀକାର କରିଥିଲେ।

ପୁଲିସ ଲୁଟେରାଙ୍କ ଠାରୁ ଗ୍ୟାସ୍‌ କଟର, ଲୁହା ରଡ, ହାତୁଡି ଓ ଅନ୍ୟ ସାମଗ୍ରୀ ସହ ୩ଟି ବାଇକ୍‌ ଜବତ କରିଥିଲା। ଏହି ଘଟଣାରେ ପୁଲିସ କୋଟପାଡ ଥାନା ଅଞ୍ଚଳର ଖଗପତି ହରିଜନ, ଶିବ ପୂଜାରୀ, ଈଶ୍ୱର ରାଓ, ପ୍ରମୋଦ କୁମାର ଡିଜୋଗି ଓ ବିସିଂହପୁର ଅଞ୍ଚଳର ଚିଙ୍ଗୁଡି ଜାନୀଙ୍କୁ ଗିରଫ କରିଛି। ଦଫା ୩୯୯୯, ୪୦୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି। ଏସ୍‌ଆଇ ଚିନ୍ତେଶ୍ୱର ମୁଣ୍ଡା ଘଟଣାର ତଦନ୍ତ କରୁଛନ୍ତି। ଫେରାର ଥିବା ୨ଜଣ ଜାମୁଣ୍ଡା ଅଞ୍ଚଳର ସତ୍ୟ ହରିଜନ ଓ ଉମୁରୀ ଅଞ୍ଚଳର ରାଜୁ ଖରା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିିଛି।

ସମ୍ବନ୍ଧିତ ଖବର