୩ ଜୁଆ ଆଡ୍ଡା ଉପରେ ଚଢାଉ,୨୩ ଗିରଫ

୯ଟି ଗାଡି ଓ ୭୭ ହଜାର ଟଙ୍କା ଜବତ

ଜୟପୁର: ଜୟପୁର ସଦର ପୁଲିସ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୨୩ଜଣ ଜୁଆଡିକୁ ଗିରଫ କରିଛି। ଆମ୍ବାଗୁଡା, ପାଞ୍ଜିଆଗୁଡା ଓ କୁମ୍ଭାରପୁଟରେ ଚାଲିଥିବା ୩ଟି ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ କରାଯାଇଥିଲା। ଏଠାରୁ ପୁଲିସ ୭୭ ହଜାର ଟଙ୍କା, ୯ଟି ବାଇକ ଜବତ କରିଛି। ଆମ୍ବାଗୁଡା ଜୁଆ ଆଡ୍ଡାରୁ ୧୫ଜଣଙ୍କୁ ଗିରଫ କରାଯାଇଥିବାବେଳେ ୭୫ ହଜାର ଟଙ୍କା ଓ ୯ଟି ବାଇକ ଜବତ ହୋଇଥିଲା। ପାଞ୍ଜିଆଗୁଡାରୁ ୫ଜଣଙ୍କୁ ଗିରଫ କରାଯିବା ସହ ୧୮୦୦ଟଙ୍କା ଓ କୁମ୍ଭାରପୁଟରୁ ୩ ଜଣଙ୍କୁ ଗିରଫ କରାଯିବା ସହ ୧ହଜାର ଟଙ୍କା ଜବତ କରାଯାଇଛି।
ଏହି ଚଢାଉ ଏଏସପି ପ୍ରଭାତ ପ୍ରଧାନ ଓ ଏସଡିପିଓ ରାଜେନ୍ଦ୍ର ସେନାପତିଙ୍କ ସମେତ ସଦର ଥାନା ଆଇଆଇସି ନିର୍ମଳ ମହାପାତ୍ରଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା। ଏଥିରେ ସଦର ପୁଲିସ ଏସଆଇ ଚିତ୍ୱେଶ୍ୱର ମୁଣ୍ଡା, ସୀମା ପ୍ରଧାନ, ମୁକୁନ୍ଦ ଦେବ ନାୟକ, ସୁରେନ୍ଦ୍ର କୁମାର ସାମଲ, ଗଣେଶ ପ୍ରସାଦ ବେହେରା ଓ ଏଏସଆଇ ତପନ କୁମାର ସରକାରଙ୍କ ସମେତ ଗାଗନାପୁର ଓ ଆମ୍ବାଗୁଡା ଫାଣ୍ଡିର ଅଧିକାରୀ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର