୪ ମିଲିସିଆ ଗିରଫ:ଗାଡି ପୋଡି ମାମଲାରେ ସଂପୃକ୍ତ ଥିଲେ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଂଚଳରୁ ଆଜି ୪ଜଣ ନକ୍ସଲ ମିଲିସିଆଙ୍କୁ ଗିରଫ କରିଛି ପୁଲିସ। ଗତ ବର୍ଷ ସେମାନେ ଠିକା କ୍ୟାମ୍ପ ଓ ଗାଡି ପୋଡି ମାମଲାରେ ସଂପୃକ୍ତ ଥିଲେ। ଆଜି ଅପରାହ୍ନରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଡକରି ଘାଟି ଗ୍ରାମର ନନ୍ଦ ତାଡିଙ୍ଗି, ଅଭି ତାଡିଙ୍ଗି, ତିଲସୁ ତାଡିଙ୍ଗି ଓ ରେଲି ତାଡିଙ୍ଗି। ପୁଲିସ ସୂଚନା ଅନୁସାରେ, ୨୦୧୭ ମସିହାରେ ନାରାୟଣପାଟଣାରେ ମାଓବାଦୀ କରିଥିବା ପୋଡାଜଳା ଘଟଣାରେ ଏମାନଙ୍କର ସଂପୃକ୍ତି ଥିଲା। ନକ୍ସଲଙ୍କୁ ଏମାନେ ସେହି ସମୟରେ ସାହାଯ୍ୟ କରିଥିଲେ।

ଏଥିିନେଇ ନାରାୟଣପାଟଣା ଥାନାରେ ୩୯/୨୦୧୭ରେ ଏକ ମାମଲା ରୁଜୁ ହୋଇଥିଲା। ସେହିପରି ବିଭିନ୍ନ ସମୟରେ ମାଓବାଦୀଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଉଥିବା ଅଭିଯୋଗ ରହିଥିଲା। ପରେ ପୁଲିସ ଆଜି ସକାଳୁ ଏହି ୪ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପଚରାଉଚୁରା କରିବା ପରେ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। କୋରାପୁଟ ଜିଲ୍ଲାର ଗୋଟିଏ ପଟେ ମାଓବାଦୀଙ୍କ ପ୍ରାଦୁର୍ଭାବ ବଢୁଥିଲା ବେଳେ ଅନ୍ୟପକ୍ଷରେ ୪ଜଣ ମିଲିସିଆଙ୍କୁ ଗିରଫ କରିବା ପୁଲିସ ପାଇଁ ଏକ ସଫଳତା ବୋଲି କୁହାଯାଉଛି। ନାରାୟଣପାଟଣାର ଡକରୀ ଘାଟୀ ଏନକାଉଣ୍ଟର ପରେ ଏହି ଅଂଚଳରେ ଆଉ ମାଓବାଦୀଙ୍କ ଗତିବିଧି ନ ଥିବା କୁହାଯାଉଛି। ତେଣୁ ପୁଲିସକୁ ସଫଳତା ମିଳୁଛି। ଏପଟେ ବୈପାରିଗୁଡା ଅଂଚଳରେ ମାଓବାଦୀମାନେ ଲ୍ୟାଣ୍ଡ ମାଇନ ବିଛାଇ ପୁଲିସକୁ ଚକମା ଦେବା ଲକ୍ଷ୍ୟରେ ରହିଛନ୍ତି।

ସମ୍ବନ୍ଧିତ ଖବର