ଜଳ ଭଣ୍ଡାରରେ ଡଙ୍ଗା ବୁଡି ଘଟଣା:୪ଦିନ ପରେ ମିଳିଲା ଶବ

ଲମତାପୁଟ: କୋରାପୁଟ ଜିଲ୍ଲା କୋଲାବ ଜଳ ଭଣ୍ଡାରରେ ଡଙ୍ଗା ବୁଡି ନିଖୋଜ ଥିବା ଲମତାପୁଟ ବ୍ଲକ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ମୁଣାଗୋଡ ଗ୍ରାମର ପଦଳାମ ଖରା(୫୦)ଙ୍କ ଶବ ୪ଦିନ ପରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ସୋମବାର ଦିନ ସକାଳେ ପଦଳାମ କୌଣସି କାମରେ ପୁତୁରା ପ୍ରୀତମଙ୍କ ସହ ଡଙ୍ଗାରେ ନଦୀ ପାର ହେଉଥିଲେ। ତେବେ କୁହୁଡି ଯୋଗୁଁ ରାସ୍ତା ଦେଖା ନଯିବାରୁ ନିୟନ୍ତ୍ରଣ ହରାଇ ଡଙ୍ଗା ବୁଡି ଯାଇଥିଲା। ପୁତୁରା ପହଁରି କୂଳକୁ ଆସିଥିଲେ ହେଁ ପଦଳାମ ନିଖୋଜ ହୋଇଯାଇଥିଲେ। ଘଟଣା ପରେ ଗ୍ରାମବାସୀ ଖୋଜାଖୋଜି କରି ପୁଲିସକୁ ସୂଚନା ଦେଇଥିଲେ। ଓଡ୍ରାଫ୍‌ ଟିମ୍‌ ପହଞ୍ଚି ସନ୍ଧାନ ଆରମ୍ଭ କରିଥିଲା। ୩ଦିନ ଧରି ଓଡ୍ରାଫ୍‌ ଟିମ୍‌ର ସନ୍ଧାନ ସତ୍ୱେ ପଦଳାମଙ୍କ ପତ୍ତା ମିଳି ନଥିଲା। ଶେଷରେ ଆଜି ସକାଳେ ଆପେ ଆପେ ଶବ ଉପରକୁ ଉଠିଆସି ଭାସିଥିଲା। ଲୋକ ଦେଖିବା ପରେ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ମାଛକୁଣ୍ଡ ତହସିଲଦାର କର୍ଣ୍ଣଦେବ ସମାଦ୍ଦାରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ନନ୍ଦପୁରରୁ ଡାକ୍ତର ଆସି ଶବ ବ୍ୟବଚ୍ଛେଦ କରିଥିଲେ। ଅପରପକ୍ଷରେ ଗତ ୩ଦିନ ହେଲା ଗ୍ରାମବାସୀ ସନ୍ଧାନ ଜାରି ରଖିଥିଲେ। ଏପରିକି ଗାଁରେ ଦୁଃଖର ବାତାବରଣ ଖେଳିଯାଇ ଚୁଲି ଜଳୁନଥିଲା। ଆଜି ଶବ ବ୍ୟବଛେଦ ପରେ ପାରଂପରିକ ରୀତିରେ ଦାହ କରାଯାଇଥିଲା। ସରକାରଙ୍କ ନିୟମ ଅନୁଯାୟୀ ଡଙ୍ଗା ବୁଡି ଘଟଣାରେ ୪ଲକ୍ଷ ଟଙ୍କା ପରିବାରକୁ ଦିଆଯିବ ବୋଲି ତହସିଲଦାର ଜଣାଇଥିଲେ।

ସମ୍ବନ୍ଧିତ ଖବର