ବିବାହିତା ମହିଳାଙ୍କୁ ହତ୍ୟା ଘଟଣା:ଅଭିଯୁକ୍ତ ପ୍ରେମିକ ଗିରଫ

ନୂଆଗାଁ: କୋରାପୁଟ ଜିଲ୍ଲା କଟପାଡ଼ ବ୍ଲକ ଅନ୍ତର୍ଗତ ବୋବିୟା ଗାଁର ଗୋବର୍ଦ୍ଧଧ ମାଝୀଙ୍କ ପତ୍ନୀ ଋକ୍ମିଣୀ ମାଝୀ (୩୫)ଙ୍କ ଗଳିତ ଶବ ଗତ ୮ତାରିଖ ଦିନ ଉଦ୍ଧାର କରାଯାଇଥିଲା। ସନ୍ଦେହ ଜନକ ଅବସ୍ଥାରେ ଶବ ପଡ଼ିଥିବା ବେଳେ ଦେହ ସାରା କ୍ଷତ ଚିହ୍ନ ରହିଥିଲା। ପ୍ରାଥମିକ ତଦନ୍ତରୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ପୁଲିସ ଏହି ଘଟଣାର ତଦନ୍ତ କରି ପର୍ଦାଫାସ କରିଛି। ପ୍ରେମିକ ମନ ଗାଦବା (୨୫) ହିଁ ହତ୍ୟା କରିଥିବା ପୁଲିସ ଆଜି ପ୍ରକାଶ କରିଛି। ପୁଲିସ କହିବା ଅନୁଯାୟୀ, ଗୋବର୍ଦ୍ଧନ କେରଳରେ କାମ କରି ଅଧିକାଂଶ ସମୟ ଘରୁ ବାହାରେ ରହୁଥିଲା। ଋକ୍ମିଣୀ ଏକୁଟିଆ ରହୁଥିବା ବେଳେ ସୁନରାବେଲି ନୂଆଗାଁର ମନ ଗାଦବା (୨୫) ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। କିଛି ଦିନର ମିଳିମିଶା ପରେ ମନ ଗାଦବା ଜାଣିବାକୁ ପାଇଥିଲା ଯେ ଋକ୍ମିଣୀର ଅନ୍ୟ ଜଣେ ପୁରୁଷଙ୍କ ସହ ବି ପ୍ରେମ ସଂପର୍କ ରହିଛି। ପ୍ରତାରିତ ହୋଇଥିବା ମନେ କରି ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ଘଟଣା ଦିନ ରାତିରେ ଋକ୍ମିଣୀକୁ ଘଟର୍ଲା ଗାଁ ନିକଟସ୍ଥ ଗୋଟିଏ ନିଛାଟିଆ ସ୍ଥାନକୁ ଡାକିଥିଲା ମନ ଗାଦବା। ରାତି ଅନ୍ଧାରରେ ଋକ୍ମିଣୀର ଗୋଡ଼କୁ ଟାଙ୍ଗିଆରେ ହାଣି ତଣ୍ଟି ଚିପି ହତ୍ୟା କରିଥିଲା। ଘଟଣା ସ୍ଥଳରୁ ଅଳ୍ପ ଦୂରରେ ଥିବା ପରିତ୍ୟକ୍ତ କୂଅରେ ଶବକୁ ଫିଙ୍ଗି ଚାଲି ଯାଇଥିଲା। ତଦନ୍ତରେ ପୁଲିସ ଏନେଇ ଜାଣିବା ପରେ ମନ ଗାଦବାକୁ ଉଠାଇ ଆଣି ପଚରା ଉଚୁରା କରିଥିଲା। ପ୍ରମାଣ ମିଳିବାରୁ କୋଟପାଡ ପୁଲିସ କେଶ ନମ୍ବର ୧୯୦/୧୮ ଆଇପିିସି ଧାରା ୩୦୨ ଅନୁଯାୟୀ  ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର