ପଥର ତଳେ ଚାପି ହୋଇ ରହିଲେଣି ୪୮ ଘଣ୍ଟା, ଉଦ୍ଧାର ହୋଇପାରୁ ନାହାନ୍ତି ୨ ଜେସିବି ଅପରେଟର

ଭୟରେ ଏନ୍‌ଡିଆରଏଫ୍‌ ଟିମ୍‌ ବି ଫେଲ୍‌ ମାରିଲା

ଜୟପୁର: ବହୁ ପ୍ରତିକ୍ଷିତ ତେଲିଙ୍ଗିର ଜଳସେଚନ ପ୍ରକଳ୍ପ ନିକଟ ଗୁମ୍ମା ପଥର କୁଅାଁରିରେ ପଥର ଧସିବା ଅଘଟଣକୁ ୪୮ଘଣ୍ଟା ବିତିଛି। ହେଲେ ଏବେ ଯାଏଁ ପ୍ରଶାସନ ପକ୍ଷରୁ କୌଣସି ଆଖି ଦୂର୍ଶିଆ ପଦକ୍ଷେପ ନିଆଯାଇ ପାରିନାହିଁ। ଉଦ୍ଧାରକାର୍ଯ୍ୟ ଶୁକ୍ରବାର ଯେତିକିରେ ଥିଲା ଶନିବାର ମଧ୍ୟ ସେତିକିରେ ହିଁ ଅଟକିଛି। ଜିଲ୍ଲା ପ୍ରଶାସନର ଅଦୂରଦର୍ଶିତା ଓ ନିଷ୍ପତ୍ତି ନେବାରେ ବିଳମ୍ବ ହେତୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କଟକ ଜିଲ୍ଲା ମୁଣ୍ଡୁଳିରୁ ଶନିବାର ଏନଡିଆରଏଫ ତୃତୀୟ ବାଟାଲିୟନର ୪୦ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ପଥର ଖସିବା ଆଶଙ୍କା କରି ଆଗକୁ ବଢି ପାରି ନାହାନ୍ତି। ତେବେ ଶକ୍ରବାର ପ୍ରଥମ ଦଫାରେ ମାତ୍ର କେଇ ଖଣ୍ଡ ପଥର ହଟାଇବା ସହ ବାହାରକୁ ଦୂର୍ଶ୍ୟମାନ ହେଉଥିବା ଭୋଲଭୋ ମେସିନ ଓ ୨ ଅପରେଟରକୁ ଉଦ୍ଧାର କରିବାରେ ଅକ୍ଷମ ହୋଇଥିଲା ପ୍ରଶାସନ। ପ୍ରଶାସନ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିବା ଓ ତ୍ୱରିତ କାର୍ଯ୍ୟନୁଷ୍ଠାନ ନ ନେବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ପଥର ଖଣି ଭିତରୁ ଦୁର୍ଗନ୍ଧ ନିର୍ଗତ

ଶୁକ୍ରବାରରେ ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବାବେଳେ ଡିଡି କନଷ୍ଟ୍ରକସନର ୩ଟି ମେସିନ କାର୍ଯ୍ୟରେ ଲାଗିଥିଲା। ପ୍ରଶାସନ ପକ୍ଷରୁ ଏକ ଜେସିବିକୁ ଲକ୍ଷ୍ମୀପୁରରୁ ଅଣାଯାଇଥିଲେ ମଧ୍ୟ କିଛି କାର୍ଯ୍ୟରେ ଲାଗିପାରିନାହିଁ। ଘଟଣାକୁ ତିନିଦିନ ବିତିଯାଇଥିବାରୁ ପଥର ଖଣି ମଧ୍ୟରୁ ଦୁର୍ଗନ୍ଧ ବାହାରୁଥିବାବେଳେ ଏବେ ଯାଏ ପ୍ରଶାସନ ଉଦ୍ଧାର କରିବା କାର୍ଯ୍ୟକୁ ତ୍ୱାରାନ୍ଵିତ କରିପାରିନାହିଁ। କାହିଁକି ପ୍ରଶାସନ କାର୍ଯ୍ୟକୁ ତ୍ୱାରାନ୍ଵିତ କରୁନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

ଠିକାସଂସ୍ଥା ଓ ସୁପରଭାଇଜରଙ୍କ ନାମରେ ବି.ସିଂହପୁର ଥାନାରେ ପରିବାରବର୍ଗଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିବାବେଳେ ଆଜି ବି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରନାହିଁ। ତେବେ ଉଦ୍ଧାର କାର୍ଯ୍ୟ ପାଇଁ ବଡ କ୍ରେନ କିମ୍ବା ହାଇଡ୍ରୋଲିକ୍ସ ଥିବା କ୍ରେନର ଆବଶ୍ୟକତା ରହିଥିବାବେଳେ ଏହାକୁ ଯୋଗାଡ କରିବାକୁ ଜିଲ୍ଲା ପ୍ରଶାସନ ଏବେ ଯାଏଁ ଅସମର୍ଥ ରହିଛି। ପ୍ରଶାସନ ପକ୍ଷରୁ ନିକଟରେ ଥିବା ଖଣି, ରେଳବାଇ ଓ ଘରୋଇ ସଂସ୍ଥା ସହ ଯୋଗାଯୋଗ କରୁଥିବା ଜଣାପଡିଛି। କିନ୍ତୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇ ନ ଥିବା ଜଣାପଡିଛି।

 

ଆଜି କୋରାପୁଟ ଏସପି କନଓ୍ଵର ବିଶାଲ ସିଂହ, ବୋରିଗୁମ୍ମା ଏସଡିପିଓ ଏଚ.କେ ମାଝି, ଉପଜିଲ୍ଲାପାଳ ଲୋକନାଥ ଦଳବେହେରା, ନିର୍ବାହୀ ଯନ୍ତ୍ରୀ ତପନ ପାଣିଗ୍ରାହୀ, ଜୟପୁର ତହସିଲଦାର ରଞ୍ଜିତା ମଲ୍ଲିକ, ଏନଡିଆରଏଫର ଇନଚାର୍ଜ ଚନ୍ଦନେଶ୍ୱର ପ୍ରସାଦ, ଜି.ପ୍ରଧାନ, ଟି.କେ ସିଂହ, ଆରପି ମିନା, ସୁବାସ ଚନ୍ଦ୍ର ନାୟକ ଓ ଧନଞ୍ଜୟ ପ୍ରଧାନଙ୍କ ସମେତ ବହୁ ବିଭାଗର ଉଚ୍ଚପଦସ୍ଥ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇଥିଲେ।

ସମ୍ବନ୍ଧିତ ଖବର