ପଥର ଧସିବା ଘଟଣା: ପଥର ତଳେ ରହିଲେଣି ୭୨ ଘଣ୍ଟା, ଉଦ୍ଧାର କରି ନପାରି ହାତ ଟେକିଲା ଏନ୍‌ଡିଆରଏଫ୍‌ ଟିମ୍‌

ଜୟପୁର: ବହୁ ପ୍ରତିକ୍ଷିତ ତେଲିଙ୍ଗିର ଜଳସେଚନ ପ୍ରକଳ୍ପ ନିକଟ ଗୁମ୍ମା ପଥର କୁଅାଁରିରେ ପଥର ଧସିବା ଘଟଣାକୁ ୭୨ ଘଣ୍ଟା ବିତିଛି। ହେଲେ ପଥର ତଳେ ଚାପି ହୋଇ ରହିଥିବା କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ସଞ୍ଜୟ ଦାସ ଓ ଦେବଗଡ଼ ଜିଲ୍ଲାର ଘନଶ୍ୟାମ ଗୁରୁଙ୍କୁ ପଥର ତଳୁ ଉଦ୍ଧାର କରାଯାଇ ପାରି ନାହିଁ। ଉଦ୍ଧାର ପାଇଁ ଏନଡିଆରଏଫ ଟିମ ୪୮ଘଣ୍ଟା ହେବ ଆସିଥିଲେ ମଧ୍ୟ ଜେସିବି ଅପରେଟରଙ୍କୁ ପଥର ତଳୁ ବାହାର କରି ପାରି ନାହିଁ। ଅତ୍ୟାଧୁନିକ ମେସିନ ନହେଲେ, ଉଦ୍ଧାର କାର୍ଯ୍ୟ ସମ୍ଭବ ନୁହେଁ ବୋଲି ଏନ୍‌ଡିଆରଏଫ ଟିମ୍‌ କହିଛି। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ କୌଣସି ଆଖି ଦୂର୍ଶିଆ ପଦକ୍ଷେପ ନିଆଯାଇ ପାରିନାହିଁ। ଦୁଇ ଦିନ ତଳେ ଶୁକ୍ରବାର ଉଦ୍ଧାରକାର୍ଯ୍ୟ ଥିଲା ଆଜି ମଧ୍ୟ ସେତିକିରେ ହିଁ ଅଟକିଛି। ପ୍ରଶାସନର ଅଦୂରଦର୍ଶିତା ଓ ନିଷ୍ପତ୍ତି ନେବାରେ ବିଳମ୍ବ ହେତୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଶୁକ୍ରବାରରେ ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବାବେଳେ ଡିଡି କନଷ୍ଟ୍ରକସନର ୩ଟି ମେସିନ କାର୍ଯ୍ୟରେ ଲାଗିଥିଲା। ପ୍ରଶାସନ ପକ୍ଷରୁ ଏକ ଜେସିବିକୁ ଲକ୍ଷ୍ମୀପୁରରୁ ଅଣାଯାଇଥିଲେ ମଧ୍ୟ କିଛି କାର୍ଯ୍ୟରେ ଲାଗିପାରିନାହିଁ। ଘଟଣାକୁ ତିନିଦିନ ବିତିଯାଇଥିବାରୁ ପଥର ଖଣି ମଧ୍ୟରୁ ଦୁର୍ଗନ୍ଧ ବାହାରୁଥିବାବେଳେ ଏବେ ଯାଏ ପ୍ରଶାସନ ଉଦ୍ଧାର କରିବା କାର୍ଯ୍ୟକୁ ତ୍ୱାରାନ୍ଵିତ କରିପାରିନାହିଁ।

ଠିକାସଂସ୍ଥା ଓ ସୁପରଭାଇଜରଙ୍କ ନାମରେ ବି.ସିଂହପୁର ଥାନାରେ ପରିବାରବର୍ଗଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିବାବେଳେ ଆଜି ବି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରନାହିଁ। ତେବେ ଉଦ୍ଧାର କାର୍ଯ୍ୟ ପାଇଁ ବଡ କ୍ରେନ କିମ୍ବା ହାଇଡ୍ରୋଲିକ୍ସ ଥିବା କ୍ରେନର ଆବଶ୍ୟକତା ରହିଥିବାବେଳେ ଏହାକୁ ଯୋଗାଡ କରିବାକୁ ଜିଲ୍ଲା ପ୍ରଶାସନ ଏବେ ଯାଏଁ ଅସମର୍ଥ ରହିଛି।

ସମ୍ବନ୍ଧିତ ଖବର