କୋରାପୁଟ: ଆନ୍ଧ୍ରପ୍ରଦେଶର ଆରକୁ ବିଧାୟକ କେ. ସର୍ବେଶ୍ବର ରାଓଙ୍କୁ ହତ୍ୟା ମାମଲାରେ କୋରାପୁଟ ପୁଲିସ ଜଣେ ମାଓବାଦୀଙ୍କୁ ଗିରଫ କରିଛି। ଗିରଫ ମାଓବାଦୀ ଜଣଙ୍କ ହେଲେ ନନ୍ଦପୁର ବ୍ଲକ ପାଡୁଆ ଥାନା କୋଡିଖାଲ ଗ୍ରାମର ଡମ୍ବରୁ ଖିଲ (୨୩ବର୍ଷ)। ଆଜି ସକାଳେ ତାଙ୍କୁ ଗିରଫ କରାଯିବା ପରେ ଏହି ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ହସ୍ତାନ୍ତର କରାଯାଇଛି। ଅପରପକ୍ଷରେ ତାଙ୍କ ଗିରଫଦାରି ଅଂଚଳବାସୀ ବିରୋଧ କରିଛନ୍ତି।
ଆରକୁର ଟିଡିପି ବିଧାୟକ କେ.ସର୍ବେଶ୍ବର ରାଓ ଓ ପୂର୍ବତନ ବିଧାୟକ ଶିଭିରି ସୋମାଙ୍କୁ ମାଓବାଦୀମାନେ ଗତବର୍ଷ ସେପ୍ଟେମ୍ବର ୨୩ ତାରିଖରେ ହତ୍ୟା କରିଥିଲେ। ଆନ୍ଧ୍ରର ଡୁମୁରିଗୁଡା ଥାନା ଲିଭିଟିପୁଟୁ ଗ୍ରାମ ନିକଟରେ ୫୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଏମାନଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ଏହି ମାମଲାର ତଦନ୍ତ ପ୍ରଥମେ ଆନ୍ଧ୍ର ପୁଲିସ କରିଥିଲା। ପରବର୍ତୀ ସମୟରେ ଘଟଣାର ତଦନ୍ତ ଭାର ଏନଆଇଏ ନେଇଥିଲା। ଏନଆଇଏର ଆଦେଶ ଅନୁଯାୟୀ, କୋରାପୁଟ ପୁଲିସ ଆଜି ସକାଳେ ଡମ୍ବରୁ ଖିଲଙ୍କୁ ଗିରଫ କରିଛି। ସେ ଜଣେ ହାର୍ଡକୋର ମାଓବାଦୀ ବୋଲି ଜଣାପଡିଛି। ନନ୍ଦପୁର ଏରିଆ କମିଟି ପାଇଁ ସେ କାମ କରୁଥିବା ସୂଚନା ମିଳିଛି। ବିଧାୟକ ହତ୍ୟା ମାମଲାରେ ସିଧାସଳଖ ସଂପୃକ୍ତି ଥିବା ଜଣାପଡିଛି। ଏ ସଂପର୍କରେ କୋରାପୁଟ ଏସପି ଡ. କନୱର ବିଶାଳ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଡମ୍ବରୁ ଜଣେ ହାର୍ଡକୋର ମିଲିସିଆ। ତାଙ୍କୁ ଆଜି ଗିରଫ କରାଯାଇ ଏନଆଇଏକୁ ହସ୍ତାନ୍ତର କରାଯାଇଛି। ତାଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଜବତ ହୋଇଛି। ଅପରପକ୍ଷରେ ଏହି ମାମଲା ବ୍ୟତୀତ ତାଙ୍କର ଆଉ କୌଣସି ମାମଲାରେ ସଂପୃକ୍ତି ଅଛି କି ନାହିଁ ତାହାର ଖୋଳତାଡ କରାଯାଉଛି ବୋଲି ସେ କହିଥିଲେ।
ଏନଆଇଏ ଆଜି ସନ୍ଧ୍ୟାରେ ଡମ୍ବରୁ ଖିଲଙ୍କୁ କୋରାପୁଟ ଏସଡିଜେଏମଙ୍କ କୋର୍ଟରେ ହାଜର କରାଇଛି। ପରେ ତାଙ୍କୁ ୩ ଦିନିଆ ଟ୍ରାନଜିଟ ରିମାଣ୍ଡରେ ହାଇଦ୍ରାବାଦ ନିଆଯାଇଛି। ଏନେଇ ଡିଜିପି ଆର.ପି ଶର୍ମା କହିଛନ୍ତି ଯେ, ଜବତ ହୋଇଥିବା ମୋବାଇଲରୁ ଗୁମର ପଦାକୁ ଆସିବ। ଅନ୍ୟକେତେକ ମାମଲାରେ ସଂପୃକ୍ତି ଥିବା ନେଇ ଅନୁମାନ କରାଯାଉଥିବାରୁ ତଦନ୍ତ ଜାରି ରହିଛି। ଅପରପକ୍ଷରେ ଡମ୍ବରୁଙ୍କ ଗିରଫଦାରୀକୁ ଚାଟୁଆ ଅଂଚଳବାସୀ ବିରୋଧ କରିଛନ୍ତି। ଆଜି ଅଂଚଳବାସୀ ଏକାଠି ହୋଇ ସଭା କରିବା ସହ ଡମ୍ବରୁ ଜଣେ ନିରୀହ ଲୋକ ବୋଲି ପ୍ରକାଶ କରିଛନ୍ତି। ତାଙ୍କର କୌଣସି ମାଓ ସଂଗଠନ ସହ ସଂପୃକ୍ତି ନାହିଁ। ତାଙ୍କ ମୋବାଇଲ ଫୋନ ଫାଟି ଯାଇଥିବାରୁ ଗୋଟିଏ ସିମ ହଜି ଯାଇଥିଲା। ତେଣୁ ଠିକ ଭାବେ ତଦନ୍ତ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।
ଆରକୁ ବିଧାୟକଙ୍କୁ ହତ୍ୟା ଘଟଣା:ଜଣେ ମାଓବାଦୀ ଗିରଫ
/sambad/media/post_attachments/wp-content/uploads/2019/02/jpr9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)