ଶୋକରେ ବୁଡ଼ିଲା ମସ୍ତିପୁଟ:ଏକା ସାଙ୍ଗରେ ଝିଅ ସହ ବାପା, ମା’ଙ୍କ ଶେଷକୃତ୍ୟ

କୋରାପୁଟ: ଏକା ସାଙ୍ଗରେ ସମା‌ଧି ନେଲେ ଝିଅ ସହ ବାପା, ମା’। ଗୋଟିଏ ଘରେ ଶୋଇଥିବା ବେଳେ ଦୁର୍ଘଟଣାରେ ସେମାନଙ୍କ ଏକା ସାଙ୍ଗରେ ମୃତ୍ୟୁ ହୋଇଥିଲା ବେଳେ ଏକ ସମୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଉ ଏଥିପାଇଁ କୋରାପୁଟ ବ୍ଲକ ମସ୍ତିପୁଟ ଗ୍ରାମ ଶୋକରେ ବୁଡି ଯାଇଛି। ବହୁ ଗ୍ରାମବାସୀଙ୍କ ସମେତ ବିଶିଷ୍ଟ ଲୋକ ମୃତକଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
କୋରାପୁଟ ଜିଲ୍ଲା ଦାମନଯୋଡି ନିକଟ ଭେଜାପୁଟ ଠାରେ ଶୁକ୍ରବାର ରାତି ପ୍ରାୟ ସାଢେ ୨ଟା ସମୟରେ କୋରାପୁଟ ଜିଲ୍ଲା ସେମିଳିଗୁଡାରୁ ଦାମନଯୋଡିକୁ ବାଲି ନେଇ ଯାଉଥିବା ଏକ ଟିପର (ଓଡି-୧୦-ଏ ୭୩୭୭) ଭାରସାମ୍ୟ ହରାଇ ଘର ଉପରେ ଚଢି ଯାଇ ଓଲଟି ପଡିଥିଲା। ଫଳରେ ଘରେ ଶୋଇଥିବା ଆନନ୍ଦ ଖୋସ୍ଲା (୪୦), ପତ୍ନୀ ପଦ୍ମା ଖୋସ୍ଲା (୩୫) ଓ ଝିଅ ଜ୍ୟୋତ୍ସ୍ନା (୯)ଙ୍କ ଉପରେ କାନ୍ଥ ଓ ବାଲି ଚାପି ହୋଇ ଯାଇଥିଲା। ଏଥିରେ ସେମାନଙ୍କ ମୃତ୍ୟୁ ‌ହୋଇଥିଲା। ଗତକାଲି ମୃତିଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ  ସକାଳେ ସେମାନଙ୍କ ପୈତୃକ ଗ୍ରାମ କୋରାପୁଟର ମସ୍ତିପୁଟରେ ଶେଷକୃତ୍ୟ କରାଯାଇଛି। ଏକା ସାଙ୍ଗରେ ପରିବାରର ୩ ଜଣ ସଦସ୍ୟଙ୍କୁ ସମାଧି ଦିଆଯାଇଥିଲା। ଏହାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା। ପରିବାର ୩ଜଣ ସଦସ୍ୟଙ୍କ ଏକା ସାଙ୍ଗରେ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରି ପାରି ନ ଥିଲେ। ପରିବାରରେ ଏକ ମାତ୍ର ସଦସ୍ୟ ଭାବେ ଆନନ୍ଦଙ୍କ ପୁଅ ଅବିନାଶ ସୌଭାଗ୍ୟ ବଶତଃ ବଂଚି ଯାଇଥିଲା ବେଳେ ତାଙ୍କୁ ସମସ୍ତେ ସମବେଦନା ଜଣାଇଛନ୍ତି। ଆଜି କୋରାପୁଟ ବିଧାୟକ ରଘୁରାମ ପଡାଲ, ବିଜେଡି ନେତା ରଘୁରାମ ମାଛ, ଜିଲ୍ଲା ପରିଷଦ ସଭାପତି ତୁଳସୀ କିରସାନି, ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି, ଜେଇଏଲସି ସିନେଟ ଅଧ୍ୟକ୍ଷ ବାବୁଲା ବେନିଆ, ଜେଇଏଲସି କେନ୍ଦ୍ରୀୟ ଅଧ୍ୟକ୍ଷ ବିଧାନ ନାୟକ, ତ୍ରିନାଥ ପାତିକା ପ୍ରମୁଖ ଗାଁକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଶେଷକୃତ୍ୟରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର