ରାସ୍ତାରେ ମହିଳାଙ୍କୁ ନିର୍ଘାତ ମାଡ, ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି

0 295

କୋରାପୁଟ : ଜଣେ ମହିଳାଙ୍କୁ ରାସ୍ତା ଉପରେ ନିର୍ଘାତିଆ ମାଡ। ପୁଣି ଜଣେ କି ଦୁଇ ଜଣ ନୁହେଁ, ୫ଜଣ ମିଶି ପିଟିଲେ। ଫଳରେ ମହିଳା ଜଣଙ୍କ ଗୁରୁତର ଭାବେ ଆହତ ହୋଇ ଏବେ କୋରାପୁଟ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାଟି ଘଟିଛି କୋରାପୁଟ ସଦର ଥାନା ଅନ୍ତର୍ଗତ ଏ.ମାଲକାନ୍‌ଗିରି ଗ୍ରାମରେ।

ସୂଚନା ଅନୁସାରେ ଷ୍ଟିଫେନ ପାଣିଗ୍ରାହୀଙ୍କ ପତ୍ନୀ ବିମଳା ପାଣିଗ୍ରାହୀ ଆଜି ଆଧାର କାର୍ଡ ପାଇଁ ଗଉଡ ସାହିକୁ ଯାଇଥିଲା ବେଳେ ସେଠାରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ପୂର୍ବ ଶତ୍ରୁତା କାରଣରୁ ଦୀନବନ୍ଧୁ ପାଇକ, ମୁନା ପାଇକ, କୃଷ୍ଣଚନ୍ଦ୍ର ପାଇକ, ହୀରା ପାଇକ ଓ ସବିତା ପାଇକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେମାନେ ରାସ୍ତା ଉପରେ ମହିଳାଙ୍କୁ ଟଣା ଓଟରା କରିବା ସହ ନିର୍ଦ୍ଧୁମ ଛେଚିଥିଲେ। ତଳେ ପକାଇ ବାଡେଇଥିଲେ। ଫଳରେ ମହିଳାଙ୍କୁ ଗୁରୁତର ଆଘାତ ଲାଗିଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗି ଥିବାରୁ କୋରାପୁଟ ବଡ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏଥିନେଇ ବିମଳାଙ୍କ ପରିବାର ପକ୍ଷରୁ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ୭୮/୧୮ରେ ଏକ ମାମଲା ରୁଜୁ କରିଛି।

ଅପରପକ୍ଷରେ ବିମଳା ଓ ତାଙ୍କ ଭାଇ ଦୈତାରି ଗୌଡଙ୍କ ନାମରେ ପାଲଟା ଅଭିଯୋଗ ହୋଇଛି। ଏମାନେ ସେମାନଙ୍କ ଘରକୁ ଟେକା ପଥର ଫିଙ୍ଗିଥିବା ଅଭିଯୋଗ କରାଯାଇଛି। ଅଭିଯୋଗ ଆଧାରରେ ପୁଲିସ ୭୯/୧୮ରେ ଏକ ମାମଲା ରୁଜୁ କରିଛି। ଏସଆଇ ନଟବର ନନ୍ଦଙ୍କ ସୂଚନା ଅନୁସାରେ, ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଜମିଜମା ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.