ହାଲ ଠକେଇ ମାମଲାରେ ଭବେନ ଅଟକ

କୋରାପୁଟ: ସୁନାବେଡା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମଟେଡ (ହାଲ) ମହାଦୁର୍ନୀତି ଘଟଣାରେ ସିବିଆଇ ଜଣଙ୍କୁ ଅଟକ ରଖିଛି। ଏହି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ହାଲ ଅର୍ଥ ବିଭାଗର ବରିଷ୍ଠ ମ୍ୟାନେଜର ଭବେନ ମୈତ୍ରାଙ୍କୁ ସିବିଆଇ ଅଟକ ରଖି ପଚରାଉଚୁରା କରୁଛି। ଏହି ମାମଲାରେ ତାଙ୍କ ପାଖରୁ ବେଶ କିଛି ତଥ୍ୟ ସିବିଆଇକୁ ମିଳିବ ବୋଲି ଅନୁମାନ କରାଯାଉଛି। ଜାଲ ଭାଉଚର ଦେଇ ସୁନାବେଡା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ୍)ରେ କୋଟି କୋଟି ଟଙ୍କା ହଡପ କରାଯାଇଥିବା ଗତ ଅକ୍ଟୋବର ମାସରେ ସାମ୍ନାକୁ ଆସିଥିଲା। ହାଲ ଫାଇନାନ୍ସ ବିଭାଗରେ କାମ କରୁଥିବା ସିନିଅର୍ ମ୍ୟାନେଜର ଭବେନ ମୈତ୍ରା ବ୍ୟାପକ ଜାଲିଆତି କରିଥିବା ନେଇ ଅଭିଯୋଗ ଆସିଥିଲା। ତାଙ୍କର ୫ ଲକ୍ଷ ଟଙ୍କା ଯାଏ ବିଲ୍ ପୈଠ କରିବାର କ୍ଷମତା ଥିବା ବେଳେ ସେ ଗତ କିଛି ବର୍ଷ ହେବ ବିଭିନ୍ନ ସମୟରେ ଫଲସ୍ ବିଲ୍ କରି ଟଙ୍କା ହଡପ କରି ଆସୁଥିଲେ। ଅଡିଟ୍ ସମୟରେ ଏହା ଜଣା ପଡିବା ପରେ ଛାନଭିନ ଆରମ୍ଭ କରିଥିଲେ ହାଲ କର୍ତ୍ତୃପକ୍ଷ। ବିଲ୍ ପୈଠ ହୋଇଥିବା କାମ ଗୁଡିକର ଭାଉଚର ଓ ଅନ୍ୟାନ୍ୟ କାଗଜପତ୍ର ଦେବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ହେଲେ ସେ କୌଣସି କାଗଜପତ୍ର ଦେଇ ପାରିନଥିଲେ। ହାଲ୍ ନିର୍ବାହୀ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ମୈତ୍ରାଙ୍କୁ ଅଡିଟ୍ ଟିମ୍ ଓ ଇଣ୍ଟରନାଲ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ପଚରା ଉଚୁରା କରା ଯାଇଥିଲା। ସମସ୍ତ ଭାଉଚର ନେଇ ତାଙ୍କୁ ଅଫିସକୁ ଆସିବା‌ ପାଇଁ ତାଙ୍କୁ କୁହା ଯାଇଥିଲେ ମଧ୍ୟ ସେ ଅଧିକାରୀଙ୍କୁ ଚକମା ଦେଇ ଫେରାର୍ ହୋଇ ଯାଇଥିଲେ। ସେହିଦିନ ଠାରୁ ସେ ଫେରାର ଥିଲା ବେଳେ ତାଙ୍କୁ ଗିରଫ କରିବା ପାଇଁ ପୁଲିସ ଓ ସିବିଆଇ ଲାଗି ପଡିଥିଲା। ତେବେ ତାଙ୍କ ଖୋଜ ଖବର ପାଇ ନ ଥିଲା। ସେ ଏବେ ସିବିଆଇ ପାଖରେ ଆତ୍ମ ସମର୍ପଣ କରିବା ପରେ ତାଙ୍କୁ ଅଟକ ରଖି ପଚରାଉଚୁରା ଚାଲିଥିବା ଜଣାପଡିଛି। ତେବେ ଏଥିନେଇ ପୁଲିସ ଓ ସିବିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
ହାଲରେ ପାଖାପାଖି ୧୩ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କର୍ତ୍ତୃପକ୍ଷ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ସିବିଆଇ ୫ଟି ମାମଲା ରୁଜୁ କରିଥିଲା। ଅଭିଯୋଗପତ୍ରରେ ହାଲ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁସାରେ ୨୦୧୩ରେ ୧୩.୧୧ ଲକ୍ଷ ଟଙ୍କା, ୨୦୧୪ରେ ୧୮୬.୧୯ ଲକ୍ଷ ଟଙ୍କା, ୨୦୧୫ରେ ୧୭୧.୪୫ ଲକ୍ଷ ଟଙ୍କା, ୨୦୧୬ରେ ୧୭୯.୩୯ ଲକ୍ଷ ଟଙ୍କା ଓ ୨୦୧୭ରେ ୭୭୮.୫୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି। ଆଉ ସବୁ ଠକେଇରେ ସିନିଅର୍ ମ୍ୟାନେଜର ଭବେନ ମୈତ୍ରାଙ୍କ ସଂପୃକ୍ତି ରହିଛି। ଏହା ସହିତ ଫାଇନାନ୍ସ ବିଭାଗର ଆସିଷ୍ଟାଣ୍ଡ ଅବିନାଶ କୁମାର ସରକାର, ଠିକା କର୍ମଚାରୀ ଶୁଭଶ୍ରୀ ଦାଶ, ମଂଜୁଳା ପାଢୀ, ପୂର୍ବତନ ଠିକା କର୍ମଚାରୀ ଜ୍ୟୋତି ପାଢୀ ମଧ୍ୟ ବର୍ଷ ବର୍ଷ ଧରି ଚାଲିଥିବା ଏହି ଠକେଇରେ ସାମିଲ ଥିଲେ। ସେହିପରି ଠିକ‌ାଦାର ବିପ୍ର ଚରଣ ମହାରଣା, ଉଦ୍ଧବ ଖୋସଲା, ସଦାନନ୍ଦ ନାୟକ, ଯୀଶୁଦାନ ଖୋସଲା, ଜୟରାମ ଗରଡା ଓ ଜଗନ୍ନାଥ ଆପଟଙ୍କ ସଂପୃକ୍ତି ଥିବା ପ୍ରମାଣ ମିଳିଥିବା ହାଲ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସିବିଆଇ ପୂର୍ବରୁ ଏକାଧିକ ଅଧିକାରୀଙ୍କୁ ପଚରାଉଚୁରା କରିଥିଲା‌ ବେଳେ ଏବେ ଭବେନଙ୍କ ପାଖରୁ ବହୁ ତଥ୍ୟ ମିଳିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର