ଶ୍ବଶୁରଙ୍କୁ ହତ୍ୟା କଲା ବୋହୂ

ଜୟପୁର: ଶ୍ବଶୁରଙ୍କୁ ହତ୍ୟା କଲା ବୋହୂ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବାଟଜଗନ୍ନାଥପୁର ଗାଁରେ। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ହତ୍ୟା ପରେ ବୋହୂ ସେଠାରୁ ଫେରାର ହୋଇଥିଲେ। ଗ୍ରାମବାସୀଙ୍କ ଠାରୁ ଖବର ପାଇ ଜୟପୁର ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପରେ ମୂଳାସର ଗାଁରେ ଚଢାଉ କରି ହତ୍ୟାକାରୀ ବୋହୂ ହୀରାମଣି ଜାନିଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ଜୟପୁର ସଦର ଥାନା ଅନ୍ତର୍ଗତ ବାଟଜଗନ୍ନାଥପୁର ଗ୍ରାମର ଚକ୍ର ଜାନି(୫୦) ଗତକାଲି ଏକ ବିବାହ ଭୋଜିରେ ଯୋଗଦେବାକୁ ନିଜ ନାତିନାତୁଣୀଙ୍କୁ ଡାକିଥିଲେ। କିନ୍ତୁ ବୋହୂ ହୀରା ପୁଅ ଝିଅଙ୍କୁ ଜେଜେଙ୍କ ସହ ଛାଡି ନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ତୀବ୍ର ପାଟିତୁଣ୍ଡ ହୋଇଥିଲା। ରାତିରେ ସବୁ ଖାଇପିଇ ଶୋଇଥିବା ବେଳେ ମାରଣାସ୍ତ୍ରରେ ହୀରା ଶ୍ବଶୁରଙ୍କୁ ଆକ୍ରମଣ କରି ସେଠାରୁ ଚମ୍ପଟ ମାରିଥିଲେ। ପ୍ରତ୍ୟୁଷରୁ ତାଙ୍କ ଘରର କବାଟ ଖୋଲାଥିବା ଦେଖି ପଡ଼ୋଶୀ ମାନଙ୍କର ସନ୍ଦେହ ହୋଇଥିଲା। ପ୍ରକୃତ ଘଟଣା ଜାଣିବାକୁ ଘର ଭିିତରକୁ ଯାଇ ଚକ୍ରଙ୍କର ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଜୟପୁର ସଦର ଥାନା ଅଧୀନ ଆମ୍ବାଗୁଡ଼ା ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସେଠାରେ ବୋହୂ ହୀରାମଣି ଅନୁପସ୍ଥିତ ଥିବା କାରଣରୁ ସନ୍ଦେହ କରି ମୂଳାସର ଗାଁରେ ଚଢାଉ କରି ଥାନାକୁ ଆଣି ଅଟକ ରଖି ପଚାରୁ ଉଚୁରା କରିଥିଲା। ପଚରା ଉଚୁରା ବେଳେ ହୀରାମଣି ଘଟଣାକୁ ସ୍ବୀକାର କରିଛି। ଗତକାଲି ରାତିରେ ସମସ୍ତେ ଖାଇପିଇ ଶୋଇଥିବା ବେଳେ ହୀରାମଣି ଏକ ମାରଣାସ୍ତ୍ରରେ ଚକ୍ରଙ୍କୁ ହାଣି ହତ୍ୟା କରିଥିବା ପୁଲିସ ନିକଟରେ ସ୍ବୀକାର କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ଏସଡିପିଓ ସାଗରିକା ନାଥ ଏବଂ ସଦରଥାନା ଦାୟିତ୍ବରେ ଥିବା ଡିଏସପି ସ୍ନେହାଶିଷ ସାହୁ କହିଛନ୍ତି। ଏସଂପର୍କରେ ଥାନାରେ କେସ୍ ନଂ-୩୩/୧୯ରେ ଏକ ହତ୍ୟା ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଏସଡିପିଓ ସାଗରିକା ନାଥ କହିଛନ୍ତି।

ସମ୍ବନ୍ଧିତ ଖବର