ବୁଲିଲା ବୁଲଡୋଜର: ବେଆଇନ ନିର୍ମାଣ ଗୁଣ୍ଡ

କୋରାପୁଟ: ଶେଷରେ ବୁଲିଛି ବୁଲଡୋଜର। ବହୁ ବେଆଇନ ନିର୍ମାଣକୁ ଗୁଣ୍ଡ କରି ହଟାଇଛି। ଆଜି ଜଗନ୍ନାଥ ମନ୍ଦିର ଛକରୁ ବାଳିକା ଉଚ୍ଚ ବିଦ୍ୟାଳୟ ଛକ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଇଥିଲା ବେଳେ ବହୁ ଘର ଓ ଦୋକାନ ବୁଲଡୋଜର ମୁହଁରେ ପଡିଛି। ଆସନ୍ତାକାଲି ପୂଜାରୀପୁଟ ଅଂଚଳରେ ଜବରଦଖଲ ହଟାଯିବ ବୋଲି ସୂଚନା ମିଳିଛି।
କୋରାପୁଟରେ ମେଡିକାଲ କଲେଜ ହେବା ପରେ ଏହାକୁ ସଂଯୋଗ କରୁଥିବା ୪ଟି ପ୍ରମୁଖ ରାସ୍ତାକୁ ପ୍ରଶସ୍ତୀକରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ୪ଟି ରାସ୍ତାର ନିର୍ମାଣ ଦାୟିତ୍ବ ପୂର୍ତ୍ତ ବିଭାଗକୁ ଦିଆଯାଇଥିଲା ବେଳେ କାମ ଆରମ୍ଭ ହୋଇ ଯାଇଛି। ତେବେ ଅଧିକାଂଶ ଅଂଚଳରେ ରାସ୍ତା ଜବରଦଖଲରେ ଥିବାରୁ ନିର୍ମାଣରେ ବାଧା ପହଞ୍ଚିଥିଲା। ତେଣୁ ଜବରଦଖଲ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲା ପ୍ରଶାସନ। ଏଥିନେଇ ମପାଚୁପା କରିବା ପରେ ଲୋକମାନେ ନିଜ ଘର ନିଜେ ଭାଙ୍ଗିବା ଆରମ୍ଭ କରି ଦେଇଥିଲେ। ଯେଉଁମାନେ ଭାଙ୍ଗି ନ ଥିଲେ ଆଜି ବୁଲଡୋଜର ଭାଙ୍ଗି ଦେଇଥିଲା। ଜଗନ୍ନାଥ ମନ୍ଦିର ଛକ ପାଖରେ ଥିବା ବେଆଇନ ଦୋକାନ ଓ ଘର ଗୁଡିକୁ ଭାଙ୍ଗିଥିଲା ପ୍ରଶାସନ। ଭାଣ୍ଡି ସାହି ଦେଇ ଆଜି ବାଳିକା ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଜବରଦଖଲ ଉଛେଦ କରାଯାଇଥିଲା। ଏହା ଭିତରେ ବହୁ ବଡ ବଡ ଘର ଓ ଅନେକ ଛୋଟ ଦୋକାନ ବୁଲଡୋଜର ମାଡରେ ଗୁଣ୍ଡ ହୋଇଯାଇଥିଲା।
ଜବରଦଖଲ ଉଚ୍ଛେଧ ସମୟରେ ଭାଣ୍ଡିସାହିରେ ଉତ୍ତେଜନା ପ୍ରକାଶ ପାଇଥିଲା। କେତେ ଦୂର ପର୍ଯ୍ୟନ୍ତ ଉଚ୍ଛେଦ ହେବ ତାକୁ ନେଇ ଦୁଇ ଜଣ ଲୋକ ମୁହାଁମୁହିଁ ହୋଇଥିଲେ। ପରେ ଯୁକ୍ତିତର୍କ କରିବା ସହ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଅପରପକ୍ଷରେ ପ୍ରଶାସନ ବିରୋଧରେ ଲୋକମାନଙ୍କ ଅସନ୍ତୋଷ ରହିଥିଲେ ମଧ୍ୟ କେହି ମୁହଁ ଖୋଲିବାକୁ ସାହସ କରି ପାରି ନାହାନ୍ତି। ବରଂ ପ୍ରଶାସନର ଉଚ୍ଛେଦକୁ କଷ୍ଟରେ ସହି ନେଇଛନ୍ତି। ଅପରପକ୍ଷରେ ଆସନ୍ତାକାଲି ପୂଜାରୀପୁଟରେ ଜବରଦଖଲ ଉଚ୍ଛେଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ସହରର ଏହା ପ୍ରମୁଖ ଅଂଚଳ ହୋଇଥିବାରୁ ଏବଂ ବହୁ ବିଶିଷ୍ଟ ଲୋକ ଏଥିରେ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି। ପୂଜାରୀପୁଟ ପରେ ସହରର ଅନ୍ୟ ଅଂଚଳରେ ଉଚ୍ଛେଦ ଅଭିଯାନ ଚାଲିବ। କୋରାପୁଟ ସହରର ପିଏଚଡି ପମ୍ପ ହାଉସରୁ ଡିଏନକେ ଛକ ଦେଇ ଏସପିଙ୍କ ବାସଭବନ ପଛ ପଟ ରାସ୍ତା, ଜଗନ୍ନାଥ ମନ୍ଦିର ଛକଠାରୁ ପୂଜାରୀପୁଟ ଦେଇ ମେଡିକାଲ କଲେଜ, ସିନେମା ହଲ ଛକରୁ ପୁଚିଲା ସାହି ଦେଇ ମେଡିକାଲ କଲେଜ, ବାଟମଙ୍ଗଳା ଛକରୁ ମେଡିକାଲ କଲେଜ ରାସ୍ତାରେ ଥିବା ବେଆଇନ ନିର୍ମାଣ ଗୁଡିକୁ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର