୧୩ କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ‘ହାଲ୍‌’ର ବରିଷ୍ଠ ପରିଚାଳକଙ୍କ ସମେତ ୫ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ଜୟପୁର: କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିବିଆଇ) ମଙ୍ଗଳବାର କୋରାପୁଟ ଜିଲ୍ଲାର ସୁନାବେଡ଼ା ଠାରେ ଥିବା ହିନ୍ଦୁସ୍ଥାନ ଏରୋନେଟିକ୍‌ ଲିମିଟେଡ୍‌ (ହାଲ୍‌)ର ବରିଷ୍ଠ ପରିଚାଳକଙ୍କ ସମେତ ୫ ଜଣ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ରିପୋର୍ଟ ଅନୁସାରେ ୧୩ କୋଟି ଟଙ୍କା ହେରଫେର ଘଟଣାରେ ସିବିଆଇ ଏହି କର୍ମଚାରୀମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସୂଚନା ଅନୁସାରେ ହାଲ୍‌ର ଇଞ୍ଜିନ ଡିଭିଜନର ବରିଷ୍ଠ ପରିଚାଳକ ଭାବେନ ମୈତ୍ର ଓ ସଂସ୍ଥାର ଅନ୍ୟ କର୍ମଚାରୀ ଟଙ୍କା ହେରଫେର ଘଟଣା ସହିତ ଜଡ଼ିତ ବୋଲି ସିବିଆଇ କହିଛି। ହାଲ ଦ୍ୱାରା ସିବିଆଇକୁ ଲେଖାଯାଇଥିବା ଚିଠିରେ ୨ଟି ଘରୋଇ କମ୍ପାନୀକୁ ଏହି ଟଙ୍କା ପୈଠ କରାଯାଇଛି। ୨୦୧୫ ଜାନୁଆରି ୧୫ ରୁ ଡିସେମ୍ବର ମଧ୍ୟରେ ବେଆଇନ ଭାବରେ ୧୭୧.୪୫ ଲକ୍ଷ ଟଙ୍କା ଠକେଇ ହୋଇଥିବା ଚିଠିରେ ଉଲ୍ଲେଖ ରହିଛି। ଘରୋଇ କମ୍ପାନୀର ୨ ଜଣ କଣ୍ଟ୍ରାକ୍ଟର ମାଧ୍ୟମରେ ଏହି ଟଙ୍କା ଆତ୍ମସାତ ହୋଇଛି।

ଦୁଇ ଜଣ କଣ୍ଟ୍ରାକ୍ଟରଙ୍କ ନାମ ବିପ୍ର ଚରଣ ମହାରଣା ଏବଂ ଜଗନ୍ନାଥ ଆପଟ ବୋଲି ହାଲ ସିବିଆଇକୁ ଚିଠି ଲେଖିଛି। କୋରାପୁଟ ଜିଲ୍ଲାର ସୁନାବେଡା ହାଲ୍‌ ଇଞ୍ଜିନ ଡିଭିଜନର ଆସିଷ୍ଟାଣ୍ଟ (ଫାଇନାନ୍ସ ଏବଂ ଆକାଉଣ୍ଟସ୍‌) ଅବିନାଶ କୁମାର ସରକାର ମଧ୍ୟ ଦୁର୍ନୀତି ସହିତ ଜଡ଼ିତ ଅଛନ୍ତି। ସୂଚନାଯୋଗ୍ୟ ସିବିଆଇ ପକ୍ଷରୁ ୨୦୧୮ ଅକ୍ଟୋବରରେ ହାଲ କର୍ମଚାରୀଙ୍କ ଅଫିସ୍‌ ସମେତ ସୁନାବେଡ଼ାର ୧୨ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ କିଛି ସିବିଆଇ କିଛି କର୍ମଚାରୀଙ୍କୁ ପଚରାଉଚରା ମଧ୍ୟ କରିଥିଲା।

ସମ୍ବନ୍ଧିତ ଖବର