ଆସୁଛନ୍ତି ମୁଖ୍ୟମନ୍ତ୍ରୀ :୪ଟି ସଭା ସହ କରିବେ ରୋଡ ସୋ’

କୋରାପୁଟ/ଜୟପୁର: କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ କୋରାପୁଟ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସେ କୋରାପୁଟ ଜିଲ୍ଲାରେ ୪ଟି ସାଧାରଣ ସଭାରେ ଉଦବୋଧନ ଦେବା ସହ ଜୟପୁରରେ ରୋଡ ସୋ’ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ବିଜେଡି ଶିବିର ଉତ୍ସାହିତ ହୋଇ ପଡିଥିଲା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିଲା ବେଳେ ବିଜେପି ଓ କଂଗ୍ରେସର ତୁଙ୍ଗ ନେତା ଏଠାରେ ପ୍ରଚାର କରି ଦଳ ପାଇଁ ଭୋଟ ମାଗିଛନ୍ତି। ଉଭୟ ଦଳର ନେତା ଜୟପୁରରେ ସାଧାରଣସଭା କରି ଦଳ ସପକ୍ଷରେ କହିବା ସହ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ବିଜେଡି ଏହାର ଜବାବ କିପରି ଦେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଥିଲା। ତେଣୁ ଆସନ୍ତାକାଲି ପ୍ରଚାରର ମଙ୍ଗ ଧରିବେ ଖୋଦ ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଏକ ସ୍ବତନ୍ତ୍ର ବିମାନ ଯୋଗେଁ ଜୟପୁର ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ହେଲିକପ୍ଟର ଯୋଗେ ମାଲକାନଗିରି ଯିବେ। ସେଠାରେ ସଭା ସାରି ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ। ପରେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଯାଇ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୩ଟାରେ କୋରାପୁଟର ଡୁମୁରୀପୁଟ ଠାରେ ସାଧାରଣ ସଭା କରିବେ। ପରେ ଜୟପୁର ଯାଇ ସେଠାରେ ସାଧାରଣ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଏହାପରେ ସହରରେ ଏକ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଆଜି ହାଇଟେକ୍ ବସ ଜୟପୁରରେ ପହଚିଂବା ପରେ ଏଠାରେ ଏହାର ମକ୍ ଡ୍ରିଲ କରାଯାଇଥିଲା। ଏହି ବସକୁ ଦେଖିବାକୁ ଲୋକଙ୍କ ଭିଡ଼ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ବିଜେଡି ଶିବିର ଚଳଚଞ୍ଚଳ ହୋଇ ଉଠିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ବେଶ ସଫଳତା ମିଳିବ ବୋଲି ଆଶା ଦଳ ଆଶା ରଖିଛି। ଏଥିପାଇଁ ସଭାକୁ ସଫଳ କରିବା ପାଇଁ ନେତାମାନେ ପୂରା ଦମ ‌ଲଗାଇ ଦେଇଛନ୍ତି। ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀଙ୍କ ନେତୃତ୍ବରେ ଅନ୍ୟ ନେତାମାନେ ପ୍ରସ୍ତୁତିର ତଦାରଖ କରୁଛନ୍ତି। ଏହା ସହ ବିଭିନ୍ନ ସ୍ଥାନରେ ବିଧାୟକ ପ୍ରାର୍ଥୀମାନେ ପ୍ରସ୍ତୁତି ଚଳାଇଛନ୍ତି। ଏପଟେ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାଶ ପ୍ରମୁଖ କୋରାପୁଟରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଦ୍ବିତୀୟ ପର୍ଯ୍ୟାୟରେ କୋଟପାଡ ନିର୍ବାଚନ ମଣ୍ଡଳୀର କୁନ୍ଦୁରା ନିକଟରେ ସ‌ାଧାରଣ ସଭା କରିବାର କାର୍ଯ୍ୟକ୍ରମ ରହିଥିବା ଦଳୀୟ ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧିତ ଖବର