୧୫କୋଟିର ଟେଣ୍ଡର ଫିକ୍ସିଂ : ଠିକାଦାର ଗିରଫ

ଜୟପୁର : ୧୫କୋଟିରୁ ଊର୍ଧ୍ୱ ଟଙ୍କାର ଟେଣ୍ଡର ଫିକ୍ସିଂ ମାମଲାରେ ସ୍ପେଶାଲ କ୍ଲାସ୍‌ ଠିକାଦାର କାଳୀ ପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି ଜୟପୁର ଟାଉନ ଥାନା ପୁଲିସ। ଜୟପୁର ପୁରୁଣାଗଡ଼ ଅଞ୍ଚଳରୁ ତାଙ୍କୁ ଆଜି ରାତି ପ୍ରାୟ ୯ଟାରେ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ହୋଇଥିବା ଟେଣ୍ଡର ଫିକ୍ସିଂ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୧୦୯ଟି ନୂତନ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା। ସେଥିମଧ୍ୟରୁ ବନ୍ଧୁଗାଁ ବ୍ଲକରେ ୧୨ଟି, ବୈପାରିଗୁଡା ୨୧ଟି, ଦଶମନ୍ତପୁର ବ୍ଲକରେ ୫ଟି, କୋରାପୁଟ ବ୍ଲକରେ ୩ଟି, କୁନ୍ଦୁରା ବ୍ଲକରେ ଗୋଟିଏ, ଲମତାପୁଟ ବ୍ଲକରେ ୯ଟି, ଲକ୍ଷ୍ମୀପୁର ବ୍ଲକରେ ୧୩ଟି, ନନ୍ଦପୁର ବ୍ଲକରେ ୯ଟି, ନାରାୟଣପାଟଣା ବ୍ଲକରେ ୨୧ଟି, ସେମିଳିଗୁଡା ବ୍ଲକରେ ୧୫ଟି ରାସ୍ତା ନିର୍ମାଣ ହେବାକୁ ନିର୍ଧାରିତ ହୋଇଥିଲା। ଉପରୋକ୍ତ ପ୍ରକଳ୍ପ ଗୁଡିକର ମୋଟ ବ୍ୟୟବରାଦ ୧୫କୋଟିରୁ ଊର୍ଧ୍ୱ ରହିଥିଲା। ସୁନାବେଡ଼ା ଦକ୍ଷିଣ ମଣ୍ଡଳ ଆର.ଡବ୍ଲୁ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନ୍‌ଲାଇନ୍‌ରେ ଚଳିତ ମାସ ୧୨ରୁ ୨୬ତାରିଖ ମଧ୍ୟରେ ଟେଣ୍ଡର ପେପର ଦାଖଲ କରିବାକୁ ଆହ୍ଵାନ କରାଯାଇଥିଲା। ଆସନ୍ତା ୨୭ତାରିଖ ଦିନ ଟେଣ୍ଡର ଖୋଲା ହୋଇ ଠିକାଦାରଙ୍କ ନାମ ଘୋଷଣା କରାଯିବାକୁ ଥିଲା। ତେବେ ଟେଣ୍ଡର ଖୋଲିବା ପୂର୍ବରୁ ଏହି କାମ ଗୁଡିକ ପାଇଁ ଠିକାଦାର କାଳୀ ପ୍ରସାଦ ମିଶ୍ର ଟେଣ୍ଡର ଫିକ୍ସିଂ କରିଥିବା ଅଭିଯୋଗ ହୋଇଥିଲା। ଶେଷରେ ପୁଲିସ ଆଜି ନିଜ ଆଡୁ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର