ପରମ୍ପରା ପାଇଁ ଅପରାଧ

ଥାନା ଭିତରେ ପୁଲିସକୁ ମାଡ଼, ୨ କୋର୍ଟ ଚାଲାଣ

ଜୟପୁର: ଦକ୍ଷିଣ ଓଡିଶାରେ ଦଶହରା ପରଠାରୁ ଆରମ୍ଭ ହୋଇଯାଉଛି ଜୁଆ ଖେଳ। ପରମ୍ପରା ଆଳରେ କୁମାର ପୂର୍ଣ୍ଣିମା ଅବସରରେ ହେଉଛି ବେଧଡ଼କ ଜୁଆ ଖେଳ। ଆଉ ଏହି ଜୁଆ ଖେଳକୁ ନେଇ ଘଟୁଛି ବହୁ ଅପରାଧ। ଏଭଳି କି ଜୁଆ ବନ୍ଦ ପାଇଁ ଚଢ଼ାଉ କରୁଥିବା ପୁଲିସକୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଜୁଆଡି।  ଗତକାଲି ଜୁଆ ଆଡ୍ଡାରୁ ଧରାପଡିଥିବା କିଛି ଲୋକ ଜୟପୁର ଥାନା ପରିସରରେ ପୁଲିସକୁ ଆକ୍ରମଣ କରିଥିବା ମଧ୍ୟ ସୂଚନା ମିଳିଛି। ଏହି ଘଟଣାରେ ପୁଲିସ ଗୌର ମିଶ୍ର ଏବଂ ଗଙ୍ଗାଧର ମିଶ୍ରଙ୍କୁ ଆଜି କୋର୍ଟ ଚାଲାଣ କରିଛି। ପରମ୍ପରାଗତ ଭାବେ ପୂର୍ଣ୍ଣମୀ ଅବସରରେ ସାଙ୍ଗସାଥୀ ମେଳ ହୋଇ ମଉଜ ମଜଲିସ କରିବା ପାଇଁ ତାସ ଖେଳିଥାନ୍ତି। ଲୋକଙ୍କ ଏହି ମଉଜ ଏବେ ଅପରାଧ ରୂପ ନେଲାଣି। ବିନା କାରଣରେ ଅପରାଧୀ ସାଜିଲେଣି। ଏଭଳି ଖେଳ ଉପରେ ଚଢ଼ାଉ ବେଳେ ପୁଲିସକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଗତକାଲି କୁମାର ପୂର୍ଣ୍ଣମୀର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିଲା। ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ସମସ୍ତ ମଜାକୁ ସଜାରେ ପରିଣତ କରିଦେଇଥିଲା। ଏପଟେ ଜୁଆଡିଙ୍କ ଧରିବା କାରଣରୁ ପୁଲିସ ମାଡ ଖାଇଥିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।  ପ୍ରକାଶଥାଉକି, ଜୟପୁର ଟାଉନଥାନା ପକ୍ଷରୁ ଗତକାଲି ରାତିରେ ୮ଟି ଜୁଆ ଆଡ୍ଡା ଗୋପବନ୍ଧୁ ନଗର, ଭୁପତି ସାହି, ଗଡିଆ ଧୋବା ସାହି, ନୁଆ ସାହି ଅଞ୍ଚଳରେ ଚଢାଉ କରାଯାଇଥିଲା। ଏହିସବୁ ସ୍ଥାନରୁ ୩୫ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ବ୍ୟକ୍ତି ମାନଙ୍କ ମଧ୍ୟରେ ବହୁ ବ୍ୟବସାୟୀ ଥିବା ଜଣାପଡିଛି। ସେହିପରି ସଦରଥାନା ପୁଲିସ ଗତକାଲି ରାତିରେ ଆମ୍ବାଗୁଡା, ଫାମ୍ପୁଣି ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି ୮ହଜାର ୫ଶହ ଟଙ୍କା ଜବତ କରିଥିଲା। ଗତକାଲି ରାତିରୁ ଏହି ଗିରଫଦାରୀ ଆରମ୍ଭ ହେବା ପରେ ଥାନାରେ ସଂପର୍କୀୟଙ୍କ ଭିଡ ଜମିଥିଲା। କେତେକ ଆତ୍ମୀୟଙ୍କୁ ଖାଇବା ପାଇଁ ମଧ୍ୟ ଆଣିଥିଲେ। ସେହିପରି ଗତକାଲି ରାତିରେ ପୁଲିସ ଅଧିକାରୀ ଶିବ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ଗଡିଆ ଧୋବାସହିରେ ଚଢାଉ କରି ଜୁଆଡିଙ୍କୁ ଥାନାକୁ ଆଣିବା ପରେ ଜୁଆଡିଙ୍କ ସଂପର୍କୀୟ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏପରିକି ପୁଲିସ ଅଧିକାରୀ ଶିବ ସାହୁଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା। ସେହିପରି ଜୟପୁର ସଦର ପୁଲିସ କର୍ମଚାରୀ ୩ଟି ମୋଟର ସାଇକଲରେ ଫାମ୍ପୁଣିରେ ଚଢାଉ ବେଳେ ସାଧା ପୋଷାକରେ ଥିବାରୁ ଜାଣି ନପାରି ଲୋକେ ନିସ୍ତୁକ ପିଟିଥିଲେ। ପରମ୍ପରା ନାମରେ ଜୁଆ ଖେଳ ହେଉଥିବା ବେଳେ ଏହାକୁ ନେଇ ଅପରାଧ ଘଟୁଥିବାରୁ ଲୋକଙ୍କୁ ସେଚତନ କରାଯିବା ଜରୁରି ହୋଇପଡିଛି।

ସମ୍ବନ୍ଧିତ ଖବର