କ୍ରସର ବନ୍ଦ ପାଇଁ ଦାବି

ନନ୍ଦପୁର: ନନ୍ଦପୁର ବ୍ଲକ ବାଡେଲ ପଞ୍ଚାୟତ ଅନ୍ତର୍ଗତ ସିଲପଣ୍ଡି ଗ୍ରାମ ନିକଟରେ ଗୋଟିଏ କ୍ରସର ସ୍ଥାପନ କରାଯାଇଛି। କିନ୍ତୁ ବିନା ଚୁକ୍ତିନାମାରେ ବେଧଡକ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ପଥର ଫୁଟାଇବା ସହ ମେଟାଲ ଓ ଚିପ୍‌ସ ଚାଲାଣ ହେଉଥିବା ବେଳେ ଆଖପାଖ ଚାଷ ଜମି କ୍ଷତିଗ୍ରସ୍ତ ହେଉଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ସୂଚନା ଅନୁସାରେ ସିଲପଣ୍ଡି ଗ୍ରାମ ନିକଟ ପଥର ଖାଦାନକୁ ପ୍ରଶାସନ ପକ୍ଷରୁ ନିଲାମ କରି କ୍ରସର ସ୍ଥାପନ ପାଇଁ ଅନୁମତି ଦିଆଯାଇଛି। କିନ୍ତୁ ପଥର ଖାଦାନ ପାଇଁ ପ୍ରଶାସନ ପକ୍ଷରୁ ଚୁକ୍ତିନାମା କରାଯାଇନଥିବା ବେଳେ ନିଲାମ ନେଇଥିବା କମ୍ପାନି ବେଧଡକ ଭାବେ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ପଥର ଫୁଟାଇବା ସହ ଦିନରାତି ମେଟାଲ ଓ ଚିପ୍‌ସ ଚାଲାଣ ହେଉଥିବାରୁ ନିକଟ ଗ୍ରାମବାସୀ ନିଜ ଜୀବନକୁ ବିପଦ ଥିବା ଅଭିଯୋଗ କରିଛନ୍ତି। ଏହାବ୍ୟତୀତ କ୍ରସର ଯୋଗୁଁ ପରିବେଶ ପ୍ରଦୂଷଣ, ଚାଷ ଜମି କ୍ଷତିଗ୍ରସ୍ତ ସହ ଗାଈଗୋରୁଙ୍କ ଉପରେ କୁପ୍ରଭାବ ପଡୁଥିବା ନେଇ ଅଭିଯୋଗ କରିଛନ୍ତି। ତେଣୁ କ୍ରସର ବନ୍ଦ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ ପାଇଁ ଗ୍ରାମବାସୀ ପ୍ରସ୍ତୁତ ହେଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର