କୋରାପୁଟ ସହରରେ ଡେଙ୍ଗୁ ରୋଗୀ ଚିହ୍ନଟ

କୋରାପୁଟ: କୋରାପୁଟ ସହରରେ ଜଣେ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଚିକିତ୍ସା ନିମନ୍ତେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରାଯାଇଛି। ସହରରୁ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହେବାପରେ ଲୋକଙ୍କ ଭିତରେ ଛନକା ପଶିଛି।
ସୂଚନା ଅନୁଯାୟୀ, କୋରାପୁଟ ପୌର ପାଳିକା ଅନ୍ତର୍ଗତ ନଳଚୁଆଁ ଅଞ୍ଚଳର ଡି. ବାଘଙ୍କ ପତ୍ନୀ ଫୁଲବତୀ ବାଘ ଗତ କିଛି ଦିନ ହେଲା ଜ୍ୱରରେ ପୀଡିତ ଥିଲେ। ଜ୍ୱର ନ କମିବାରୁ ପରିବାର ଲୋକେ ତାଙ୍କୁ କୋରାପୁଟ ଡାକ୍ତରଖାନା ଆଣିଥିଲେ। ଡେଙ୍ଗୁ ପରୀକ୍ଷା କରିବା ପାଇଁ ଡାକ୍ତର ପରାମର୍ଶ ଦେବାପରେ କୋରାପୁଟ ରୋଗ ନିରୂପଣ କେନ୍ଦ୍ରକୁ ପରିବାରବର୍ଗ ରକ୍ତ ନମୁନା ନେଇ ଯାଇଥିଲେ।

ତେବେ ସେଠାରେ ଏଲିଶା ମେସିନର ରିଡର ଓ ଓ୍ଵାସର କାମ କରୁ ନ ଥିବାରୁ ପରିବାରବର୍ଗ ଏକ ଘରୋଇ କ୍ଲିନିକରେ ରକ୍ତ ପରୀକ୍ଷା କରିଥିଲେ। ରକ୍ତ ପରୀକ୍ଷାରୁ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଥିଲା। ଏହାପରେ ରୋଗୀଙ୍କୁ ଡେଙ୍ଗୁ ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ତାଙ୍କ ଚିକିତ୍ସା ଚାଲିଛି ଏବଂ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ଜଣାପଡିଛି। ଅପରପକ୍ଷରେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲଡୁଗାଁର ଲକ୍ଷ୍ମୀଧର ପଣ୍ଡାଙ୍କ ପତ୍ନୀ ପ୍ରଭାତୀ ପଣ୍ଡାଙ୍କୁ ଜ୍ୱର ହେବାରୁ ରକ୍ତ ପରୀକ୍ଷା କରାଯାଇଥିଲା। ପ୍ରଥମେ ସେ ମ୍ୟାଲେରିଆରେ ଆକ୍ରନ୍ତ ହୋଇଥିବା ଜଣାପଡ଼ିଥିଲା। ସେହି ଅନୁଯାୟୀ ଚିକିତ୍ସା କରାଯାଇଥିଲେ ବି ସେ ସୁସ୍ଥ ହୋଇ ନଥିଲେ। ତେଣୁ ପୁଣି ଡେଙ୍ଗୁ ପରୀକ୍ଷା କରାଯାଇଥିଲା। ଏଥର ଡେଙ୍ଗୁ ପଜିଟିଭ ବାହାରିବାରୁ କୋରାପୁଟ ଡାକ୍ତରଖାନାରେ ତାଙ୍କୁ ଭର୍ତି କରାଯାଇଥିଲା। ପରବର୍ତୀ ସମୟରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର