ଦେବଦୂତ ସାଜିଲେ ଡାକ୍ତର :ରକ୍ତ ଦେଇ ରୋଗୀଙ୍କ ଜୀବନ ବଞ୍ଚାଇଲେ

ଜୟପୁର: ଶରୀରରେ ହେମୋଗ୍ଲୋବିନ୍‌ ମାତ୍ରା ଥିଲା ମାତ୍ର ୨.୨ ଗ୍ରାମ। ଯେ କୌଣସି ସମୟରେ ହୃଦଘାତ ହୋଇ ରୋଗୀଙ୍କ ଜୀବନ ଯିବାର ଯଥେଷ୍ଟ ସମ୍ଭାବନା ରହିଥିଲା। ଏଭଳି ସ୍ଥିତିରେ ଜୟପୁର ଡାକ୍ତରଖାନାର ଡାକ୍ତର ବିଭୁତି ଭୂଷଣ ଜେନା ରକ୍ତ ହୀନତାରେ ଶିକାର ଜଣେ ମହିଳା ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ। ରୋଗୀଙ୍କୁ କେବଳ ଚିକିତ୍ସା କରିନଥିଲେ ବରଂ ନିଜର ରକ୍ତଦେଇ ଡାକ୍ତରୀ ସେବାର ମୂଳମନ୍ତ୍ର ସହ ମାନବିକତାର ପରିଚୟ ଦେଇଛନ୍ତି। ଡାକ୍ତରଙ୍କ ଏହି ସାଧୁ ଉଦ୍ୟମ ପାଇଁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।
ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ଗ୍ରାମର ମଣି ଗୋଲରୀ (୨୭) ରକ୍ତ ହୀନତା କାରଣରୁ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲେ। ତେଣୁ ସ୍ୱାମୀ ମଦନ ଗୋଲରୀ ଶୁକ୍ରବାର ଦିନ ବୈପାରିଗୁଡା ମେଡିକାଲକୁ ନେଇଥିଲେ। ଡାକ୍ତର ପରୀକ୍ଷା କରି ରକ୍ତର ଆବଶ୍ୟକତା ରହିଥିବା କହିଥିଲେ। ଜୟପୁର ନେଇ ରକ୍ତ ଦେବା ସହ ଉପଯୁକ୍ତ ଚିକିତ୍ସା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ତେବେ ଆର୍ଥିକ ଅବସ୍ଥା ଭଲ ନଥିବାରୁ ସ୍ୱାମୀ ଜୟପୁର ମେଡିକାଲ ଆଣିପାରି ନଥିଲେ। ବୈପାରିଗୁଡାରୁ ରୋଗଣା ପତ୍ନୀଙ୍କୁ ନେଇ ନିଜ ଘରକୁ ଚାଲି ଯାଇଥିଲେ। ତେବେ ଗତକାଲି ସକାଳେ ଅବସ୍ଥା ବିଗିଡିବାରୁ ବହୁ କଷ୍ଟରେ ଟଙ୍କା ଯୋଗାଡ କରି ଜୟପୁର ମେଡିକାଲ ଆଣିଥିଲେ। ଭେଷଜ ବିଶେଷଜ୍ଞ ଡା. ବିଭୁତି ଭୂଷଣ ଜେନାଙ୍କୁ ଦେଖାଇଥିଲେ। ସେତେବେଳକୁ ମଣିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ରହିଥିଲା। ହିମୋଗ୍ଳୋବିନ ମାତ୍ରା ୨.୨ ଗ୍ରାମକୁ ଖସିଆସିଥିଲା। ଡାକ୍ତର ତୁରନ୍ତ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ। ହେଲେ କେହି ସଂପର୍କୀୟ ସାଥୀରେ ଆସି ନଥିବାରୁ ରକ୍ତ ଯୋଗାଡ କରିବା ଚିନ୍ତାରେ ପଡି ଯାଇଥିଲେ ମଦନ। ନିଜେ ଗୋଟିଏ ୟୁନିଟ ରକ୍ତ ଦେଇଥିଲେ। ତଥାପି ସ୍ୱାସ୍ଥ୍ୟ ଅବସ୍ଥାରେ ବିଶେଷ ପାର୍ଥକ୍ୟ ଦେଖିବାକୁ ମିଳି ନଥିଲା। ତେଣୁ ବାଧ୍ୟ ହୋଇ ଡାକ୍ତରଙ୍କୁ ଦେଖାକରି ନିଜ ସମସ୍ୟା ଜଣାଇଥିଲେ। ଡାକ୍ତର ଜେନା ପରିସ୍ଥିତିକୁ ହୃଦୟଙ୍ଗମ କରିପାରି ନିଜେ ରକ୍ତ ଦେବାକୁ ଆଗେଇ ଆସିଲେ। ମାନବିକତାର ପରିଚୟ ଦେଇ ଗୋଟିଏ ୟୁନିଟ ରକ୍ତ ଦେଇ ତାହା ରୋଗୀଙ୍କୁ ଦେବାକୁ ରକ୍ତ ଭଣ୍ଡାର କର୍ମଚାରୀଙ୍କୁ କହିଥିଲେ।
ସ୍ୱାମୀ ମଦନ ଗୋଲରୀଙ୍କ କହିବାନୁଯାୟୀ, ମୋ ପାଇଁ ଡାକ୍ତର ଭଗବାନ ହୋଇଗଲେ। ଯେଉଁ ପରିସ୍ଥିତିରେ ରକ୍ତଦେଇ ପତ୍ନୀଙ୍କ ଜୀବନ ବଞ୍ଚାଇଲେ ସେଥିପାଇଁ ଡାକ୍ତରଙ୍କ ନିକଟରେ ଚିର ଋଣୀ ହୋଇ ରହିବି। ଏହି ବଦାନ୍ୟତାକୁ ଆଦୌ ଭୁଲିବି ନାହିଁ ବୋଲି ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭେଷଜ ବିଶେଷଜ୍ଞ ଡାକ୍ତର ଜେନା କହିଛନ୍ତି, ମଣି ମେଡିକାଲକୁ ଆସିବା ବେଳେ ହିମୋଗ୍ଲୋବିନ ମାତ୍ରା ଯଥେଷ୍ଟ କମ୍‌ ରହିଲା। ସେ ନିମୋନିଆରେ ପୀଡିତ ଥିଲେ। ରକ୍ତର ଆବଶ୍ୟକତା ଦେଖି ନିଜେ ରକ୍ତ ଦେଇଥିଲି ବୋଲି କହିଛନ୍ତି । ସଂପ୍ରତି ମଣିଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ବେଳେ ତାଙ୍କୁ ଆହୁରି ୨ ୟୁନିଟ ରକ୍ତ ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି । ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ଦଧିବାମନ ତ୍ରିପାଠୀଙ୍କ କହିବାନୁଯାୟୀ, ବିଭିନ୍ନ ସମୟରେ ରୋଗୀଙ୍କୁ ନିଜ ସମ୍ପର୍କୀୟମାନେ ରକ୍ତ ଦେବା ପାଇଁ ଭୟ କରୁଛନ୍ତି। ରକ୍ତଦାନ ଉପରେ ଲୋକେ ସଚେତନ ହେବା ଆବାଶ୍ୟକତା ରହିଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର