ଗାଁରେ ନିର୍ବାଚନୀ ହାଲଚାଲ୍ :ଅଳ୍ପ ଭୋଟ ବ୍ୟବଧାନରେ ଜିତି‌େବ ପ୍ରାର୍ଥୀ

ଜୟପୁର,: ଜୟପୁର ନିର୍ବାଚନ ମଣ୍ଡଳୀର ଜୟପୁର ପୌରପାଳିକା ସହ ବ୍ଲକର ୨୨ଟି ପଞ୍ଚାୟତ, ବୋରିଗୁମ୍ମା ବ୍ଲକର ୧୯ଟି ପଞ୍ଚାୟତର ୨୩୫ଟି ବୁଥରେ ୨ଲକ୍ଷ ୧୧ହଜାର ୪୦ଜଣ ମତଦାତା ନିଜ ମତଦାନ କରିବେ। ଜୟପୁର ଓ ବୋରିଗୁମ୍ମା ବ୍ଲକର ୪୧ଟି ପଞ୍ଚାୟତର ଗାଁ ଗହଳିରେ ଏବେ ଉତ୍ସବର ମାହୋଲ ଦେଖାଦେଇଛି। ସବୁ ଦଳର ଦଳୀୟ ପତାକା ଓ ବ୍ୟାନର ଆଦି ଗାଁ ଗାଁରେ ଛାଇ ଯାଇଛି। ତା ସାଙ୍ଗକୁ ଅଟୋ ଗୁଡିକରେ ବ୍ୟାପକ ଭାବେ ବିଭିନ୍ନ ଦଳ ଗୁଡିକ ଜୋରସୋରରେ ପ୍ରଚାର ଚଲାଇଛନ୍ତି। ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଜିଭାତର ଆପ୍ୟାୟିତ କରିବା ସହ ଦେଶୀ ଓ ବିଦେଶୀ ପାନୀୟର ବ୍ୟବସ୍ଥା ବି କରିଛନ୍ତି। ଏପରିକି କିଛି ରାଜନୈତିକ ଦଳ ଟଙ୍କା ସହ ଶାଢ଼ୀ, ଘଡି ବିତରଣ କାମ ବି ଆରମ୍ଭ କରିଲେଣି। ତେଣୁ ଗାଁ ଲୋକେ କାମ ଧନ୍ଦା ବନ୍ଦ କରିଥିବା ବେଳେ ମହିଳା ମାନେ ଘରେ ରହିବା ଏବଂ ପୁରୁଷ ମାନେ ଗାଁ ଦାଣ୍ଡରେ ଜଗି ରହିବା ଦେଖିବାକୁ ମିଳୁଛି। ଯେ କୌଣସି ଦଳର ନେତା ମାନେ ଗାଁକୁ ଆସନ୍ତି ତାହେଲେ ପୂର୍ବ ସୂଚନା ଦେଇ ଭୋଜିଭାତର ଆୟୋଜନ କରି ଲୋକ ଜମା କରି ରଖୁଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଆଜି ସମ୍ବାଦ ଟିମ୍ ଜୟପୁର ବ୍ଲକ ଓ ବୋରିଗୁମ୍ମା ବ୍ଲକର ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗାଁକୁ ବୁଲିବା ବେଳେ ଏସବୁ ଦେଖିବାକୁ ମିଳିଥିଲା। ଗାଁରେ ପ୍ରମୁଖ ତିନି ଦଳର ପତ୍ତାକା, ବ୍ୟାନର ଆଦି ଲାଗିଥିବା ବେଳେ କିଏ ଆଗାମୀ ଦିନରେ ଜୟପୁର ବିଧାୟକ ହେବ ତାହାର ଅଙ୍କକଷା ବି ଚାଲିଛି। ଏପରିକି କୁମୁଲି, କାମତା, ପୋଡାପଦର, ନାରିଗାଁ ଅଞ୍ଚଳବାସୀ ବିଜେପି ପ୍ରାର୍ଥୀ ଗୌତମ ନିଜ ଅଞ୍ଚଳର ବୋଲି କହିଛନ୍ତି। ତେବେ ଗ୍ରାମାଞ୍ଚଳରେ ୨ପୁରୁଣା ପ୍ରତିଦ୍ବନ୍ଦୀ କଂଗ୍ରେସର ତାରାପ୍ରସାଦ ବାହିନୀପତି ଓ ବିଜେଡିର ରବି ନାରାୟଣ ନନ୍ଦଙ୍କ ମଧ୍ୟରେ ମୁହାଁ ମୁହିଁ ଲଢ଼େଇ ହେବ। ଉଭୟଙ୍କ ଭୋଟରୁ କିଛି କିଛି ଭୋଟ ବିଜେପି ପ୍ରାର୍ଥୀ ନେବେ। ତେବେ ଅଳ୍ପ କିଛି ଭୋଟ ବ୍ୟବଧାନରେ ହିଁ ଯିଏ ବି ଜିତିବ ବୋଲି ଦଳୀୟ କର୍ମ କର୍ତ୍ତା ମାନେ କହୁଛନ୍ତି। ପୂର୍ବରୁ ଗ୍ରାମାଞ୍ଚଳରୁ ଜୟପୁରକୁ ହାୱା ଯାଉଥିଲା ଏଥର କିନ୍ତୁ ଜୟପୁରରୁ ଗ୍ରାମାଞ୍ଚଳକୁ ହାୱା ଆସୁଛି ବୋଲି ବହୁ ବରିଷ୍ଠ ନେତା କହିଛନ୍ତି। ତେବେ କିଛି ଦଳର ପ୍ରମୁଖ ରାଜନୈତିକ ସମୀକ୍ଷକ ଓ ପରାମର୍ଶଦାତା ମାନେ ଗ୍ରାମାଞ୍ଚଳରେ କାହାର କିଭଳି ସ୍ଥିତି ରହିଛି ତାହାର ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି। ତେବେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହା ସମୟ କହିବ।

ସମ୍ବନ୍ଧିତ ଖବର