ନେତାଙ୍କ ଛାତି ଧଡ଼ଧଡ଼, ପାଟି ଖନି ମାରୁଛି

କୋରାପୁଟ: ପାଖେଇଲାଣି ୨୩ ତାରିଖ । ଦିନ ଯେତେ ପାଖଉଛି ନେତାଙ୍କ ନିଦ ସେତିକି ହଜୁଛି। ନିର୍ବାଚନ ଲଢିଥିବା ସବୁ ନେତାଙ୍କ ଛାତି ଏବେ ଧଡଧଡ। ଛାମୁଆ ନେତା ବି ଚିନ୍ତାରେ । ନିର୍ବାଚନ ସମୟରେ ଥିବା ତୋଡ ଆଉ ନାହିଁ। ଭୋଟ ହିସାବକିତାବ ବି ଚିରି ଫିଙ୍ଗା ସରିଲାଣି। ଏବେ କେବଳ ଗୋଟିଏ ଚିନ୍ତା କେମିତି ନିର୍ବାଚିତ ହେବୁ । ଏହାକୁ ନେଇ ଚାଲିଚି ପୂଜାପାଠ ଓ ପ୍ରାର୍ଥନା । କୋରାପୁଟ ଜିଲ୍ଲାରେ ୫ଟି ‌ବିଧାନସଭା ରହିଛି। ୨୦୧୪ ନିର୍ବାଚନରେ ଏକପାଖିଆ ଭାବେ ବାଜି ମାରି ନେଇଥିଲା କଂଗ୍ରେସ। ବିଜେଡି କେବଳ ପଟାଙ୍ଗୀ ଆସନକୁ ହାତେଇଥିବା ବେ‌ଳେ ଲକ୍ଷ୍ମୀପୁର, କୋରାପୁଟ, ଜୟପୁର ଓ କୋଟପାଡ ଆସନ ‌କଂଗ୍ରେସ ଖାତାକୁ ଯାଇଥିଲା। ଏପଟେ କୋରାପୁଟ ଲୋକସଭା ଆସନକୁ ବିଜେଡି ଜିତିଥିଲା। ଗତ ନିର୍ବାଚନରେ ସମସ୍ତ ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହୋଇଥିବା ବେଳେ ବିଜେପି ସେତେଟା ପ୍ରଭାବ ପକାଇ ପାରି ନଥିଲା। ଏଥର କିନ୍ତୁ ଚିତ୍ର ବଦଳିଛି। ଆଉ ଦ୍ବିମୁଖୀ ଲଢେଇ ଦେଖିବାକୁ ମିଳିନି। ଅଧିକାଂଶ ଆସନରେ ତ୍ରିମୁଖୀ ଲଢେଇ ହୋଇଥିବା ବେଳେ କିଛି ଆସନରେ ଚର୍ତୁମୁଖୀ ପ୍ରତିଦ୍ବନ୍ଦ୍ବିତା ହୋଇଛି। ତେଣୁ ଏଥର ଫଳାଫଳ ପୂର୍ବାନୁମାନ କରିବା ରାଜନୀତି ପଣ୍ଡିତଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥା ପାଲଟିଛି। କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ଏପ୍ରିଲ ୧୧ ତାରିଖରେ ଏଠାରେ ଭୋଟ ଗ୍ରହଣ କରାଯାଇଥିଲା। ନିର୍ବାଚନୀ ହିସାବ ଅନୁସାରେ, କୋରାପୁଟ, ଜୟପୁର ଓ କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ତ୍ରିମୁଖୀ ଲଢେଇ ହୋଇଛି। ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ପରସ୍ପରକୁ କଡା ଟକ୍କର ଦେଇଛନ୍ତି। ଏହି ୩ ଆସନରେ ଆଗରୁ ବିଜେଡି ଓ କଂଗ୍ରେସ ଭିତରେ ଲଢେଇ ହେଉଥିବାବେଳେ ଏଥର ଏଣ୍ଟ୍ରି ମାରିଛି ବିଜେପି। ତେଣୁ ବିଜେପି କାହା ଭୋଟ ବିଭାଜନ କରୁଛି ଓ କେତେ ଭୋଟ ନେଇ ପାରୁଛି ତାହା ଉପରେ ଫଳାଫଳ ନିର୍ଭର କରିବ। ଜୟପୁର ଓ କୋରାପୁଟରେ କଡା ଟକ୍କର ହୋଇଥିବାରୁ ଫଳାଫଳ କାହା ସପକ୍ଷରେ ରହିବ ତାହା କହିବା କଷ୍ଟକର ହୋଇପଡିଛି । ଲକ୍ଷ୍ମୀପୁର ଆସନରେ ସ୍ଥିତି ସବୁଠୁ ଜଟିଳ। ଏହି ଗୁରୁତ୍ବପୂର୍ଣ୍ଣ ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ସହ ବିଏସପି କଡା ଫାଇଟ ଦେଇଛି। ବିଏସପି ନେତା କୃଷ୍ଣଚନ୍ଦ୍ର ସଗରିଆଙ୍କ ପତ୍ନୀ ଅନୀତା ସଗରିଆ ଏଠାରେ ପ୍ରାର୍ଥୀ ହୋଇଥିଲାବେଳେ ଭଲ ଭୋଟ ତାଙ୍କ ସପକ୍ଷରେ ଯାଇଥିବ ବୋଲି ଆଶା କରାଯାଉଛି। ଏପଟେ ପଟାଙ୍ଗୀରେ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ ଅଡୁଆ ସାଜିଛନ୍ତି ସ୍ବାଧୀନ ପ୍ରାର୍ଥୀ। ଏଠାରେ ଦୁଇଜଣ ସ୍ବାଧୀନ ପ୍ରାର୍ଥୀ ଏଥର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ନିର୍ବାଚନ ସମୟରେ ପ୍ରାର୍ଥୀମାନେ ସମୟ ଅଭାବରୁ ଯଦିଓ ସମସ୍ତ ଭୋଟରଙ୍କ ନିକଟରେ ପହଞ୍ଚିପାରିନଥିଲେ ତେବେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ଆସନ୍ତା ୨୩ ତାରିଖରେ ପ୍ରାର୍ଥୀଙ୍କ ଭାଗ୍ୟ ଖୋଲିବ। ଏଥିରୁ କ’ଣ ରିପୋର୍ଟ ବାହାରିବ ତାକୁ ନେଇ ଏବେ ପୁଣି ଥରେ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା। ରାଜନୈତିକ ଦଳର ନେତା ଓ ପ୍ରାର୍ଥୀଙ୍କ ନଜର ୨୩ ତାରିଖ ଫଳାଫଳ ଉପରେ ରହିଥିବା ବେଳେ ସାଧାରଣରେ ବି ଏଥିପାଇଁ ଉତ୍ସାହ ବଢ଼ିବାରେ ଲାଗିଛି । ନିର୍ବାଚନ ବେଳର ଦମ୍ଭ ଓ ନିର୍ବାଚନ ପରର ବାହାସ୍ଫୋଟ ଏବେ ନାହିଁ। ଏବେ ପ୍ରାର୍ଥୀମାନେ ଈଶ୍ବର ବିଶ୍ବାସୀ ହୋଇ ପଡିଛନ୍ତି। ନିଜ ନିଜ ବାଟରେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଇଛନ୍ତି ।

ସମ୍ବନ୍ଧିତ ଖବର