ଲାଞ୍ଚ ମାଗିଲେ ଯନ୍ତ୍ରୀ, ବନ୍ଧା ହେଲେ ପିଅନ

ଲାଂଚୁଆ ନିର୍ବାହୀ ଯନ୍ତ୍ରୀ ଫେରାର, ଭିଜିଲାନ୍ସର ଛାନଭିନ

କୋରାପୁଟ: ଠିକାଦାରଙ୍କ ବିଲ୍‌ ପାସ କରାଇ ଦେବା ପାଇଁ କୋରାପୁଟ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ କୁମାର ବେହେରା ୫୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ଲାଞ୍ଚ ଟଙ୍କା ଆଣିବାକୁ ନିଜେ ଯାଇ ନଥିଲେ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ। ପିଅନ ସତ୍ୟବାନ ମଲ୍ଲିକଙ୍କୁ ପଠାଇଲେ। ଅଧିକାରୀଙ୍କ ନିର୍ଦେଶ ମାନି ଟଙ୍କା ଧରି ଆସିଲା ବେଳକୁ ପିଅନଙ୍କୁ ମାଡ଼ି ବସିଲେ ଭିଜିଲାନ୍ସ ଅଧିକାରୀ। ଆଉ ଏହି ଖବର ପାଇବା ପରେ ଫେରାର ହୋଇଯାଇଛନ୍ତି ନିର୍ବାହୀ ଯନ୍ତ୍ରୀ। ଶେଷକୁ ପିଅନ ବନ୍ଧା ହୋଇ ଜେଲ ହାଜତକୁ ଯାଇଛନ୍ତି।
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଶିରିଗୁଡା ଗ୍ରାମରେ ନିର୍ମାଣ ହୋଇଥିବା ଏକ ଓଭରହେଡ ପାଣି ଟାଙ୍କିର ବିଲ କରାଇବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ କୁମାର ବେହେରା ୫୦ ହଜାର ଟଙ୍କା ଲାଂଚ ମାଗିଥିଲେ। ୩୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ଟାଙ୍କିର ଦ୍ବିତୀୟ ବିଲ ବାବଦରେ ୧୦ ଲକ୍ଷ ୫୪ ହଜାର ଟଙ୍କା ପ୍ରଦାନ କରିବାକୁ ସି- କ୍ଲାସ ଠିକାଦାର ଟଙ୍କଧର ହରିଜନଙ୍କୁ ଏହି ଲାଂଚ ମାଗିଥିଲେ। ତେବେ ଏଥିନେଇ ଠିକାଦାର ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଜାଲ ବିଛା ଯାଇଥିଲା। ତେବେ ସିଧାସଳଖ ଟଙ୍କା ନେବାକୁ ମନା କରି ଦେଇଥିଲେ ନିର୍ବାହୀ ଯନ୍ତ୍ରୀ। ପିଅନ ସତ୍ୟବାନ ମଲ୍ଲିକଙ୍କୁ ଟଙ୍କା ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଠିକାଦାର ଓ ପିଅନ ଗୋଟିଏ ଏଟିଏମ କାଉଣ୍ଟରକୁ ଯାଇଥିଲେ। ପିଅନ ସତ୍ୟବାନ ମଲ୍ଲିକଙ୍କ ବାଇକ ଡିକିରେ ଟଙ୍କା ରଖି ଦେବାକୁ ସେ ଠିକାଦାରଙ୍କୁ କହିଥିଲେ। ପରେ ଡିକି ବନ୍ଦ କରି ଗାଡ଼ି ବାହାର କରିଲା ବେଳକୁ ଭିଜିଲାନ୍ସ ଅଧିକାରୀମାନେ ମାଡ଼ି ବସିଥିଲେ। ଠିକାଦାର ଦେଇଥିବା ଲାଞ୍ଚ ଟଙ୍କା ପିଅନଙ୍କ ପାଖରୁ ଉଦ୍ଧାର କରାଯାଇଥିଲା। ଏପଟେ ପିଅନ ଧରା ପଡ଼ିବା ଖବର ପାଇ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ବେହେରା ଫେରାର ହୋଇ ଯାଇଥିଲେ। ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନି। ଏପଟେ କୋରାପୁଟ ଭିଜିଲାନ୍ସ ୩୩/୨୦୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପିଅନ ସତ୍ୟବାନ ମଲ୍ଲିକଙ୍କୁ ଗିରଫ କରାଯାଇଥିଲା ବେଳେ ନିର୍ବାହୀ ଯନ୍ତ୍ରୀଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି।
ଆଜିର ଘଟଣା ପୂର୍ବରୁ ଲକ୍ଷ୍ମଣ କୁମାର ବେହେରା ତିନି ଥର ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ୨୦୧୩ ମସିହାରେ ମାଲକାନଗିରି ସହକାରୀ ଯନ୍ତ୍ରୀ ଥିଲା ବେଳେ ଜଣେ ଠିକାଦାରଙ୍କ ପାଖରୁ ୩ଲକ୍ଷ ଟଙ୍କା ନେଲା ବେଳେ ତାଙ୍କୁ ଭିଜିଲାନ୍ସ ଧରିଥିଲା। ଏଥିନେଇ କୋରାପୁଟ ଭିଜିଲାନ୍ସ ୩୧/୨୦୧୩ରେ ଏକ ମାମଲା ରୁଜୁ କରି ଶ୍ରୀ ବେହେରାଙ୍କୁ ଗିରଫ କରିଥିଲା। ୨୦୧୪ରେ ମଧ୍ୟ ଭିଜିଲାନ୍ସ ମାମଲାରେ ସେ ଛନ୍ଦି ହୋଇଥିଲେ। ଆୟ ବର୍ହିଭୂତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କ ବିରୋଧରେ ୪୦/୨୦୧୪ରେ ଏକ ମାମଲା ରୁଜୁ କରି ଚଢ଼ାଉ କରିଥିଲା। ସେହିପରି ୨୦୧୭ରେ ଭୁବନେଶ୍ବରରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଜଣେ ଠିକାଦାରଙ୍କ ପାଖରୁ ୧୦ହଜାର ଟଙ୍କା ନେଲାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଏଥିନେଇ ଭୁବନେଶ୍ବର ଭିଜିଲାନ୍ସରେ ତାଙ୍କ ବିରୋଧରେ ୧/୨୦୧୭ରେ ମାମଲା ରୁଜୁ ହୋଇଥିଲା। ୩ ଥର ଭିଜିଲାନ୍ସ ହାବୁଡ଼ରେ ପଡିଥିଲେ ମଧ୍ୟ ଲାଂଚ ନେବା ଛାଡ଼ି ପାରି ନ ଥିଲେ ଲକ୍ଷ୍ମଣ। ତେବେ ଆଜି ଅଳ୍ପକେ ଭିଜିଲାନ୍ସ ହାତରୁ ସେ ଖସିଯିବାରେ ସକ୍ଷମ ହୋଇଛନ୍ତି ବୋଲି କୋରାପୁଟ ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି।
ଲକ୍ଷ୍ମଣ କୁମାର ବେହେରା ଏଠାରେ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା ବେଳେ କିଛି ଦିନ ତଳେ ଜଣେ ନିୟମିତ ନିର୍ବାହୀ ଯନ୍ତ୍ରୀ କୋରାପୁଟ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଯୋଗ ଦେଇଥିଲେ। କିନ୍ତୁ ଶ୍ରୀ ବେହେରା ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରି ନ ଥିଲେ। ବରଂ ବିଭିନ୍ନ ଆଳରେ ତାଙ୍କୁ ଅପମାନିତ କରି ବସିବାକୁ ଚୌକି ବି ଦେଇ ନ ଥିଲେ। ଫଳରେ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟରେ ଯୋଗ ଦେବାପରେ ଛୁଟିରେ ଚାଲି ଯାଇଛନ୍ତି। ଏହାକୁ ନେଇ ବିବାଦୀୟ ସ୍ଥିତି ଉପୁଜିଥିଲା ବେଳେ ଏବେ ସେ ଭିଜିଲାନ୍ସ ଜାଲରେ ଫସିଥିବାରୁ କୋରାପୁଟରେ ନାନା ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର