ପାରିବାରିକ କଳହର କରୁଣ ପରିଣତି : ସ୍ୱାମୀ ମୃତ, ପତ୍ନୀ ଗୁରୁତର

ଜୟପୁର/ବୋରିଗୁମ୍ମା/କାଠରଗଡ଼ା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବି.ସିଂହପୁର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀ ପରସ୍ପରକୁ ଆକ୍ରମଣ କରିଛନ୍ତି। ଯାହାଫଳରେ ସ୍ୱାମୀ ପ୍ରସନ୍ନ ଆଚାର୍ଯ୍ୟ (୬୫)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ପତ୍ନୀ ସୌଦାମିନୀ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ବିସିଂହପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେହିପରି ଗୁରୁତର ସୌଦାମିନୀଙ୍କୁ ପ୍ରଥମେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ପ୍ରଥମେ ଜୟପୁର ଉପଖଣ୍ଡ ଚିକିତ୍ସାଳୟ ଓ ଏହାପରେ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ବି.ସିଂହପୁର ଥାନା ଆଇଆଇସି ଭି.ବିଜୟ କୁମାରଙ୍କ ସୂଚନା ଅନୁଯାୟୀ, ବି.ସିଂହପୁର ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଥିବା ନେଇ ଖବର ମିଳିଥିଲା। ସକାଳ ୧୦ଟାରେ ଖବର ମିଳିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ପ୍ରସନ୍ନ ଆଚାର୍ଯ୍ୟ ଟଳି ପଡ଼ିଥିଲେ। ସେହିପରି ତାଙ୍କ ପତ୍ନୀ ସୌଦାମିନୀ ମୁହଁ ମାଡି ପଡି ରହିଥିଲେ। ଶ୍ୱାସକ୍ରିୟା ଚାଲିଥିବାରୁ ଉଦ୍ଧାର କରି ମେଡିକାଲକୁ ପଠାଯାଇଥିଲା। ଘଟଣାର ତଦନ୍ତ ନିମନ୍ତେ କୋରାପୁଟରୁ ସାଇଣ୍ଟିଫିକ ଟିମ୍‌କୁ ଯୋଗାଯୋଗ କରାଯାଇଥିଲା। ଏହି ଟିମ ପହଞ୍ଚି ଘଟଣା ସ୍ଥଳରୁ ଆବଶ୍ୟକ ପ୍ରମାଣ ସଂଗ୍ରହ କରିଛି। ପାରିପାର୍ଶ୍ୱିକ ସ୍ଥିତି ଏବଂ ସ୍ଥାନୀୟ ଲୋକଙ୍କ ବୟାନରୁ ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଆଜି ସକାଳେ ମଧ୍ୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ଉଭୟ ପରସ୍ପରକୁ ଛୁରିରେ ଆକ୍ରମଣ କରିଥିଲେ। ଏନେଇ ମୃତକଙ୍କ ପୁଅ ସନ୍ତୋଷ ଆଚାର୍ଯ୍ୟ ଥାନାରେ ଲିଖିିତ ଅଭିଯୋଗ କରିଛନ୍ତି। ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

ବୋରିଗୁମ୍ମା ଏସଡିପିଓ ଦାୟିତ୍ୱରେ ଥିବା ଜୟପୁର ଏସଡିପିଓ ଟି.ଜେ ରେଡ୍ଡି କହିଛନ୍ତି ଯେ ସକାଳ ପ୍ରାୟ ୧୦ଟା ବେଳେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ନେଇ ପ୍ରାଥମିକ ସୂଚନା ମିଳିଥିଲା। ପରେ ତଦନ୍ତ କରାଯିବାରୁ ଛୁରିରେ ଆକ୍ରମଣ ହୋଇଥିବା ଜଣାପଡିଥିଲା। ଘଟଣା ସ୍ଥଳରୁ ହତ୍ୟାରେ ବ୍ୟବହାର ହୋଇଥିବା ଛୁରି ମଧ୍ୟ ଜବତ ହୋଇଛି। ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ କରାଯାଉଛି। ଏନେଇ ଥାନରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର