ପୂର୍ବତନ ନାଏବ ସରପଞ୍ଚ ସ୍ୱାମୀଙ୍କୁ ହତ୍ୟା ଉଦ୍ୟମ:ଦଣ୍ଡାବାଡ଼ି ହାଟରେ ଗୁଳି କଲେ ନକ୍ସଲ

ବୈପାରିଗୁଡା/ଜୟପୁର: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ି ସାପ୍ତାହିକ ହାଟରେ ପୂର୍ବତନ ନାଏବ ସରପଞ୍ଚଙ୍କ ସ୍ୱାମୀ ଆନନ୍ଦ ନାୟକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ୧୦ରୁ ୧୨ଜଣ ସଶସ୍ତ୍ର ନକ୍ସଲ ଆଜି ଅପରାହ୍ନରେ ତାଙ୍କ ଉପରକୁ ୩ରାଉଣ୍ଡ ଗୁଳି ଚଳାଇଛନ୍ତି। ତେବେ ଦୁଇଟି ଗୁଳି ମୁଣ୍ଡ ଓ ପେଟରେ ବାଜିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକ ମେଡିକାଲରେ ଭର୍ତି କରିଛନ୍ତି। ଦଣ୍ଡାବାଡ଼ି ବିଏସଏଫ କ୍ୟାମ୍ପ ଠାରୁ ମାତ୍ର ୨କିଲୋମିଟର ଦୂରରେ ଏହି ଘଟଣା ଘଟିଛି। ଅପରପକ୍ଷରେ ନକ୍ସଲଙ୍କ ଏଭଳି ବର୍ବରକାଣ୍ଡ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।
ବିଭିନ୍ନ କାରଣରୁ ମାଓବାଦୀଙ୍କ ଟାର୍ଗେଟରେ ଥିଲେ ପୂର୍ବତନ ନାଏବ ସରପଞ୍ଚ ସବିତା ନାୟକଙ୍କ ସ୍ୱାମୀ ଆନନ୍ଦ ନାୟକ। ୨ବର୍ଷ ତଳେ ଦଣ୍ଡାବାଡ଼ି ଅଞ୍ଚଳର ବ୍ୟବସାୟୀ ବାପି ସାମନ୍ତଙ୍କୁ ହତ୍ୟା ଦିନ ମାଓବାଦୀ ଗୋଟିଏ ବ୍ୟାନର ଛାଡି ଯାଇଥିଲେ। ସେଥିରେ ସେମାନେ ଆନନ୍ଦଙ୍କ ସମେତ ୫ଜଣଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଥିଲେ।

ଏହାପରେ ଆନନ୍ଦ ଗାଁରେ ରହୁ ନଥିଲେ। ମଝିରେ ମଝିରେ ଗାଁକୁ ଯାଉଥିଲେ ହେଁ ଦିନ ବେଳା ଯାଇ ସଂଧ୍ୟାରେ ଚାଲି ଆସୁଥିଲେ। ତେବେ ଦେଢ଼ ବର୍ଷ ତଳେ ତାଙ୍କୁ ତେନ୍ତୁଳିଗୁମ୍ମା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଗୋବର୍ଦ୍ଧନ ନାୟକଙ୍କ ହତ୍ୟା ଘଟଣାରେ ପୁଲିସ ଗିରଫ କରିଥିଲା। ୮ରୁ ୯ମାସ ତଳେ ସେ ଜାମିନ ଆସିଥିଲେ। ଆଜି ଗାଁରେ ଗୋଟିଏ ଭୋଜି ଥିବାରୁ ସେଠାକୁ ଯାଇଥିଲେ। ସାଙ୍ଗସାଥିଙ୍କୁ ଭେଟିବା ପାଇଁ ଅଧା ଭୋଜିରୁ ହାଟକୁ ଚାଲି ଆସିଥିଲେ। ଏହି ସୂଚନା ପାଇ ୧୦ରୁ ୧୨ଜଣ ନକ୍ସଲ ଯୋଜନାବଦ୍ଧ ଭାବେ ସାଦା ପୋଷାକରେ ହାଟରେ ପଶିଥିଲେ। ୪ଜଣ ନକ୍ସଲ ତାଙ୍କୁ ଘେରିଯାଇ ଅତି ନିକଟରୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ପ୍ରଥମ ଗୁଳି ମୁଣ୍ଡକୁ ଛୁଇଁ ଚାଲି ଯାଇଥିଲା। ଏହାପରେ ଆନନ୍ଦ ଜୀବନ ବିକଳରେ ଦୌଡିବାରୁ ଗୋଡାଇ ଗୋଡାଇ ଆଉ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ପେଟରେ ବାଜିଯିବାରୁ ସେଠାରେ ପଡିଯାଇଥିଲେ। ନିଜ କାମ ସାରି ନକ୍ସଲ ନିଜ ନିଜ ରାସ୍ତାରେ ଚାଲି ଯାଉଥିଲେ। କିନ୍ତୁ ହାଟକୁ ଆସିଥିବା ଲୋକ ନକ୍ସଲଙ୍କ ଏହି କାଣ୍ଡକୁ ଦେଖି ତାତି ଯାଇଥିଲେ।

ଧରିବା ପାଇଁ କିଛି ଦୂର ପର୍ଯ୍ୟନ୍ତ ଗୋଡାଇ ଯାଇଥିଲେ ମଧ୍ୟ କାବୁ କରିବାରେ ସକ୍ଷମ ହୋଇ ନଥିଲେ। ଅନ୍ୟପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଆନନ୍ଦଙ୍କୁ ଉଦ୍ଧାର କରି ରାମଗିରି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ସତ୍ୱେ ଅବସ୍ଥାରେ ବିଶେଷ ପରିବର୍ତନ ନହେବାରୁ ବିଏସଏଫର ଆମ୍ବୁଲାନ୍‌ସରେ ଜୟପୁର ସ୍ଥିତ ଗୋଟିଏ ଘରୋଇ ମେଡିକାଲରେ ଭର୍ତି କରାଯାଇଥିଲା। ଜୟପୁର ଏସଡିପିଓ ପ୍ରତ୍ୟୁଷ ଦିବାକର ଏବଂ ବିଏସଏଫ କମାଣ୍ଡାଣ୍ଟ ମେଡିକାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ପରିବାର ଲୋକଙ୍କ କହିବା ହେଲା ଘଟଣା ସଂପର୍କରେ ଆନନ୍ଦ ପ୍ରଥମେ ତାଙ୍କ ସଂପର୍କୀୟ ଭାଇଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ମେଡିକାଲ ନେବା ବ୍ୟବସ୍ଥା କରିଥିଲେ। ସେହିପରି ତାଙ୍କ ମା’କହିଛନ୍ତି ଯେ ପୁଅର ଜୀବନ ପ୍ରତି ବିପଦ ରହିଥିବାରୁ ପୁଲିସ ଓ ବିଏସଏଫକୁ ପୂର୍ବରୁ ଅବଗତ କରାଯାଇଥିଲା। ଏପରିକି ଆଜିକାର ଘଟଣା ସଂପର୍କରେ ବି ପ୍ରଥମେ ପରିବାର ପକ୍ଷରୁ ପୁଲିସ ଓ ବିଏସଏଫକୁ କୁହାଯାଇଥିଲା। କେହି ମଧ୍ୟ ସହଯୋଗ କରି ନଥିବା ବେଳେ ବିଳମ୍ବରେ ପହଞ୍ଚିଥିବା ବିଏସଏଫ ଯବାନ ଆମ୍ବୁଲାନ୍‌ସରେ ଜୟପୁର ମେଡିକାଲ ଆଣି ଛାଡି ଚାଲିଗଲେ ବୋଲି ଅଭିଯୋଗ କରିଛନ୍ତି।
ଏନେଇ ବିଏସଏଫ ପକ୍ଷରୁ କୁହାଯାଇଛି ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନକ୍ସଲ ତାଙ୍କୁ ଟାର୍ଗେଟ କରିଥିଲେ। ତେବେ ହତ୍ୟା କରିବାକୁ ସୁଯୋଗ ପାଉ ନଥିଲେ। ଆଜି ହାଟରେ ଥିବା ସୂଚନାକୁ ଆଧାର କରି ଏହି କାଣ୍ଡ କରିଛନ୍ତି। ପେଟରେ ବାଜିଥିବା ଗୁଳିକୁ ଦେଖିଲେ ଅତି ନିକଟରୁ ରିଭରଭଲରେ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ଘଟଣା ପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର