ଆସୁଛନ୍ତି ରାଜ୍ୟପାଳ : ପୁଲିସ ଛାଉଣିରେ କୋରାପୁଟ

କୋରାପୁଟ: ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଆସନ୍ତାକାଲି ଦିନିକିଆ ଗସ୍ତରେ କୋରାପୁଟ ଆସୁଛନ୍ତି। ପୂର୍ବାହ୍ନରେ ସେ କୋରାପୁଟରେ ପହଞ୍ଚିବା ପରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବା ସହ ସହର ଉପକଣ୍ଠ ପଦ୍ମପୁରକୁ ଯାଇ କ୍ଷେତ୍ର ପରିଦର୍ଶନ କରିବେ। ଅପରାହ୍ନରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳଙ୍କ ଏହି ଗସ୍ତକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟପାଳଙ୍କ ରୁଟଚାର୍ଟ ଅନୁଯାୟୀ, ପୁଲିସ ପକ୍ଷରୁ ମଧ୍ୟ ଆଜି ମକଡ୍ରିଲ କରାଯାଇଛି।
ଓଡ଼ିଶା ରାଜ୍ୟପାଳ ଦାୟିତ୍ୱରେ ଥିବା ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଆସନ୍ତାକାଲି କୋରାପୁଟ ଆସୁଛନ୍ତି। ଦୀର୍ଘ ବର୍ଷ ପରେ ଜଣେ ରାଜ୍ୟପାଳ କୋରାପୁଟ ଆସୁଥିବାରୁ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରଶାସନ ପକ୍ଷରୁ ବଡ ଧରଣର ପ୍ରସ୍ତୁତି କରାଯାଇଛି। ରାଜ୍ୟପାଳ ଯିବାକୁ ଥିବା ସ୍ଥାନ ଗୁଡିକରେ ବ୍ୟାପକ ପ୍ରସ୍ତୁତି ହୋଇଛି। ରାଜ୍ୟପାଳଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ଆଜି ସଦ୍‌ଭାବନା ସଭାଗୃହ ଓ ପଦ୍ମପୁରରେ ଦିନ ତମାମ କସରତ ଚାଲିଛି। ସଦଭାବନା ସଭାଗୃହରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକାଧିକ ବୈଠକ କରାଯାଇ ସ୍ଥିତି ସମୀକ୍ଷା କରାଯାଇଛି। ରାଜ୍ୟପାଳଙ୍କ ଗସ୍ତ ସମୟରେ କୌଣସି କାର୍ଯ୍ୟକ୍ରମ ଯେମିତି ଓଲଟପାଲଟ ନ ହୁଏ, ତାହା ଉପରେ କଡା ନଜର ରଖିବାକୁ କୁହାଯାଇଛି।

ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି। ରାଜ୍ୟପାଳ ସମୀକ୍ଷା କରିବାକୁ ଥିବା ବିଭାଗ ଗୁଡିକ ପ୍ରସ୍ତୁତ ହୋଇ ରହିବାକୁ କୁହାଯାଇଛି। ଏପଟେ ରାଜ୍ୟପାଳ ଯିବାକୁ ଥିବା ପଦ୍ମପୁରରେ ମଧ୍ୟ ପ୍ରଶାସନିକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତାଙ୍କ ପ୍ରମୁଖ ସଚିବ ସି.ଜେ. ଭେନୁଗୋପାଳ କୋରାପୁଟରେ ପହଞ୍ଚିଛନ୍ତି। ସେହିପରି ଅନୁସୂଚିତ ଜନଜାତି ବିଭାଗର ନିର୍ଦ୍ଦେଶକ ଆର. ରଘୁ ପ୍ରସାଦ ମଧ୍ୟ କୋରାପୁଟରେ ଡେରା ପକାଇଛନ୍ତି।
କୋରାପୁଟ ମାଓ ପ୍ରବଣ ଜିଲ୍ଲା ହୋଇଥିବାରୁ ରାଜ୍ୟପାଳଙ୍କ ଗସ୍ତ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଏସଏଫ ହେଲିପ୍ୟାଡରୁ ଆରମ୍ଭ କରି ସର୍କିଟ ହାଉସ ପର୍ଯ୍ୟନ୍ତ ସୁରକ୍ଷାର ବଳୟ କରାଯିବ। ସେହିପରି ସଦଭାବନା ସଭାଗୃହ ଓ ପଦ୍ମପୁର ଗ୍ରାମରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜିଠାରୁ ଏହି ସବୁ ସ୍ଥାନରେ ପୁଲିସ କଡା ନଜର ରଖିଛି। ରାଜ୍ୟପାଳଙ୍କ କାରକେଡ ଯିବାକୁ ଥିବା ରାସ୍ତାରେ ପୁଲିସ ପକ୍ଷରୁ ଆଜି ମକଡ୍ରିଲ କରାଯାଇଛି। ଏହାସହ ଅଧିକାରୀଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି। କୋରାପୁଟ ଏସପି ଡ. କନଓ୍ଵର ବିଶାଳ ସିଂହଙ୍କ ସୂଚନା ଅନୁଯାୟୀ, ରାଜ୍ୟପାଳଙ୍କ ଗସ୍ତକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ପୁଲିସ ତରଫରୁ ପ୍ରସ୍ତୁତି ଶେଷ ହୋଇଛି। ମହାମହିମଙ୍କ ସୁରକ୍ଷା ପାଇଁ ୨ ଜଣ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ, ୬ଜଣ ଡିଏସପି, ୧୧ଜଣ ଇନ୍ସପେକ୍ଟର, ୯ଜଣ ସବ ଇନ୍ସପେକ୍ଟର, ୭ଜଣ ଏଏସ୍‌ଆଇ ରହିବେ। ସେହିପରି ୬ ପ୍ଲାଟୁନ ପୁଲିସ ଫୋର୍ସ, ଡିଭିଏଫର ଦୁଇଟି ୟୁନିଟ୍‌କୁ ମୁତୟନ କରାଯିବ। ଏହା ବାଦ୍‌ ୧୨୦ଜଣ କନେଷ୍ଟବଳ ଓ ହୋମଗାର୍ଡଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଆଜିଠାରୁ ପୁଲିସ ମୁତୟନ କରାଯିବା ସହ ପରିସ୍ଥିତି ଉପରେ କଡା ନଜର ରଖାଯାଇଛି। ସେହିପରି ସହରରେ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି। ରାଜ୍ୟପାଳ ଯିବାକୁ ଥିବା ରାସ୍ତାକୁ ଆସନ୍ତାକାଲି କିଛି ସମୟ ପାଇଁ ସିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟପାଳ ଗୁରୁବାର ପୂର୍ବାହ୍ନ ୧୧ଟା ୧୫ମିନିଟ୍‌ରେ କୋରାପୁଟସ୍ଥିତ ବିଏସଏଫ ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ସିଧା ସର୍କିଟ ହାଉସକୁ ଯିବେ। କିଛି ସମୟ ପରେ ସଦଭାବନା ସଭାଗୃହକୁ ଯାଇ ଏକ ବୈଠକରେ ଯୋଗ ଦେବେ। ମଧ୍ୟାହ୍ନ ୧୨ଟାରେ ହେବାକୁ ଥିବା ଏହି ବୈଠକରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉନ୍ନୟନ ନେଇ ଜିଲ୍ଲା ସ୍ତରୀୟ ଅଧିକାରଙ୍କ ସହ ରାଜ୍ୟପାଳ ଆଲୋଚନା କରିବେ। ୧ ଘଣ୍ଟାର ଏହି ବୈଠକ ସାରି ରାଜ୍ୟପାଳ ସର୍କିଟ ହାଉସ ଫେରିଯିବେ। ସେଠାରେ ମଧ୍ୟାହ୍ନ ଭୋଜନ କରିବା ସହ କିଛି ସମୟ ବିଶ୍ରାମ ନେବେ। ପରେ ଅପରାହ୍ନ ୨ଟାରେ ସଡକ ପଥରେ ପଦ୍ମପୁର ଗ୍ରାମକୁ ଯିବେ। ସେଠାରେ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ସହ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ଆଲୋଚନା କରିବେ। ପରେ ରୁରାଲ ହାଉସିଂ କ୍ଲଷ୍ଟର ଦେଖିବା ସହିତ ପଞ୍ଚାୟତ ପ୍ରତିନିଧିଙ୍କ ବିଭିନ୍ନ ପ୍ରସଙ୍ଗରେ ଭାବ ବିନିମୟ କରିବେ। ସେଠାରୁ ଫେରି ବିଏସଏଫ ହେଲିପ୍ୟାଡ୍‌କୁ ଯାଇ ଆକାଶ ପଥରେ ଭୁବନେଶ୍ୱର ଫେରି ଯିବାର କାର୍ଯ୍ୟକ୍ରମ ରହିଛି। ୩ଟା ୧୫ ମିନିଟ୍‌ରେ ତାଙ୍କ ହେଲିକପ୍ଟର ଉଡାଣ ଭରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସର୍କିଟ ହାଉସରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଏହାକୁ ସୁନ୍ଦର ଭାବେ ସଜାଇ ଦିଆଯାଇଛି। ସର୍କିଟ ହାଉସ ଓ ସଦଭାବନା ସଭାଗୃହରେ ଫୁଲକୁଣ୍ଡ ରଖାଯାଇ ଏହାକୁ ଅଧିକ ଆକର୍ଷଣୀୟ କରାଯାଇଛି।

ସମ୍ବନ୍ଧିତ ଖବର