କୁଆପଥର ବର୍ଷାରେ ଫସଲ ନଷ୍ଟ :କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

ମାଥାଲପୁଟ: କୋରାପୁଟ ବ୍ଲକ ଅନ୍ତର୍ଗତ ଲିଟିଗୁଡା, ବରାଗୁଡା, ଭିତରଗଡ ଆଦି ଅଞ୍ଚଳରେ ଗତକାଲି ଅପରାହ୍ନରେ ପ୍ରବଳ କୁଆପଥର ବର୍ଷା ହୋଇଥିଲା। ଏହି କୁଆପଥର ବର୍ଷା ଯୋଗୁଁ ଅଞ୍ଚଳର ବ୍ୟାପକ ଫସଲ ନଷ୍ଟ ହୋଇଛି। ଲିଟିଗୁଡା ଗ୍ରାମର ୩୦ରୁ ଊର୍ଧ୍ୱ ଚାଷୀ କରିଥିବା ଖରାଟିଆ ଧାନ ଚାଷ ସହ ଆମ୍ବ ଓ ପନିପରିବା ଚାଷ ନଷ୍ଟ ହୋଇଥିଲା। ଏପରିକି କିଛି ଘରେ କୁଆପଥର ମାଡ ହୋଇ ଘର ଗୁଡିକ କଣା ହୋଇଯାଇଛି। ଏହି ଖବର ପାଇ ଆଜି ସକାଳେ ପଶୁ ସଂପଦ ବିଭାଗ ପକ୍ଷରୁ ମାଥାଲପୁଟ ପଶୁ ଚିକିତ୍ସକ ଡା. ସୌମ୍ୟରଂଜନ ରାଉତ ଟିମ୍‌ ସହ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ସେହିପରି କୃଷି ବିଭାଗ ପକ୍ଷରୁ କୋରାପୁଟ ସହକାରୀ କୃଷି ଅଧିକାରୀ ମହେଶ କୁମାର ପାଢୀ, ଭିଏଡବ୍ଲୁ ଏନ. ବିନ୍ଦୁ କୁମାରୀ ପ୍ରମୁଖ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ। ଖବର ପାଇ କୋରାପୁଟ ତହସିଲଦାର ଏନ. ମାଝୀ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଥିଲେ।

ଅନ୍ୟପଟେ ଗତକାଲିର କୁଆପଥର ବର୍ଷାରେ ଭିତରଗଡ ପଞ୍ଚାୟତ ଅନ୍ତର୍ଗତ ବରାଗୁଡା ଗ୍ରାମର ରାଜୀବ ଖରା(୩୦)ରେ ଆହତ ହୋଇ କୋରାପୁଟ ମେଡିକାଲରେ ଚିକିତ୍ସିତ ହେଉଛନ୍ତିି। ରାଜୀବ ଦାମନଯୋଡିରୁ ବାଇକ୍‌ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ଗାଁ ନିକଟସ୍ଥ ରେଳେଓ୍ଵ ବ୍ରିଜ୍‌ ନିକଟରେ ହଠାତ୍‌ କୁଆପଥର ବର୍ଷା ହୋଇଥିଲା। ଏଥିଯୋଗୁଁ ସେ ଆଗକୁ ଯାଇନପାରିବା ସହ ଗାଡି ସହିତ ରାସ୍ତା ପାର୍ଶ୍ୱରେ ପଡି ଯାଇଥିଲେ। ଗ୍ରାମର ଜଣେ ଗାଈ ଚରାଳି ଏହା ଦେଖିବା ପରେ ସ୍ଥାନୀୟ ଲୋକ ରାଜୀବଙ୍କୁ ଉଦ୍ଧାର କରି ପ୍ରଥମେ ମାଥାଲପୁଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପଟେ ଆଜି ଅପରାହ୍ନରେ ମଧ୍ୟ ଡୁମୁରିଗୁଡା ପଞ୍ଚାୟତର ଡେଙ୍ଗନାଗୁଡା ଅଞ୍ଚଳରେ କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷାରେ ଗୁଞ୍ଜିଗୁଡା ଗ୍ରାମର ୨ଟି ଗାଈର ମୃତ୍ୟୁ ଘଟିଥିବା ଶୁଣିବାକୁ ମିଳୁଛି। ନାଲ୍‌କୋ ମାଇନ୍‌ସରେ ମଧ୍ୟ ପ୍ରବଳ କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର