ଭିନ୍ନକ୍ଷମ ପଦ୍ମିନୀଙ୍କୁ ମିଳୁନି ଭତ୍ତା

ଟିକିରି: କାଶୀପୁର ବ୍ଲକ ଟିକିରି ସ୍ଥିତ ନୂଆ ସାହିର ଭିନ୍ନକ୍ଷମ ପଦ୍ମିନୀ ବେହରା ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି। ଭାଗୀରଥୀ ସାହୁଙ୍କ ଝିଅ ପଦ୍ମିନୀ ବେହେରା(୩୫) ପିଲାଟି ଦିନରୁ ଫିଟ୍‌ସ ରୋଗରେ ପୀଡ଼ିତ। ଏହି ଯୁବତୀ ଜଣଙ୍କ ବିଭିନ୍ନ ସମୟରେ ଅଚେତ ହୋଇ ତଳେ ପଡ଼ିଯାଇ ଖଣ୍ଡିଆ ଖାବରା ହୋଇଥାନ୍ତି। ଅନ୍ୟପକ୍ଷରେ ପ୍ରତିଦିନ ତଳେ ପଡ଼ିବାରୁ ଦାନ୍ତ ଝଡ଼ି ଯାଇଥିବା ବେଳେ ନିଆଁରେ ପଡ଼ି ପାଦ ଆଙ୍ଗୁଠି ସବୁ ପୋଡ଼ି ଯାଇଛି। ବିପିଏଲ ଶ୍ରେଣୀର ଭାଗୀରଥୀ ବହୁବାର ଧାର କରଜ କରି ଝିଅକୁ ମେଡ଼ିକାଲ ନେଇଥିଲେ ମଧ୍ୟ ପଦ୍ମନୀଙ୍କ ରୋଗ ଭଲ ହେଉନି। ଅନ୍ୟପଟେ ଭିନ୍ନକ୍ଷମ ପଦ୍ମିନୀଙ୍କୁ ଭତ୍ତା ପ୍ରଦାନ ପାଇଁ ଭାଗିରଥୀ ବହୁବାର ଆବେଦନ କରିଛନ୍ତି। ଶେଷଥର ପାଇଁ କାଶୀପୁର ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ମଧ୍ୟ ଭତ୍ତ ପାଇଁ ଆବେଦନ କରିଥିଲେ ହେଁ ପଦ୍ମିନୀଙ୍କୁ ଭତ୍ତା ମିଳୁନଥିବା ଭାଗୀରଥୀ କୋହଭରା କଣ୍ଠରେ କହିଛନ୍ତି। ଏନେଇ କା‌ଶୀପୁର ବିଡିଓ ଦେବଧର ପ୍ରଧାନଙ୍କୁ ପଚାରିବ‌ାରୁ ଅନୁଧ୍ୟାନ କରିବା ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଶୀଘ୍ର ଭିନ୍ନକ୍ଷମ ପଦ୍ମିନୀଙ୍କୁ ଭତ୍ତା ପ୍ରଦାନ କରିବା ସହ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର