ବେଆଇନ ଗୁଟଖା ଫ୍ୟାକ୍ଟ୍ରି ସିଲ୍‌ ଘଟଣା:ମାଫିଆଙ୍କ ଟେର ପାଉନି ପୁଲିସ

ଜୟପୁର: ଜୟପୁର ଦୋଳମଣ୍ଡପ ସାହି ସ୍ଥିତ ଗୁଟଖା ଫ୍ୟାକ୍ଟ୍ରି ସିଲ୍‌ ହୋଇ ୪୦ଦିନ ବିତିଲାଣି। ହେଲେ ଏବେଯାଏଁ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଟେର୍‌ ପାଉନି ଜୟପୁର ଟାଉନ ପୁଲିସ। ଅନ୍ୟପକ୍ଷରୁ ଫ୍ୟାକ୍ଟ୍ରିରୁ ଗିରଫ ହୋଇଥିବା କିରଣ କୁମାର ପାଣିଗ୍ରାହୀ, ଅରୁଣ କୁମାର ରାଉତ ଓ ଦାମୋଦର ରାଜୁ ଜାମିନ ପାଇ ସାରିଛନ୍ତି। କିନ୍ତୁ ବିହାରର ପୂର୍ବଚମ୍ପାରନ ଜିଲ୍ଲା ମେହସୀ ବ୍ଲକ ଅଧୀନସ୍ଥ ଗ୍ରହିଆ ଅଞ୍ଚଳର ଦୁଇ ଭାଇ କମଲଲାଲ ଓ କମଲେଶ ସାନୀ ଏବେ ବି ବିଚାର ବିଭାଗୀୟ ହାଜତରେ ରହିଛନ୍ତି।
ଚଢାଉର ଦୀର୍ଘ ଦିନ ପରେ ବି ମୁଖ୍ୟ ଅଭିଯୁକ୍ତ ବୋଲାଉଥିବା ଚନ୍ଦ୍ର ଶେଖର ଧରା ନପଡିବା ସନ୍ଦେହ ସୃଷ୍ଟି କରୁଛି। କାରଣ ବାରମ୍ବାର ସ୍ଥାନ ପରିବର୍ତନ କରୁଥିବା ଚନ୍ଦ୍ର ଶେଖର ବର୍ତମାନ ରାଜ୍ୟ ବାହାରକୁ ଚାଲି ଯାଇଥିବା ଜଣାପଡିଛି। ସେହିପରି ଚନ୍ଦ୍ର ଶେଖରଙ୍କୁ ବ୍ୟବସାୟରେ ସହଯୋଗ କରୁଥିବା ୪ଜଣ ଯୁବକ ବି ଜୟପୁର ଛାଡିଥିବା ସୂଚନା ମିଳିଛି। ତେଣୁ ଚନ୍ଦ୍ରଶେଖର ବର୍ତମାନ କେଉଁଠାରେ ଆତ୍ମଗୋପନ କରିଛି ତାହା ଜାଣିବା ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି।
ଟାଉନ ଥାନା ଅଧିକାରୀ ପି.ଆର ଛୋଟରାୟ କହିଛନ୍ତି ଯେ ଗୁଟଖା କାରାଖାନା ସିଲ୍‌ ଘଟଣାରେ ୫ ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଜାମିନ ଆସିଛନ୍ତି। ୨ଜଣ ଏବେ ବି ଜେଲରେ ରହିଛନ୍ତି। ମୁଖ୍ୟ କାର୍ପଟଦାର ଚନ୍ଦ୍ରଶେଖର ପଟ୍ଟନାୟକ ଏବେ ଫେରାର ରହିଛି। ତାକୁ ଧରିବାକୁ ଟାଉନ ପୁଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ସହ ଅନ୍ୟ ଉପାୟ ମଧ୍ୟ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଦୋଳମଣ୍ଡପ ସାହି ସ୍ଥିତ ଗୋଟିଏ ଭଡା ଘରେ ନକଲି ଖୁଟଖା ପ୍ରସ୍ତୁତ ଫ୍ୟାକ୍ଟ୍ରି ଦୀର୍ଘ ଦିନ ହେଲା ଚାଲିଥିଲା। ବ୍ରହ୍ମପୁର ଅଞ୍ଚଳର ଚନ୍ଦ୍ର ଶେଖର ଏହି ବେଆଇନ ବ୍ୟବସାୟ ଚଲାଉଥିଲେ। ସ୍ଥାନୀୟ ଲୋକଙ୍କ ସୂଚନାକୁ ଆଧାର କରି ଫେବ୍ରୁଆରି ୨୮ତାରିଖ ଦିନ ଟାଉନ ପୁଲିସ, ପୌର ପାଳିକାର ବରିଷ୍ଠ ଅଧିକାରୀ, ବାଣିଜ୍ୟ କର ଓ ଆୟକର ବିଭାଗ ଅଧିକାରୀ ଚ ଓ ଆୟକର ବିଭାଗର ବରିଷ୍ଠ ଅଧିକାରୀ ଚଢାଉ କରିଥିଲେ। ବିପୁଳ ପରିମାଣର ନକଲି ଗୁଟଖା ଏବଂ ମେସିନକୁ ଜବତ କରି ୫ଜଣଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର