ଏକାଠି ହୋଇ କାର୍ଯ୍ୟକ୍ଷମ କଲେ ସାହିବାସିନ୍ଦା

୬ବର୍ଷ ଧରି ବନ୍ଦ ଥିଲା ଗୋଷ୍ଠୀ କେନ୍ଦ୍ର

ଜୟପୁର: ସାମାଜିକ କାର୍ଯ୍ୟକ୍ରମ ପାଇଁ ନିର୍ମାଣ ହୋଇଥିଲା ଗୋଷ୍ଠୀ କେନ୍ଦ୍ର। କିନ୍ତୁ ୬ ବର୍ଷ ଧରି ତାଲା ପଡି ରହିଥିଲା କେନ୍ଦ୍ରରେ। ଯିବା ପାଇଁ ନଥିଲା ରାସ୍ତାଟିଏ। ବଡ ଗାଡି ପାର୍କିଂ ଯୋଗୁଁ ଅବରୋଧ ହୋଇ ରହିଥିଲା ରାସ୍ତା। ବ୍ୟବହାର ନହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା ଗୋଷ୍ଠୀ କେନ୍ଦ୍ର। ଚାରିପଟେ ଅଳିଆ ଆବର୍ଜନା ଭର୍ତ୍ତି ହେବା ସହ ମାଡି ଯାଇଥିଲା ଲଟା ବୁଦା। ଅନ୍ଧାର ହେଲେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଟିଥିଲା ଜୟପୁର ପୌରପାଳିକା ଅନ୍ତର୍ଗତ ଅରବିନ୍ଦ ନଗର ଦ୍ୱିତୀୟ ଲାଇନରେ ଥିବା ଗୋଷ୍ଠୀ କେନ୍ଦ୍ର। ଆଜି ସାହି ବାସିନ୍ଦା ଏକତ୍ରୀତ ହୋଇ ଏକ ବୈଠକ କରିଛନ୍ତି। ନିଜେ ନିଜେ ଟଙ୍କା ପ୍ରଦାନ କରି ଜେସିବି ସାହାଯ୍ୟରେ ଗୋଷ୍ଠୀ କେନ୍ଦ୍ର ଚାରପଟ ସଫେଇ କରିଛନ୍ତି। ଆଗାମୀ ଦିନରେ ଏହି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ସହ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ସାହିର ଲୋକ ସଂଖ୍ୟାକୁ ଦୃଷ୍ଟିରେ ରଖି ୨୦୧୦-୧୧ ମସିହାରେ ବିଆର୍‌ଜିଏଫ୍‌ ପାଣ୍ଠିରୁ ପୌରପାଳିକ ତରଫରୁ ଅଢ଼େଇ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଗୋଷ୍ଠୀ କେନ୍ଦ୍ର। ସରକାରୀ, ବେସରକାରୀ ସଙ୍ଗଠନ, ବ୍ୟକ୍ତିବିଶେଷ ଓ ସାହିବାସିନ୍ଦାଙ୍କ ବ୍ୟବହାର ପାଇଁ ର୍ନିମାଣ ହୋଇଥିଲା। ହେଲେ ନିର୍ମାଣ ପରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ନ ହୋଇ ପଡି ରହିଥିଲା। କେନ୍ଦ୍ର ସମ୍ମୁଖରେ ଥିବା ଖୋଲା ସ୍ଥାନକୁ ପ୍ରଭାବଶାଳୀ ବ୍ୟକ୍ତି ନିଜର ଅକ୍ତିଆରରେ ରଖି ଗାଡି ରଖୁଥିଲେ। ଫଳରେ କେନ୍ଦ୍ରକୁ ଯିବା ପାଇଁ ରାସ୍ତା ମିଳୁନଥିଲା। ସନ୍ଧ୍ୟାରେ ଲଭର ପଏଣ୍ଟ ସାଜିଥିବା ବେଳ ରାତିରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ପାଲଟିଥିଲା। ବୁଲା ଗାଈଗୋରୁ ଓ କୁକୁରଙ୍କ ଦୌରାତ୍ମ ଦେଖିବାକୁ ମିଳୁଥିଲା। ଦୁର୍ଗନ୍ଧରେ ଫାଟୁଥିଲା ଗୋଷ୍ଠୀ କେନ୍ଦ୍ରର ପରିବେଶ। ପ୍ରତିବର୍ଷ ବର୍ଷାଦିନେ ଆବର୍ଜନା ପାଣି ରାସ୍ତା ଉପର ଦେଇ ପ୍ରଭାବିତ ହେଉଥିଲା। ଏମିତି ପରିବେଶରେ ରହୁଥିବା ଲୋକମାନେ ବି ଅସ୍ତବ୍ୟସ୍ତ ହୋଇପଡିଥିଲେ।

ଶେଷରେ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଆଗ୍ରହ ପ୍ରକାଶ ଆଜି ସାହି ବାସିନ୍ଦା ଏକାଠି ହୋଇଛନ୍ତି। ସମସ୍ତେ କିଛି ଟଙ୍କା ପ୍ରଦାନ କରି କେନ୍ଦ୍ର ଚର୍ତୁପାର୍ଶ୍ୱକୁ ସଫା କରିଛନ୍ତି। ସାହିବାସିନ୍ଦାଙ୍କୁ ଫୁରସତ ସମୟ କାଟିବାକୁ ସେମିତି କିଛି ସୁବିଧା ସୁଯୋଗ ନାହିଁ। ନିଜ ନିଜର କାମ ସାରିବା ପରେ ଫାଙ୍କା ସମୟ ବିତାଇବା ପାଇଁ ସ୍ଥାନ ନାହିଁ। ଏହି ସ୍ଥାନଟିକୁ ସଫା କରି ଅବସର ବିନୋଦନ କରିବା ପାଇଁ ଲାଗି ପଡିଛନ୍ତି। ଏହାସହ ଆଜି ସେଠାକୁ ପାନୀୟ ଜଳ ସଂଯୋଗ କରାଯାଇଛି। ଆଗାମୀ ଦିନରେ ସେଠାକୁ ବିଦ୍ୟୁତ ସଂଯୋଗ, ପାଚେରୀ ନିର୍ମାଣ, ବୃକ୍ଷରୋପଣ ଆଦି କାର୍ଯ୍ୟ କରାଯିବା ନେଇ ସ୍ଥାନୀୟ ସୁବାସ ଚନ୍ଦ୍ର ପାଢ଼ୀ, ମନୋଜ ଦାଶ, ନାରାୟଣ ପାତ୍ର, ବିଜୟ କୁମାର ସାହୁ, ଅମୂଲ୍ୟ ପଣ୍ଡା, ପଙ୍କଜ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର