କାନ୍ଦିଲିବେଡାରେ ଭୟାବହ ଅଗ୍ନିକାଣ୍ଡ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କାନ୍ଦିଲିବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ଟି ପିରବାରର ୧୫ଟି ବଖରା ଧ୍ୱଂସ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଘର ଭିତରେ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବାରୁ ୫ଟି ପରିବାର ଚିନ୍ତାରେ ପଡିଛନ୍ତି।
ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ କାନ୍ଦିଲିବେଡା ଗାଁ ଉପର ସାହିରେ ରହୁଥିବା ଭଗବାନ କେନ୍ଦୁ, ପତି କେନ୍ଦୁ, ରଘୁନାଥ ନାୟକ, ଦୁଧା କେନ୍ଦୁ ଓ ତୁଳା କେନ୍ଦୁଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।

ଏହା ଦେଖିବା ପରେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ବୈପାରିଗୁଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅଗ୍ନିକାଣ୍ଡରେ ଭଗବାନଙ୍କ ୩ଟି ବଖରା, ପତିଙ୍କ ୬ବଖରା, ରଘୁନାଥଙ୍କ ୨ବଖରା, ଦୁଧାଙ୍କ ୨ଟି ବଖରା ଓ ତୁଳାଙ୍କ ୨ଟି ବଖରା ସଂପୂର୍ଣ୍ଣ ଭାବେ ପୋଡି ଯାଇ ଧ୍ୱଂସ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ୫ଟି ପରିବାରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ପରେ ଏହି ୫ଟି ପରିବାର ସର୍ବସ୍ୱାନ୍ତ ହୋଇପଡିଥିବାରୁ ଶୀଘ୍ର ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର