ଭୁବନେଶ୍ବରରେ ହଜିଗଲେ କୋରାପୁଟର ଯୁବକ

କୋରାପୁଟ: କାମ ଅନ୍ବେଷଣରେ କୋରାପୁଟରୁ ଭୁବନେଶ୍ବର ଯାଇଥିବା ଜଣେ ଯୁବକ ସେଠାରେ ନିଖୋଜ ହୋଇ ଯାଇଛନ୍ତି। ଯୁବକଙ୍କ କୌଣସି ସନ୍ଧାନ ମିଳୁ ନଥିବାରୁ ପରିବାର ଲୋକେ ପୁଲିସର ସାହାରା ଲୋଡିଛନ୍ତି। ଅପରପକ୍ଷରେ ଯୁବକ ଜଣଙ୍କ ଲୁଟେରାଙ୍କ ଆକ୍ରମଣର ଶିକାର ହୋଇଥିବା ଖବର ମିଳିଛି।
ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ନନ୍ଦପୁର ଥାନା କୁମାରଗନ୍ଧଣା ପଞ୍ଚାୟତ ହାଟସୁକୁ ଗ୍ରାମର ଗବୁରୁ ମାଝୀଙ୍କ ପୁଅ ମଧୁ ମାଝୀ(୨୦) ଗତ ଗୁରୁବାର ଦିନ ଭୁବନେଶ୍ବର ଯାଇଥିଲେ। କାମ ସନ୍ଧାନରେ ସେ କୋରାପୁଟରୁ ହୀରାଖଣ୍ଡ ଟ୍ରେନ ଯୋଗେ ସେଠାକୁ ଯାଇଥିବା ଘର ଲୋକ ଜାଣିଥିଲେ। କିନ୍ତୁ ଗଲା ପରଠାରୁ ତାଙ୍କର କିଛି ଖୋଜ ଖବର ନଥିଲା। ଏପରିକି ତାଙ୍କ ମୋବାଇଲ ମଧ୍ୟ ବନ୍ଦ ରହିଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢି ଯାଇଛି। ଗତକାଲି ପୁଲିସ ମାଧ୍ୟମରେ ସେମାନେ ଖବର ପାଇଥିଲେ ଯେ, ମଧୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ, ମଧୁ ଭୁବନେଶ୍ବରରେ ନିଶାଦିଆ ଲୁଟେରାଙ୍କ ଶିକାର ହୋଇଥିଲେ। ସେମାନେ ମଧୁଙ୍କ ଟଙ୍କା, ମୋବାଇଲ ଆଦି ଲୁଟି ନେବା ପରେ ରାସ୍ତା କଡରେ ପକାଇ ଦେଇଥିଲେ।

ରାସ୍ତାରେ ଅଚେତ ହୋଇ ପଡିଥିବା ସମୟରେ ପିସିଆର ଭ୍ୟାନ୍‌ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତାଙ୍କ ପାଖରେ ଥିବା ଆଧାର କାର୍ଡରୁ ମଧୁଙ୍କ ପରିଚୟ ଜାଣି ସେମାନେ ନନ୍ଦପୁର ପୁଲିସକୁ ଖବର ଦେଇଥିଲେ। ଏଠାରେ ପୁଲିସ ତାଙ୍କ ପରିବାରକୁ ମଧୁଙ୍କ ବିଷୟରେ ଜଣାଇଥିଲେ। ମଧୁଙ୍କ ସଂପର୍କରେ ପରିବାର ଲୋକ ଖବର ପାଇବା ପରେ ଭୁବନେଶ୍ବର ଯିବାକୁ ବାହାରିଥିଲେ। କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାରୁ ସେମାନେ କହିଥିଲେ ଯେ, ସେ ଆଉ ମେଡିକାଲରେ ନାହାନ୍ତି। କାହାକୁ କିଛି ନ ଜଣାଇ ସେ ମେଡିକାଲରୁ କୁଆଡେ ଚାଲି ଯାଇଛନ୍ତି। ଏହା ଜଣାପଡିବା ପରେ ପରିବାର ଲୋକଙ୍କ ଚିନ୍ତାରେ ପଡିଛନ୍ତି। ପୁଅଙ୍କ ସନ୍ଧାନ କରିବା ପାଇଁ ପରିବାର ଲୋକେ ନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ପୁଅର କୌଣସି ଖୋଜ ଖବର ମିଳିନି। ଭୁବନେଶ୍ବର ଯାଇ ପୁଅକୁ ଖୋଜିବାର ସାମର୍ଥ୍ୟ ପରିବାରର ନଥିବାରୁ ପୁଲିସ ଏ ଦିଗରେ ପଦକ୍ଷେପ ନେବାକୁ ମଧୁଙ୍କ ବାପା ଗବୁରୁ କହିଛନ୍ତି।

ସମ୍ବନ୍ଧିତ ଖବର