କୃଷ୍ଣ ସଗରିଆଙ୍କ ଇସ୍ତଫା ଘୋଷଣା : କୋରାପୁଟ‌େର ଭିନ୍ନ ଚର୍ଚ୍ଚା

କୁନ୍ଦୁଲି ମାମଲା କେବଳ ବାହାନା, ବିଏସ୍‌ପିରେ ଯୋଗ ଦେବେ କି?

କୋରାପୁଟ : ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ସଗରିଆ ଇସ୍ତଫା ଦେବା ଘୋଷଣାକୁ ନେଇ କୋରାପୁଟରେ ଚର୍ଚ୍ଚା ଜୋର୍‌ ଧରିଛି। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ନମିଳିବାରୁ ବିବେକ ଡାକରେ ସେ ଇସ୍ତଫା ଦେଇଥିବା ଶ୍ରୀ ଶଗରିଆ କହିଥିବାବେଳେ ସାଧାରଣ ଲୋକେଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି।

ଗତ ୩୦ ତାରିଖ ଦିନ ଭୁବନେଶ୍ବରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ସମ୍ପର୍କରେ ଘୋଷଣା କରିଥିଲେ। ତେବେ, କୋରାପୁଟରେ ଶ୍ରୀ ଶଗରିଆଙ୍କ ଇସ୍ତଫାକୁ ନେଇ ଭିନ୍ନ ପ୍ରକାରର ଆଲୋଚନା ଶୁଣିବାକୁ ମିଳୁଛି। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ମିଳି ନ ଥିବାରୁ ବିବେକ ଡାକରେ ସେ ଇସ୍ତଫା ଦେଇଥିବା କହୁଥିଲେ ମଧ୍ୟ ସାଧାରଣରେ ଏହାକୁ ସହଜରେ ଗ୍ରହଣ କରାଯାଇପାରୁନାହାନ୍ତି।

କିଛି ଲୋକ ଯୁକ୍ତି ବାଢ଼ିଛନ୍ତି ଯେ, ‘ କୁନ୍ଦୁଲି ଘଟଣାରେ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲାବେଳେ ଏହାର ଚୂଡ଼ାନ୍ତ ରାୟ ଆସିନି। ପୁଣି ତଦନ୍ତ କମିଶନଙ୍କ ଆଗରେ ସେ ନିଜ ପକ୍ଷ ରଖିବାକୁ ବିଧାୟକ ଶ୍ରୀ ଶଗରିଆ ସତ୍ୟପାଠ ଦେଇ ନ ଥିଲେ। ଘଟଣାକୁ ବର୍ଷେ ପୂରି ଯାଇଥିଲା ବେଳେ ଗତ ଜାନୁଆରିରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ। ଏତେ ଦିନ ପରେ ହଠାତ୍‌ ଏହି ପ୍ରସଙ୍ଗକୁ କେନ୍ଦ୍ରକରି ସେ ଇସ୍ତଫା ଦେବା କେବଳ ଏକ ବାହାନା। ’

କଂଗ୍ରେସର ଏକ ଶକ୍ତିଶାଳୀ ଗୋଷ୍ଠୀର ମତ ଯେ, ପିସିସି ଅନୁସୂଚିତ ଜାତି ସେଲ୍‌ର ଅଧ୍ୟକ୍ଷ ପଦରୁ ତାଙ୍କୁ ହଟାଇସେବା ପରେ ଶ୍ରୀ ଶଗରିଆ ଅସନ୍ତୁଷ୍ଟ ଥିଲେ। ସେଥିପାଇଁ ସେ ଦଳରୁ ଇସ୍ତଫା ଦେବାକୁ ମନ ବଳାଇଥିଲେ। ତେବେ, ତାଙ୍କର କେତେଜଣ ଶୁଭେଚ୍ଛୁ ତାଙ୍କୁ ବୁଝାଶୁଝା କରିବା ପରେ ସେ ସେଥିରୁ ଓହରିଥିଲେ। ଏବେ ବିଧାୟକ ପଦରୁ ଇସ୍ତଫା ଦେଇ ସେ ଦଳୀୟ ନେତୃତ୍ବକୁ ଅଡ଼ୁଆରେ ପକାଇବାକୁ ଚାହୁଁଛନ୍ତି।

ଅନ୍ୟପକ୍ଷରେ, ଆସନ୍ତା ନିର୍ବାଚନ ଆଗରୁ ସେ ଦଳ ଛାଡ଼ିବା ଏକପ୍ରକାର ନିଶ୍ଚିତ ବୋଲି ତାଙ୍କ ନିକଟତମ ମହଲରୁ ସୂଚନା ମିଳୁଛି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ‌େଯ ସେ କଂଗ୍ରେସ ଛାଡ଼ି ବିଏସ୍‌ପିରେ ଯୋଗଦେବେ। ବିଏସ୍‌ପି ଜରିଆରେ ଦଳିତ ଲୋକଙ୍କୁ ଏକାଠି କରି ସେମାନଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରିବାକୁ ଉଦ୍ୟମ କରୁଛନ୍ତି। ଭବିଷ୍ୟତରେ କଂଗ୍ରେସ ସହ ବିଏସପି ମେଣ୍ଟ କରିବାର ସମ୍ଭାବନା ଥିବାରୁ ଏହା କୃଷ୍ଣଙ୍କ ପାଇଁ ଫାଇଦା ହେବ ବୋଲି ସେ ଆଶା ରଖିଥିବା ତାଙ୍କ ନିକଟତମ ସମର୍ଥକମାନେ କହୁଛନ୍ତି।

ସମ୍ବନ୍ଧିତ ଖବର