ସାଂସଦ ହିକ୍‌କା ଓ ବିଧାୟକ ପାଙ୍ଗୀ ବି ଅସନ୍ତୁଷ୍ଟ

କମୁଳୁ ଜାନୀ ପ୍ରସଙ୍ଗରେ କୋରାପୁଟ ବିଜେଡିରେ ବିଦ୍ରୋହ

କୋରାପୁଟ : କୋରାପୁଟ ଜିଲ୍ଲା ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଭାବେ କମୁଳୁ ଜାନୀଙ୍କୁ ନେଇ ବିଜେଡିରେ ବିଦ୍ରୋହ ବଢିବାରେ ଲାଗିଛି। ଆଗରୁ ଦଳର କିଛି ଛାମୁଆ ନେତା କମୁଳୁଙ୍କୁ ସିଧାସଳଖ ବିରୋଧ କରୁଥିଲା ବେଳେ ଏବେ ଖୋଦ ଜିଲ୍ଲା ସଭାପତି ତଥା କୋରାପୁଟ ସାଂସଦ ଝିନ୍ନ ହିକ୍‌କା ଏବଂ ପଟାଙ୍ଗି ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ମଧ୍ୟ କମୁଳୁଙ୍କ ନିଯୁକ୍ତି ପ୍ରକ୍ରିୟା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେଡି ଜିଲ୍ଲା ସଭାପତି କହିଛନ୍ତି ଯେ, ବିଧାୟକ କିମ୍ବା ସାଂସଦଙ୍କ ନଜରକୁ ନ ଆଣି କମୁଳୁଙ୍କୁ ନିଯୁକ୍ତି ଦିଆଯାଇଛି। ଝିନ୍ନଙ୍କ ଏହି ମତ ପରେ ବିଜେଡି ଗଣିତ ଏବେ ଗୋଳମାଳିଆ ହୋଇଛି। ଏହା ସହିତ କମୁଳୁଙ୍କ ସପକ୍ଷରେ ଥିବା ପୂର୍ବତନ ମନ୍ତ୍ରୀ ରବି ନନ୍ଦ ଏବେ ସଂପୂର୍ଣ୍ଣ ଏକ ଘରିକିଆ ହୋଇ ଯାଇଛନ୍ତି।

ପ୍ରାୟ ମାସକ ତଳେ ବିଜେଡିରେ ମିଶିଥିବା କମୁଳୁ ଜାନୀଙ୍କୁ ବିଜେଡି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇ ଜିଲ୍ଲା ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ପଦରେ ବସାଇବା ପରେ ବିଜେଡିରେ ବିଦ୍ରୋହ ସୃଷ୍ଟି ହୋଇଥିଲା। ବିସ୍ଫୋରଣ ସଦୃଶ ଦଳର ଆଦିବାସୀ ନେତାମାନେ ଖୋଲାଖୋଲି କମୁଳୁଙ୍କୁ ବିରୋଧ କରିଥିଲେ। ଏପଟେ ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ମଧ୍ୟ ତାଙ୍କୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଥିଲା। ଏଥିରେ ମଧ୍ୟ ବିଜେଡିର କିଛି ନେତା ସାମିଲ ହୋଇଥିଲେ। କମୁଳୁଙ୍କ ନିଯୁକ୍ତି ପଛରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ହାତ ଥିବା ଅଭିଯୋଗ କରି ସେମାନେ ତାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ବିଜେଡି କଳି ଏମିତି ଦାଣ୍ଡରେ ପଡି ହାଟରେ ଗଡିଲା ବେଳକୁ ଦଳର ହେଭିେଓ୍ଵଟ ନେତାମାନେ ନିରବ ରହିଥିଲେ। ଫଳରେ ଦଳର ଆଭ୍ୟନ୍ତରୀଣ ବିବାଦ ବଢିବାରେ ଲାଗିଥିଲା।

ବିଜେଡି ଗଣିତ ଗୋଳିଆ ହେଉଥିବା ବେଳେ ଆଜି ଜିଲ୍ଲା ସଭାପତି ଝିନ୍ନ ହିକକାଙ୍କ ସରକାରୀ ବାସଭବନରେ ଏକ ବୈଠକ ହୋଇଛି। ଏଥିରେ ଜିଲ୍ଲାର ବହୁ ଆଦିବାସୀ ନେତା, ପ୍ରତିନିଧିଙ୍କ ସମେତ ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ରାଜ୍ୟ ସଂପାଦକ ଈଶ୍ୱର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଭୁ ଜାନୀ, ବରିଷ୍ଠ ନେତା ବାଲା ରାୟ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଅନୁପସ୍ଥିତ ରହିଥିଲେ। ବୈଠକ ଆରମ୍ଭରୁ ଆଦିବାସୀ ନେତାମାନେ ଆକ୍ରମଣାତ୍ମକ ଢଙ୍ଗରେ ନିଜ ପ୍ରତିକ୍ରିୟା ପ୍ରକାଶ କରିବା ସହ କମୁଳୁ ଜାନୀଙ୍କ ନିଯୁକ୍ତିକୁ ତୁରନ୍ତ ବାତିଲ କରିବାକୁ ଦାବି କରିଥିଲେ। କହିଥିଲେ, ସେମାନେ ଦଳରେ ଦୀର୍ଘଦିନ ହେଲା ରହି କାମ କରି ଆସୁଛନ୍ତି। ନିର୍ବାଚନ ଠାରୁ ସଂଗଠନ ପର୍ଯ୍ୟନ୍ତ ସମସ୍ତ କାମରେ ସାମିଲ ହେଉଛନ୍ତି। କିନ୍ତୁ ଦଳ ସେମାନଙ୍କୁ ଅଣଦେଖା କରି କଂଗ୍ରେସରୁ ଆମଦାନୀ ହୋଇଥିବା ଜଣେ ଲୋକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇ ସମ୍ମାନିତ କଲା। ଏହାକୁ ସେମାନେ ସହଜରେ ଗ୍ରହଣ କରିପାରିବେ ନାହିଁ। ଦଳରେ ଏମିତି ହୀନ ରାଜନୀତି କାହିଁକି କରାଯାଉଛି ବୋଲି ପ୍ରଶ୍ନ କରିଥିଲେ।

ଜିଲ୍ଲା ସଭାପତି ତଥା ସାଂସଦ ଝିନ୍ନ ହିକକା ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଆଦିବାସୀ ନେତାମାନେ ନିଜ ଜିଦ୍‌ରେ ଅଟଳ ରହିବାରୁ ବୈଠକରୁ କିଛି ନିର୍ଯ୍ୟାସ ବାହାରି ନ ଥିଲା। ତେଣୁ ଆସନ୍ତାକାଲି ଆଉ ଥରେ ବୈଠକ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ବୈଠକ ପରେ ଝିନ୍ନ ମାନିଥିଲେ ଯେ, ଏହି ପଦରେ କମୁଳୁଙ୍କୁ ନିଯୁକ୍ତି ନେଇ ତାଙ୍କର କିମ୍ବା ପଟାଙ୍ଗି ବିଧାୟକଙ୍କ ସହ କେହି ଆଲୋଚନା କରି ନାହାନ୍ତି କି ପରାମର୍ଶ ମାଗି ନାହାନ୍ତି। ଦଳରେ ଫାଟ ନାହିଁ ବୋଲି ଜିଲ୍ଲା ସଭାପତି ବାରମ୍ବାର କହୁଥିଲେ ମଧ୍ୟ ଆଜିର ବୈଠକରୁ ଏହା ଜଳ ଜଳ ଦିଶୁଥିଲା। କମୁଳୁଙ୍କ ନିଯୁକ୍ତି ପଛରେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ରବି ନାରାୟଣ ନନ୍ଦ ଆଜିର ବୈଠକରେ ଅନୁପସ୍ଥିତ ରହିବା ଘଟଣାରୁ ଏହା ସ୍ପଷ୍ଟ ହୋଇ ଯାଇଛି। ଦଳର ଅନ୍ଦର ମହଲରୁ ମିଳିଥିବା ସୂଚନା ଅନୁସାରେ ରବି ନନ୍ଦଙ୍କ ବ୍ୟତୀତ ଅନ୍ୟ କୌଣସି ବରିଷ୍ଠ ନେତା କମୁଳୁଙ୍କ ସପକ୍ଷରେ ନାହାନ୍ତି। ତେଣୁ ସେମାନେ ନିଜ ଅସନ୍ତୋଷକୁ ବିଭିନ୍ନ ଉପାୟରେ ପ୍ରକାଶ କରୁଛନ୍ତି। ଅପରପକ୍ଷରେ ଏହି କାରଣରୁ ରବି ନନ୍ଦ ଏବେ ବିଜେଡିରେ ଏକ ଘରିକିଆ ହୋଇ ଯାଇଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର