କୁନ୍ଦୁଲି ପୀଡ଼ିତାଙ୍କ ପରିଚୟ ପ୍ରଘଟ ନେଇ ହାଇକୋର୍ଟରେ ମାମଲା

କଟକ : ସର୍ବସାଧାରଣରେ କୁନ୍ଦୁଲି ପୀଡିତାଙ୍କ ପରିଚୟ ପ୍ରଘଟ ଘଟଣାକୁ ନେଇ ଖାରବେଳନଗର ଥାନାରେ ରୁଜୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଆବେଦନ ଦାୟର କରାଯାଇଛି। ଷ୍ଟେଟ୍‌ ପ୍ରୋଗ୍ରେସିଭ୍‌ ଓମେନ୍‌ସ୍‌ ଫୋରମର ଅଧ୍ୟକ୍ଷା ମମତା ସାମନ୍ତରାୟଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି ଯେ ଗତ ଡିସେମ୍ବର ୨୯ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଜନ ଶୁଣାଣିରେ କୁନ୍ଦୁଲି ପୀଡ଼ିତାଙ୍କ ପରିଚୟ ସର୍ବ ସାଧାରଣରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ପୀଡିତା ଆତ୍ମହତ୍ୟା କରିଥିଲେ। ଏପରି ଘଟଣା ପାଇଁ ସଂପୃକ୍ତ ସୂଚନା ଅଧିକାର କର୍ମୀ ଦାୟୀ ହୋଇଥିବା ଦର୍ଶାଇ ମାମଲା ରୁଜୁ ହୋଇଛି। ଫେବ୍ରୁଆରି ୩ରୁ ଏହି ମାମଲା ରୁଜୁ ହୋଇଥିଲେ ମଧ୍ୟ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଏହାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଆବେଦନରେ ଦର୍ଶାଯାଇଛି। ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ଅନୀଲ ପରିଡା ଓ ଦୀପାଂଶୁ ଦାସ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ଗୃହ ସଚିବ, ପୁଲିସ ଡିଜି, ପୁଲିସ କମିସନର, ଭୁବନେଶ୍ୱର ଡିସିପି, ଖାରବେଳନଗର ଥାନା ଆଇଆଇସି ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି।

ବିଚାର ବିଭାଗୀୟ ତଦନ୍ତ ପାଇଁ ଜୟପୁରରେ

ଖୋଲିଲା କମିସନ୍‌ଙ୍କ କାର୍ଯ୍ୟାଳୟ

ଜୟପୁର : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାକୁ ନେଇ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ମାନ୍ୟବର ହାଇକୋର୍ଟ ଏହାକୁ ଅନୁମୋଦନ କରିବା ପରେ ଗତ ୫ ତାରିଖ ଠାରୁ ଜୟପୁରରେ କମିସନଙ୍କ କାର୍ଯ୍ୟାଳୟ ଖୋଲାଯାଇଛି। ତଦନ୍ତ କମିସନର ଭାବେ ମାନ୍ୟବର ଜିଲ୍ଲା ଦୌରାଜଜ୍‌ ବିଦ୍ୟୁତ୍‌ କୁମାର ମିଶ୍ର ରହିଥିବା ବେଳେ ସଂପାଦକ ଭାବେ ରେଜିଷ୍ଟ୍ରାର ହିମାଂଶୁ ଶେଖର ବିଶ୍ୱାଳ ରହିଛନ୍ତି। କମିସନ ମୁଖ୍ୟତଃ ୪ଟି ଦିଗକୁ ନେଇ ତଦନ୍ତ କରିବେ। ପ୍ରଥମତଃ ଗଣଦୁଷ୍କର୍ମର ଅଭିଯୋଗର ଘଟଣାକ୍ରମ, ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିବିଶେଷ, କେଉଁ ପରିସ୍ଥିତିରେ ପୀଡିତା ଜଣକ ଆତ୍ମହତ୍ୟା କରିଛନ୍ତି ଏବଂ କମିଶନ ଯଦି ଏହି ଘଟଣା ସହ ସଂପୃକ୍ତି ଥିବା କୌଣସି ଅଭିଯୋଗ ଆସେ ସେ ଗୁଡିକ ଉପରେ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି। କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ସଂପର୍କରେ କମିଶନ ବିଭିନ୍ନ ବ୍ୟକ୍ତିବିଶେଷ, ସଂଗଠନ ତଥା ସଂପୃକ୍ତ ସରକାରୀ କର୍ମଚାରୀଙ୍କ ଠାରୁ ପ୍ରଥମେ ସତ୍ୟପାଠ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର