ଠିକାଦାରଙ୍କୁ ୩ ଦିନ ମଧ୍ୟରେ ବାନ୍ଧ:ପଥର କୁଆଁରି ଧସିବା ଘଟଣା

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବରିପୁଟ ନିକଟରେ ଥିବା ଗୁମ୍ମା ପଥର କୁଅାଁରି ଦୁର୍ଘଟଣାର ଦୁଇ ସପ୍ତାହ ପରେ ମଧ୍ୟ ସଂପୃକ୍ତ ଠିକା ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଆସନ୍ତା ୩ ଦିନରେ ମଣିଷ ମରା ଏହି ଠିକା ସଂସ୍ଥାର ଅଧିକାରୀଙ୍କୁ ଗିରଫ କର। ନିଚେତ ବିଜେପି ପକ୍ଷରୁ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବା ସହ ପ୍ରଶାସନ ବିରୋଧରେ ଥାନାରେ ଏତଲା ଦିଆଯିବ। ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବେଆଇନ ଭାବେ ପଥର ଖୋଳା ଯାଉଥିଲା ବେଳେ ଏମିତି ଦୁର୍ଘଟଣା ଘଟିଛି। ଘଟଣାକୁ ଏ ଭିତରେ ଦୁଇ ସପ୍ତାହ ହୋଇ ଯାଇଥିଲେ ମଧ୍ୟ ଦୋଷୀ ଠିକା ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ପ୍ରଶାସନ ଓ ପୁଲିସ ପକ୍ଷରୁ ଠିକା ସଂସ୍ଥାକୁ ଅନୁକଂପା ପ୍ରଦାନ କରାଯିବା ଦୁଭାର୍ଗ୍ୟଜନକ।

ତେଣୁ ଠିକା ସଂସ୍ଥା ସହ ପୁଲିସ ଓ ପ୍ରଶାସନର ସଲାସୁତୁରା ଥିବା ସ୍ପଷ୍ଟ ହୋଇ ଯାଇଛି। ୩ ଦିନ ଭିତରେ ଦୋଷୀ ଠିକାଦାରଙ୍କୁ ଗିରଫ କରା ନ ଗଲେ ବିଜେପି ଜିଲ୍ଲାବ୍ୟାପୀ ଆନ୍ଦୋଳନ କରିବ ବୋଲି ପାଙ୍ଗୀ କହିଛନ୍ତି। ସେହିପରି ଏହି ପଥର କୁଆଁରିରୁ ପଥର ସଂଗ୍ରହ କରୁଥିବା ଡିଡି ବିଲଡର୍ସ ପଛରେ କେଉଁମାନେ ଅଛନ୍ତି ତାହାର ତଦନ୍ତ ହେବା ଆବଶ୍ୟକ। କେଉଁ ନେତାମାନଙ୍କ ଛତ୍ରଛାୟା ତଳେ ଏହି ସଂସ୍ଥା ବେଆଇନ କାମ ସବୁ କରୁଥିଲା ଏବଂ କେଉଁ ପ୍ରଶାସନିକ ଅଧିକାରୀମାନେ ତାକୁ ସହଯୋଗ କରୁଥିଲେ ତାହାର ତଦନ୍ତ କରିବାକୁ ଦଳ ଦାବି କରିଛି। ଏହି ଦୋଷୀ ନେତା ଓ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାଙ୍ଗୀ ଦାବି କରିଛନ୍ତି। ଏହା ନ ହେଲେ ବିଜେପି ପକ୍ଷରୁ ପ୍ରଶାସନ ଓ ଠିକା ସଂସ୍ଥା ବିରୋଧରେ ଥାନାରେ ଏତଲା ଦିଆଯିବ ବୋଲି ପୂର୍ବତନ ମନ୍ତ୍ରୀ ପାଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର