ପୁଲିସର ହସ୍ତକ୍ଷେପ ପରେ ଥାନାରେ ବିବାହ କଲେ ପ୍ରେମୀ ଯୁଗଳ

ନନ୍ଦପୁର: ଦୀର୍ଘ ୨ବର୍ଷ ହେଲା ପ୍ରେମ ସଂପର୍କ ରହିଥିଲା। ତେବେ ପ୍ରେମିକ ଜଣକ ବିବାହ କରିବାକୁ ମନା କରିବାରୁ ପ୍ରେମିକା ଥାନାର ଦ୍ୱାରସ୍ତ ହେଲେ। ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ପ୍ରେମିକ ରାଜି ହେବାରୁ ଥାନା ପରିସରରେ ସିନ୍ଦୂର ଓ ମଙ୍ଗଳସୂତ୍ର ପିନ୍ଧାଇ ପ୍ରେମିକାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଛନ୍ତି ପ୍ରେମିକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ଥାନାରେ। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ନନ୍ଦପୁର ବ୍ଲକ ଅନ୍ତର୍ଗତ ହିକିମପୁଟ ଗ୍ରାମର ଅର୍ଜୁନ ମୁଦୁଲିଙ୍କ ଝିଅ ଡଲି(୨୦) ଓ ରବି ପାଙ୍ଗିଙ୍କ ପୁଅ ସନ୍ତୋଷ(୨୩)ଙ୍କ ମଧ୍ୟରେ ଦୀର୍ଘ ୨ବର୍ଷ ହେଲା ପ୍ରେମ ସଂପର୍କ ରହିଥିଲା। ୨ବର୍ଷର ପ୍ରେମ ସଂପର୍କ ପରେ ବିବାହ କରିବାକୁ ଡଲି ସନ୍ତୋଷଙ୍କୁ ବାଧ୍ୟ କରିଥିଲା। ତେବେ ସନ୍ତୋଷ ଏଥିରେ ରାଜି ହୋଇନଥିଲେ। ଗତ ରବିବାର ଦିନ ଗ୍ରାମରେ ଗାଁ ମୁଖିଆଙ୍କ ଉପସ୍ଥିତିରେ ବୈଠକ କରାଯାଇ ଏହାର ସମାଧାନ କରିବାକୁ ଉଦ୍ୟମ କରାଯାଇଥିଲା। ତେବେ ବୈଠକରେ କୌଣସି ନିଷ୍ପତ୍ତି ହୋଇନପାରିବାରୁ ଆଜି ଡଲି ଓ ତାଙ୍କ ପରିବାର ଲୋକ ନନ୍ଦପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ପରେ ପୁଲିସ ସନ୍ତୋଷ ଓ ତାଙ୍କ ପରିବାରକୁ ଥାନାକୁ ଡକାଇଥିଲା। ନନ୍ଦପୁର ଏସଡିପିଓ ତପନ କୁମାର ମହାନନ୍ଦ, ଆଇଆଇସି ଚନ୍ଦ୍ରଶେଖର ଶବର, ନନ୍ଦପୁର ସହିଦ ଲକ୍ଷ୍ମଣ ନାୟକ ପରଜା ଆଦିବାସୀ ସେବା ମଞ୍ଚର ସଭାପତି ବିଶ୍ୱନାଥ ଶିଶା, ଧନୁର୍ଯ୍ୟୟ ମୁଦୁଲି, ଭଗବାନ ପେଟିଆ, ଭଗବାନ ମୁଦୁଲି, ଜିନୁ କିର୍ଷାନୀ, କେଶବ ଖରା, ଡମ୍ବରୁଧର ଶିଶା, ଗାଁ ମୁଖିଆ ସୁରେଶ ଖେମୁଣ୍ଡୁ, କିଶୋର ପାଙ୍ଗି ପ୍ରମୁଖଙ୍କ ଉପସ୍ଥିତି ରହି ଉଭୟ ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲେ। ଶେଷରେ ସନ୍ତୋଷଙ୍କ ପରିବାର ଡଲିକୁ ବୋହୂ କରିବା ନିମନ୍ତେ ରାଜି ହୋଇଥିଲେ। ସମସ୍ତଙ୍କ ଉପସ୍ଥିତିରେ ସନ୍ତୋଷ ପ୍ରେମିକା ଡଲିଙ୍କ ମଥାରେ ସିନ୍ଦୂର ଓ ବେକରେ ମଙ୍ଗଳସୂତ୍ର ପିନ୍ଧାଇ ପତ୍ନୀ ରୂପେ ଗ୍ରହଣ କରିଥିଲେ। ଥାନା ଅଧିକାରୀ ଚନ୍ଦ୍ରଶେଖର ଶବରଙ୍କ ଏଭଳି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିବା ନବଦଂପତିଙ୍କୁ ଆଶୀର୍ବାଦ ଦେଇ ଦୀର୍ଘାୟୁ ଜୀବନ କାମନା କରିଥିଲେ। ଥାନା ପରିସରରେ ପ୍ରେମୀ ଯୁଗଳଙ୍କ ବାହାଘର ଘଟଣା ସମଗ୍ର ନନ୍ଦପୁର ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର