ନାବାଳିକାଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

କୋରାପୁଟ : ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ କୋରାପୁଟ ଟାଉନ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ କୋରାପୁଟ ଢେପଗୁଡାର ରାମପ୍ରସାଦ ସାଗର(୨୨ବର୍ଷ)। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, କୋରାପୁଟ ସହରର ଢେପଗୁଡା ଅଂଚଳରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗତ ୬ତାରିଖ ସନ୍ଧ୍ୟାରେ ଘର ନିକଟରେ ଥିବା ଏକ ଦୋକାନକୁ ଯାଇଥିଲେ। ସେ ଏକାକୀ ଯାଉଥିବା ଦେଖି ଢେପଗୁଡାର ରାମପ୍ରସାଦ ସାଗର ତାଙ୍କୁ ରାସ୍ତାରୁ ଉଠାଇ ନେଇଥିଲା। ପରେ ଏକ ପାଇଖାନାରେ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଏହି କଥା ବାହାରେ କହିଲେ ମାରିଦେବାକୁ ଧମକ ଦେଇଥିଲା ସଂପୃକ୍ତ ଯୁବକ। ଫଳରେ ନାବାଳିକା ଜଣଙ୍କ ଭୟଭୀତ ହୋଇ ଯାଇଥିଲେ।

ତେବେ ସାହସ ସଂଚୟ କରି ଏଥିନେଇ ଘରେ କହିବା ପରେ ଘର ଲୋକ ଗତକାଲି ରାତିରେ କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଆଧାରରେ ୬୭/୧୮ରେ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ କରୁଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାମ ପ୍ରସାଦକୁ ଆଜି ଗିରଫ କରିଥିଲା ପୁଲିସ। ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ସବ୍‌ ଇନ୍ସପେକ୍ଟର ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର