ବିବାହ କରି ପ୍ରତାରଣା:ଗର୍ଭବତୀ କରି ତଡ଼ିଦେଲେ ସ୍ୱାମୀ

ଜୟପୁର: ଦୁର୍ଦିନରେ ସହାୟତା କରି ବିଶ୍ୱସ୍ତ ହେଲେ। କିଛି ଦିନର କଥାବର୍ତା ପରେ ଦିନେ ପ୍ରେମ ନିବେଦନ। ସଂପର୍କ ନିବିଡ ହେବାରୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ। ବହୁବାର ଚାପ ପକାଇବାରୁ ବାଧ୍ୟହୋଇ ମନ୍ଦିରରେ ବିବାହ କରି ଘରେ ନେଇ ରଖିଲେ। କିନ୍ତୁ ପରବର୍ତୀ ସମୟରେ ଗର୍ଭବତୀ ହେବାରୁ ଘରୁ ତଡ଼ିଦେଲେ। ବିଶାଖାପାଟଣା ଅଞ୍ଚଳର ଜଣେ ଯୁବକଙ୍କ ବିରୋଧୀରେ ଏଭଳି ସଂଗିନ ଅଭିଯୋଗ ଆଣିଛନ୍ତି କୋରାପୁଟ ଜିଲ୍ଲା ସୁନାବେଡା ଅଞ୍ଚଳର ଜଣେ ଉଚ୍ଚ ଶିକ୍ଷିତା ଯୁବତୀ। ଘରୁ ତଡିଦେବା ପରେ ବି ତଥାକଥିତ ସ୍ୱାମୀଙ୍କ ଦାଉ କମୁନାହିଁ। ଜୀବନରେ ମାରି ଦେବାକୁ ବାରମ୍ବାର ଧମକ ଦେଉଥିବା ଅଭିଯୋଗ ହୋଇଛି। ତେଣୁ ଯୁବତୀ ଜଣକ ବର୍ତମାନ ମାନସିକ ଚାପରେ ଅନିଶ୍ଚିତତା ମଧ୍ୟରେ ସମୟ କାଟୁଛନ୍ତି।
ସୂଚନା ଅନୁଯାୟୀ, ସଂପୃକ୍ତା ଯୁବତୀ ଜଣକ ୨୦୧୫ ମସିହାରେ ବିଶାଖାପାଟଣାରେ ବିବାହ କରିଥିଲେ। କିନ୍ତୁ ବିବାହର ୨ମାସ ପରେ ପାରିବାରିକ ବିବାଦ ଯୋଗୁଁ ସେ ସ୍ୱାମୀଙ୍କ ଠାରୁ ଛାଡପତ୍ର ଚାହିଁଥିଲେ। ବିଶାଖାପାଟଣା କୋର୍ଟରେ ଏଥିପାଇଁ ଆବେଦନ କରିଥିବା ବେଳେ ମାମଲା ବିଚାରଧୀନ ରହିଛି। ଅନ୍ୟପକ୍ଷରେ ମାମଲାର ଶୁଣାଣି ପାଇଁ ବାରମ୍ବାର ଯିବା ଆସିବା କରିବା ସମୟରେ ୟୁନିଭରସାଲ ସାମ୍ପୋ ଜେନେରାଲ ଇନ୍‌ସ୍ୟୁରାନ୍ସ କମ୍ପାନିରେ କାର୍ଯ୍ୟ କରୁଥିବା ଋଷି ପ୍ରସାଦ ଭଟ୍ଟଙ୍କ ସହ ଯୁବତୀଙ୍କ ସାକ୍ଷାତ ହୋଇଥିଲା। ସ୍ୱାମୀଙ୍କୁ ଛାଡି ଦୁର୍ଦିନରେ ଯୁବତୀ ଜଣକ ରହିଥିବାରୁ ଏହାର ସୁଯୋଗ ନେଇଥିଲେ ଋଷି। ସହାୟତା କରିବା ଆଳରେ ଯୁବତୀଙ୍କ ସହ ଯୋଗାଯୋଗରେ ରହିଥିଲେ। କିଛି ଦିନର ନିୟମିତ କଥାବର୍ତା ପରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିବା ଦର୍ଶାଇ ପ୍ରେମ ନିବେଦନ କରିଥିଲେ।

ବିବାହ ପ୍ରସ୍ତାବ ଦେଇ ୨ ପିଲାଙ୍କ ଦାୟିତ୍ୱ ନେବାକୁ ବି ଅନୁରୋଧ କରିଥିଲେ। ଏଥିରେ ଯୁବତୀ ଜଣକ ରାଜି ହୋଇ ଋଷିଙ୍କ ସହ ରହିବା ଆରମ୍ଭ କରିଥିଲେ। କିଛି ଦିନ ପରେ ସୀମାଞ୍ଚଳମ୍‌ରେ ଥିବା ନୃସିଂହନାଥ ମନ୍ଦିରରେ ବିବାହ କରାଇଥିଲେ। ତେବେ ବିବାହ ପରେ ଯୁବତୀ ୨ଥର ଗର୍ଭବତୀ ହୋଇଥିଲେ। ଉଭୟ ଥର ଚାପ ପକାଇ ଋଷି ଗର୍ଭପାତ କରିଥିବା ଅଭିଯୋଂଗ ହୋଇଛି। ତୃତୀୟ ଥର ସେ ଗର୍ଭବତୀ ହେବାରୁ ଏଥର ବି ଚାପ କାଇଥିଲେ ବି ଏଥିରେ ଯୁବତୀ ରାଜି ହୋଇ ନଥିଲେ। ତେଣୁ ଋଷି ଶାରୀରିକ ନିର୍ଯାତନା ଦେଇ ଗୋଟିଏ ସାଧା କାଗଜରେ ଜୋରଜବରଦସ୍ତି ଦସ୍ତଖତ ନେଇ ଘରୁ ତଡି ଦେଇଥିଲେ। ଏନେଇ ସେ ବିଶାଖାପଟଣା ଥାନାରେ ଚଳିତ ମାସ ୬ ତାରିଖରେ ୨୩୭/୨୦୧୮ରେ ଏକ ମାମଲା ଦେଇଥିବା ବେଳେ ତାଙ୍କ ନାମରେ ୪୧୭ ଓ ୪୨୦ ଆଇପିସିରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଯୁବତୀ ଜଣକ କୋରାପୁଟ ଏସପିଙ୍କୁ ଭେଟି ନ୍ୟାୟ ଦେବାକୁ ଗୁହାରି କରିଛନ୍ତି।

ସମ୍ବନ୍ଧିତ ଖବର