ପୁରୁଣା ବିବାଦରୁ ହତ୍ୟାକାଣ୍ଡ

କୋରାପୁଟ/ସେମିଳିଗୁଡା: କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା ଅଂଚଳରେ ଜଣେ ଠିକାଦାର ଆଉ ଜଣେ ଲୋକଙ୍କୁ ଲୁହା ପାଇପରେ ବାଡେଇ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ଦଳେଇଗୁଡା ପଞ୍ଚାୟତ ଆରକେ ମାଳିଗୁଡାର ରାମନାଥ କୋଡିଆ। ତାଙ୍କୁ ହତ୍ୟା କରି ସେହି ଗ୍ରାମର ବିଜୟ ଖିଲ ଫେରାର ହୋଇ ଯାଇଛନ୍ତି। ଏହାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲାବେଳେ ଉତ୍ୟେକ୍ତ ଲୋକେ ବିଜୟଙ୍କ ଘରେ ଭଙ୍ଗାରୁଜା କରିଛନ୍ତି। ସୂଚନ‌ା ଅନୁସାରେ, ପୁରୁଣା ବିବାଦକୁ ନେଇ ଆଜି ଅପରାହ୍ନରେ ଠିକାଦାର ବିଜୟ ଖିଲ ଓ ରାମନାଥଙ୍କ ମଧ୍ୟରେ ବଚସା ହୋଇଥିଲା। ଜମିବାଡି ମାମଲାକୁ ନେଇ ସେମାନଙ୍କ ଭିତରେ ଆଗରୁ ଝଗଡ଼ା ଚାଲିଥିଲାବେଳେ ଆଜି ଏହି ପ୍ରସଙ୍ଗରେ ଦୁହେଁ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ବିଜୟ ଏକ ଲୁହା ପାଇପରେ ରାମନାଥଙ୍କୁ ବାଡେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କୁନ୍ଦୁଲି ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ବିଜୟଙ୍କ ଘରେ ବ୍ୟାପକ ଭଙ୍ଗାରୁଜା କରିଥି‌ଲେ। ଏହାକୁ ନଜରରେ ରଖି ସେଠାରେ ପୁଲିସ ମୁତୟନ କରାଯାଇଛି। ସେମିଳିଗୁଡା ପୁଲିସ ଏଥିନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲାବେଳେ ଅଭିଯୁକ୍ତ ବିଜୟ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର