ଖୁବଶୀଘ୍ର ଜୟପୁରରୁ ଉଡ଼ିବ ବିମାନ:ସଜେଇ ହେଉଛି ବିମାନ ବନ୍ଦର

ଜୟପୁର: ଫେବ୍ରୁଆରି ପ୍ରଥମ ସପ୍ତାହ ସୁଦ୍ଧା ଜୟପୁରରୁ ରାଜ୍ୟ ମଧୢରେ ଆରମ୍ଭ ହେବ ବ୍ୟବସାୟିକ ବିମାନ ଚଳାଚଳ। ଏଥିପାଇଁ ଜୟପୁର ଏୟାରଷ୍ଟ୍ରିପ୍‌ରେ ନିର୍ମାଣ କାମ ଦ୍ରୁତ ଗତିରେ ଚାଲିଛି। ଅଧାରୁ ଅଧିକ କାମ ଶେଷ ହୋଇଯାଇଥିବା ବେଳେ ବାକି ଥିବା କାର୍ଯ୍ୟ ଚଳିତ ମାସ ସୁଦ୍ଧା ଶେଷ ହୋଇଯିବ। ସେହିପରି ଡିଜିସିଏ ନିକଟରେ ଲାଇସେନ୍ସ ପାଇଁ କାଗଜପତ୍ର କାମ ପ୍ରାୟ ଶେଷ ହୋଇଯାଇଛି। ଚଳିତ ମାସ ଶେଷ ସପ୍ତାହରେ ଡିଜିସିଏ ନିକଟରେ ଲାଇସେନ୍ସ ପାଇଁ ଆବେଦନ କରିବ ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ନିକଟରେ ଲାଇସେନ୍ସ ଫାଇଲ ରହିଥିବା ଜଣାପଡିଛି।
ଏଟିସିର ବରିଷ୍ଠ ଅଧିକାରୀଙ୍କ ସହ କମ୍ୟୁନିକେସନ ବିଭାଗର ୨ ଜଣ ବରିଷ୍ଠ ଇଞ୍ଜିନିୟର ଚଳିତ ସପ୍ତାହରେ ନିର୍ମାଣ କାର୍ଯ୍ୟର ତଦାରଖ କରିବାକୁ ଆସିବେ ବୋଲି ସୂଚନା ମିଳିଛି। ଏୟାର ଟ୍ରାଫିକ କଣ୍ଟ୍ରୋଲର ସମ୍ପନ୍ଧୀୟ ଭିତ୍ତିଭୂମିକୁ ଦେଖିବା ସହ ଏଟିସି ପ୍ରତିଷ୍ଠା ଦିଗରେ ଏହି ଅଧିକାରୀମାନେ କାର୍ଯ୍ୟ କରିବେ। ଏଥିପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତର ଆବଶ୍ୟକତା ରହିଥିବା ବେଳେ ସାଉଥକୋ ପକ୍ଷରୁ ୩୩ କେଭିର ବିଦ୍ୟୁତ ତାର ସହ ଉଚ୍ଚ କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି। କିନ୍ତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା ବେଳକୁ ସ୍ଥାନୀୟ କିଛି ଲୋକ କେଁ ପୂରାଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନ ପକ୍ଷରୁ ବିଦ୍ୟୁତ ସଂଯୋଗ ପାଇଁ ୩ଟି ପୋଲ ବେସରକାରୀ ଜାଗାରେ ସ୍ଥାପନ କରାଯାଇଛି। ତେଣୁ ଆଜି ୱିସକୋ, ରାସ୍ତା ଓ ଗୃହ ବିଭାଗ ବରିଷ୍ଠ ଅଧିକାରୀ, ଆରଆଇଙ୍କ ସହ ଜଣେ ଅମିନ ଏହି ମାପଚୁପ କରିଥିଲେ। ବେସରକାରୀ ଜମିରେ ରହିଥିବା ଖୁଣ୍ଟକୁ ସରକାରୀ ଜମିରେ ସ୍ଥାପନ କରି ବିଦ୍ୟୁତ ତାରକୁ ଟଣାଯିବ ବୋଲି କତ୍ତୃର୍ପକ୍ଷ କହିଛନ୍ତି।
ଅନ୍ୟପକ୍ଷ‌େର ରନ‌େୱ ପାଖାପାଖି ରହିଥିବା ଗଛକୁ କଟାଯାଇଥିବା ବେଳେ ନିକଟସ୍ଥ ଗାଁରେ ପଶୁ ହତ୍ୟା କରା ନ ଯିବାକୁ ବାରଣ କରାଯିବ। ଏନେଇ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଆଖପାଖ ଅଞ୍ଚଳରେ ପ୍ରଚାର କରାଯିବ। ଗୋଟିଏ କିଲୋମିଟର ପରିସରରେ ଜୀବା˚ଶ ନ ପକାଇବା ନେଇ କଟକଣା ଜରି କରାଯିବ ବୋଲି ଜଣାପଡିଛି। ଏହାସହ ବିମାନ ବନ୍ଦରକୁ ଜଗିବ ସିସିଟିଭି। ଏହି ସିସିଟିଭି ଖୁବଶୀଘ୍ର ବ୍ୟବହାର କରାଯିବ। ଏବେ ପୁଲିସ, ଅଗ୍ନିଶମ ନିରାପତ୍ତା କୋଠା, ଟର୍ମିନାଲ ଉପରେ ଏଟିଆର ଓ ପାଇଲଟ ରହଣୀସ୍ଥଳୀ ନିର୍ମାଣ ଶେଷ ହୋଇଛି। କେବଳ ଏହା ମଧ୍ୟରେ କେବଲିଂ କାର୍ଯ୍ୟ ବାକି ରହିଛି। ଆସନ୍ତା ସପ୍ତାହେ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ ଶେଷ ହୋଇଯିବା ନେଇ ଆଶା ରଖିଛି ଜିଲ୍ଲା ପ୍ରଶାସନ। ଭାରତୀୟ ବିମାନବନ୍ଦର ପ୍ରାଧୀକରଣ (ଏଏଆଇ) ପକ୍ଷରୁ ୭ କୋଟି ଟଙ୍କା ବିନିମୟରେ ମୋବାଇଲ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ପ୍ରତିଷ୍ଠା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ସୂଚନାଯୋଗ୍ୟ ପୂର୍ବରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀଙ୍କ ସହ ଦିଲ୍ଲୀ ଓ କୋଲାକାତାର ୩ ଜଣିଆ ଟିମ୍ ଜୟପୁର ଏୟାର ଷ୍ଟ୍ରିପ୍ ଆସି ସମୀକ୍ଷା କରିଥିଲେ। ଏହି ଟିମ୍ ଜୟପୁରରେ ଥିବା ଏୟାର ରନେଵ, ଟର୍ମିନାଲ, ବିମାନ ରହଣି ସ୍ଥଳୀ ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରଥିଲେ। ଏହି ଟିମରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ତିଆ (ଏଏଆଇ) ନିବାର୍ହୀ ନିର୍ଦ୍ଦେଶକ ଭୀନିତ ଗୁଲାଟି, ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି ଅଫ ଇଣ୍ତିଆ (ବିସିଏଏସ)ର ଭି.କେ. ବନ୍ଦୋପୋଧ୍ୟାୟ, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ସହ ନିର୍ଦ୍ଦେଶକ ମନୋଜ ଗାର୍ଗ ପ୍ରମୁଖ ଥିଲେ।
୨୦୧୬ ଡିସେମ୍ବର ମାସରୁ ବନ୍ଦ ହୋଇଥିବା ବିମାନ ଚଳାଚଳ ପୁଣି ଜୟପୁରରୁ ରାଜ୍ୟ ଭିତରେ ଆରମ୍ଭ ହେବ ଆଶା ଦେଖାଦେଇଛି। ଭୁବନେଶ୍ବରରୁ-ଜୟପୁର ଓ ଜୟପୁର-ଭୁବନେଶ୍ବର ପ୍ରତିଦିନ ଏହି ବିମାନ ଚଳାଚଳ କରିବା ସହ ଝାରସୁଗୁଡା ଓ ଉତକେଲା (କଳାହାଣ୍ତି)କୁ ମଧୢ ଉଡାଣ କରିବାର ଯୋଜନା ରହିଛି। ପ୍ରତି ଯାତ୍ରୀଙ୍କ ପିଛା ଟିକେଟ ଦର ଅନୁମାନିକ ୨୫୦୦ଟଙ୍କା ହୋଇପାରେ। ‘ଉଡେ ଦେଶ କା ଆମ ନାଗରିକ’(ଉଡାନ) ଯୋଜନାର ପ୍ରଥମ ପର୍ଯ୍ୟାୟରେ ଜୟପୁର ଏୟାର ଷ୍ଟ୍ରିପ୍ ସାମିଲ ହୋଇଥିଲା।

ସମ୍ବନ୍ଧିତ ଖବର